ଅପରାଧ ରାଜ୍ୟ

ଗଞ୍ଜାମକୁ ଗ୍ରାସିଛି ଗୁଣିଗାରେଡ଼ି ବିଷ: ଆଇନ ହାତକୁ ନେଉଛନ୍ତି, ନିରୀହ ଜୀବନ ଯାଉଛି

ବ୍ରହ୍ମପୁର: ଗୁଣିଗାରେଡ଼ି ଭଳି ଏକ ଅନ୍ଧବିଶ୍ବାସର ବିଷ ଏବେ ମଧ୍ୟ ଆମ ସମାଜକୁ ଗ୍ରାସିଛି। ଏଭଳି କୁ-ପ୍ରଥାରେ ପଡ଼ି ବିପଥଗାମୀ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳବାସୀ। ଗୁଣିଗାରେଡ଼ିକୁ ନେଇ ଜିଲ୍ଲାରେ ବିଗତ ବର୍ଷରେ ବହୁ ଜଘନ୍ୟ କାଣ୍ଡ ଘଟିଛି। ଏଭଳି କୁପ୍ରଥାକୁ ମୂଳପୋଛ କରିବା ନିମନ୍ତେ ଗୁଣିଗାରେଡ଼ି ନିବାରଣ ଆଇନ-୨୦୧୩ ପ୍ରଣୟନ କରାଯାଇଥିଲା। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗକୁ ନିର୍ଦ୍ଦେଶନାମା ରହିଛି। ତଥାପି ଗୁଣିଗାରେଡ଼ି ଜନିତ ହିଂସାକାଣ୍ଡ ବନ୍ଦ ହେଉ ନାହିଁ। ପରିସ୍ଥିତି ଏମିତି ହୋଇଛି ଯେ, ଶେଷରେ ଗ୍ରାମବାସୀ ଗୁଣିଆ ଧରିବା ପାଇଁ ଖଟବିଦ୍ୟା ପ୍ରୟୋଗ କରିବାକୁ ପୁଲିସକୁ ନିବେଦନ କରିଛନ୍ତି। ଆସିକାର କୋଟିନଡ଼ା ଗ୍ରାମରେ ଗତକାଲି ଦେଖିବାକୁ ମିଳିଛି ଏଭଳି ଘଟଣା।

ଏହା ଉଭୟ ପୁଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି। ଗୁଣିଆ ଓ ଗୁଣିଗାରେଡ଼ି ଭଳି କଥାରେ ବିଶ୍ବାସ ନକରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସଚେତନ କରାଯାଉଛି। ତଥାପି ଲୋକଙ୍କ ମନରୁ ଗୁଣିଆ ଭୟ ଯାଉ ନାହିଁ। ଲୋକଙ୍କ ମନରୁ ଏହି ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ତତ୍କାଳୀନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଅଭିନବ ପୁରସ୍କାର ଯୋଜନା ଘୋଷଣା କରିଥିଲେ। ଯିଏ ଗୁଣିଗାରେଡ଼ିକୁ ପ୍ରମାଣିତ କରି ଦେଖାଇବ ତାଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ତଥାପି ଏହା ଲୋକଙ୍କୁ ସଚେତନ କରିପାରୁ ନଥିବା ଦେଖିବାକୁ ମିଳୁଛି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ପଞ୍ଚାୟତ ପୀତାମ୍ବରପୁର ଗ୍ରାମରେ ଗତ ଫେବ୍ରୁଆରି ୧୭ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ବଙ୍ଗାଳୀ ସେଠୀ ନାମକ ଜଣେ ବୃଦ୍ଧ ବୈଦ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୃତ ବଙ୍ଗାଳୀ ୧୫ ବର୍ଷ ଧରି ଗ୍ରାମରେ ନିଦ୍ରାବତୀ ଠାକୁରାଣୀ ପୂଜା ସହ ଝଡ଼ାଫୁଙ୍କା କରି ଆୟୁର୍ବେଦ ଔଷଧ ଦେଇ ଆସୁଥିଲେ। ସେହିପରି ୨୦୨୨ ଅକ୍ଟୋବର ମାସରେ କବିସୂର୍ଯ୍ୟନଗର ଥାନା ମଧୁରଝୋଳ ଗ୍ରାମରେ ଗୁଣିଗାରେଡ଼ିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିଲା। ଗାଁରେ କିଛି ଦିନ ମଧ୍ୟରେ ୪/୫ଜଣ ପିଲାଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା ପରେ ଗୁଣିଆ ସନ୍ଦେହରେ ଗ୍ରାମବାସୀ ୩ଟି ପରିବାର ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ। ଏହି ଘଟଣାରେ ପୁଲିସ ୩୩ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ସେହିପରି ୨୦୨୧ ଜୁନ୍‌ ମାସରେ ଚମାଖଣ୍ଡି ଥାନା ଅନ୍ତର୍ଗତ ରାମିୟାପଲ୍ଲୀ ଗ୍ରାମରେ ଗୁଣିଆ ସନ୍ଦେହରେ ଏନ୍‌. ଭେଙ୍କଟ ରମଣାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ିକୁ ନେଇ ଏଭଳି ବହୁ ଘଟଣା ଘଟିଛି। ଏପରିକି ଗୁଣିଆ ସନ୍ଦେହରେ ଲୋକଙ୍କ ଦାନ୍ତ ଭାଙ୍ଗି ମଳ ଖୁଆଇବା ଘଟଣା ମଧ୍ୟ ବିଗତ ଦିନରେ ଘଟି ସାରିଛି। ଯେତେ ଯାହା ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକେ ଗୁଣିଆ ଭୟରୁ ବର୍ତ୍ତିପାରୁ ନାହାନ୍ତି। ଗତକାଲିର ଘଟଣା ପରେ ପୁଲିସ ପାଇଁ ପରୋକ୍ଷରେ ବିପଦ ସୃଷ୍ଟି ହୋଇଛି। ଖଟବିଦ୍ୟା ପାଇଁ ଅନୁମତି ନମିଳିବାରୁ ଗ୍ରାମବାସୀ ଏକଜୁଟ୍‌ ହୋଇ ଯଦି କିଛି କାଣ୍ଡ ଘଟାଇଥାନ୍ତେ ତେବେ ଏଥିପାଇଁ କାହାକୁ ଦାୟୀ କରାଯାଇଥାନ୍ତା। ଏଣୁ ଗୁଣିଗାରେଡ଼ିକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।