ରାଜ୍ୟ

ହକି ଷ୍ଟାଚ୍ୟୁ ଉଭାନ୍‌; ଖଣ୍ଡଖଣ୍ଡ କରି ରାତିଅଧିଆ ବୋହି ନେଲେ

ରାଉରକେଲା: ସାମାନ୍ୟ ପବନରେ ଭାଙ୍ଗିଥିବା ବିଶାଳ ହକି ଷ୍ଟାଚ୍ୟୁ ୨ ମାସରୁ ଅଧିକ ପାର୍କରେ ପଡ଼ି ରହିବା ପରେ ତାକୁ ରାତିଅଧିଆ ଖଣ୍ଡଖଣ୍ଡ କରି କାଟି ଗାଏବ କରି ଦିଆଯାଇଛି। ପ୍ରଥମେ ଷ୍ଟୁଚ୍ୟୁକୁ ରାତିଅଧିଆ ମରାମତି କରି ଛିଡ଼ା କରିବାକୁ ପ୍ରୟାସ ହୋଇଥିଲା। କିନ୍ତୁ ଉକ୍ତ ପ୍ରୟାସରେ ବିଫଳ ହେବା ପରେ ଏବେ ରାତାରାତି ବିଶାଳ ହକି ଖେଳାଳି ପ୍ରତିକୃତିକୁ ଗାଏବ କରି ଦିଆଯାଇଛି। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିବାବେଳେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କଲେ ବି ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଧରାଛୁଆଁ ଦେଉ ନାହାନ୍ତି।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଗେଟ୍‌ ନମ୍ବର-୨କୁ ଯିବା ରାସ୍ତାରେ ପ୍ରାୟ ଅଧା ଏକର ଜମିରେ ସ୍କ୍ରାପ୍‌ ଲୁହାରେ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳ ଷ୍ଟାଚ୍ୟୁ ସମେତ ପାର୍କ ନିର୍ମାଣ କରାଯାଇଥିଲା। ଷ୍ଟାଚ୍ୟୁ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ବିକଶିତ ପାର୍କ ପାଇଁ ପ୍ରାୟ ୫୦ ଲକ୍ଷକୁ ମିଶାଇ ଏହି ପ୍ରକଳ୍ପ ପାଇଁ  ୮୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଥିଲା। ଜୁନ ୧୧ ତାରିଖ ଦିନ ପ୍ରାୟ ୧.୧୫ ମିନିଟ୍‌ରେ ସାମାନ୍ୟ ପବନରେ ଏହି ଷ୍ଟାଚ୍ୟୁ ଟଳି ପଡ଼ିଥିଲା। ରେକର୍ଡ ସମୟରେ ହକି ଭିତ୍ତିଭୂମି ଓ ସୌନ୍ଦର୍ଯୀକରଣ ପାଇଁ ବାହାବା ନେଉଥିବା ପ୍ରଶାସନର ମୁହଁ କଳା ପଡ଼ି ଯାଇଥିଲା। ଦୋଷ ଘୋଡ଼ାଇବାକୁ ଯାଇ ଷ୍ଟାଚ୍ୟୁ ଭାଙ୍ଗିବାର ମାତ୍ର କିଛି ସମୟପରେ ସଂପୂର୍ଣ୍ଣ ପାର୍କକୁ ଘୋଡ଼ାଇ ଦିଆ ଯାଇଥିଲା। ତା’ ପରଦିନ ଆର୍‌ଏମ୍‌ସି ପକ୍ଷରୁ ସ୍ଥାନୀୟ ଛେଣ୍ଡ୍ ଥାନାରେ କେହି ଦୁର୍ବୃତ୍ତ ଷ୍ଟାଚ୍ୟୁର ଗୋଡ଼କୁ କାଟି ଦେଇଥିବା ନେଇ ଏତଲା ଦିଆଯାଇଥିଲା। ଏହାପରେ ରାତିଅଧିଆ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ମରାମତି କରିବାରେ ଅସଫଳ ହେବାରୁ ଷ୍ଟାଚ୍ୟୁଟି ସେଠାରେ ହିଁ ପଡ଼ିରହିଥିଲା। ଇତି ମଧ୍ୟରେ ଏତଲାକୁ ୭୦ ଦିନରୁ ଅଧିକ ହେଲାଣି। କିନ୍ତୁ ତଦନ୍ତରୁ କିଛି ମିଳିଲା ନାହିଁ। ଦୁର୍ବୃତ୍ତ ଷ୍ଟାଚ୍ୟୁକୁ କାଟି ଦେବା କଥାକୁ ସହରବାସୀ ସହଜରେ ଗ୍ରହଣ କରିପାରି ନଥିଲେ। ଏମିତିକି କଂଗ୍ରେସ ପକ୍ଷରୁ ଭିଜିଲାନ୍ସରେ ଏତଲା ଦିଆଯାଇଥିବାବେଳେ ବିଜେପି ଉପଯୁକ୍ତ ତଦନ୍ତ ଦାବି କରିଥିଲା।

ବେଶ୍‌ କିଛି ଦିନ ଧରି ଘଟଣା ଚର୍ଚ୍ଚାର ପରିସର ଭିତରେ ଥିବାରୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଚୁପ୍‌ ବସିଥିଲେ। ତେବେ ମାମଲା ସାମାନ୍ୟ ଶାନ୍ତ ପଡ଼ିବାରୁ ଏଠାରେ ପୁନରୁଦ୍ଧାର ଯୋଜନା ଆରମ୍ଭ ହୋଇଯାଇଥିଲା। ଆର୍‌ଏମ୍‌ସି ପକ୍ଷରୁ ବିଳମ୍ବିତ ରାତିରେ ମୂର୍ତ୍ତି ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଥିଲା। ଏମିତିକି ମୂର୍ତ୍ତିକୁ ଖଣ୍ଡବିଖଣ୍ଡିତ କରି ସ୍ଥାନାନ୍ତର କରିବାକୁ ଗତ ୧୯ ତାରିଖରେ ଏକ କ୍ରେନ୍‌ ପାର୍କରେ ପଶିଥିଲା। କିନ୍ତୁ ଓଜନ ଯୋଗୁଁ ପାର୍କ ଭିତରେ ଥିବା ପେଭର୍‌ ବ୍ଲକ ସବୁ ଭାଙ୍ଗିଯିବାରୁ କ୍ରେନ୍‌ ଆଉ ଆଗକୁ ବଢ଼ିପାରି ନଥିଲା। ତେବେ ତା’ ପରଦିନ, ଅର୍ଥାତ୍‌ ଅଗଷ୍ଟ ୨୦ ରାତିରେ ମୂର୍ତ୍ତିକୁ ବହୁ ଖଣ୍ଡକରି କାଟି ବାଗୁଡ଼ିବସ୍ତି ଷ୍ଟକୟାର୍ଟକୁ ବୋହି ନିଆ ଯାଇଥିଲା। ସେଠାରେ କଡ଼ା ସୁରକ୍ଷା ମଧ୍ୟରେ ଏହି ଷ୍ଟାଚ୍ୟୁର ଅଂଶ ଗୁଡ଼ିକୁ ରଖା ଯାଇଛି। ସମସ୍ତ ପ୍ରକ୍ରିୟା ଅତି ଗୋପନୀୟ ଭାବେ ରାତିଅଧିଆ କରାଯାଇଥିବାରୁ କର୍ତ୍ତୃପକ୍ଷଙ୍କ ଅସଲ ଉଦ୍ଦେଶ୍ୟ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।