ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ୨୪ଘଣ୍ଟା ବନ୍ୟା ପ୍ରକୋପ: ମହାନଦୀ ଫୁଲିଲା, ୫ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ବର: ମହାନଦୀ ତଳମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ୫ଟି ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ସନ୍ଧ୍ୟାରେ ରିପୋର୍ଟ ଲେଖା ହେବା ବେଳକୁ ମହାନଦୀର ଖଇରମାଳ ଠାରେ ୪.୭୨ଲକ୍ଷ କ୍ୟୁସେକ୍ ଏବଂ ବରମୂଳରେ ୭.୮୬ଲକ୍ଷ କ୍ୟୁସେକ୍ ଓ ମୁଣ୍ଡଳିରେ ୯ଲକ୍ଷ ୧୮ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଖଇରମାଳ ଓ ବରମୂଳ ଠାରେ ପାଣି କମୁଛି ଏବଂ ମୁଣ୍ଡଳିରେ ଜଳ ପ୍ରବାହ ସ୍ଥିର ଅଛି। ତେଣୁ ଆସନ୍ତା ୨୪ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ାର ବିଭିନ୍ନ ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ଆଜି ଜଳସଂପଦ ବିଭାଗ ସତର୍କ କରାଇଛି।

ଅନ୍ୟପକ୍ଷରେ ବୈତରଣୀ ଓ ବ୍ରାହ୍ମଣୀରେ ଏବେ ପାଣି ବିପଦସଂକେତ ପାଖାପାଖି ଥିଲେ ବି ପାଣି କମୁଥିବାରୁ ଅଧିକ ବିପଦ ନାହିଁ। ଆଖୁଆପଦା ଠାରେ
ବୈତରଣୀ ନଦୀର ବିପଦସଂକେତ ୧୭.୮୩ମିଟର ଥିବାବେଳେ ଏବେ ଏଠାରେ ୧୯.୪୪ମିଟରରେ ବନ୍ୟା ପାଣି ପ୍ରବାହ କରୁଛି। ଆନନ୍ଦପୁରରେ ବି ‌ବୈତରଣୀ ଖସୁଛି। ଜେନାପୁରରେ ବ୍ରାହ୍ମଣୀର ବିପଦ ସଂକେତ ୨୩ମିଟର ଥିବାବେଳେ ଏବେ ଏଠାରେ ୨୨.୨୦ମିଟର ଅଛି। ବାଲେଶ୍ବରର ମଥାନିଠାରେ ଜଳକା ନଦୀ ବିପଦସଂକେତ ଉପରେ ବହୁଥିଲେ ବି ଏଠାରେ ଜଳ ସ୍ତର କମୁଛି। ହେଲେ ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ପାଣି ମାଡ଼ିଥିବାରୁ ଏହା ଉପରେ ନଜର ରଖିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୭ଟି ଜିଲ୍ଲାରେ ବନ୍ୟା ସ୍ଥିତି ଥିବାରୁ ଜିଲ୍ଲାପାଳମାନେ ତଳିଆ ଅଞ୍ଚଳରୁ ‌ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ସହ ରିଲିଫ ସାମଗ୍ରୀ ଯୋଗାଇବାକୁ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି ଯେ ଏବେ ମହାନଦୀର ମୁଣ୍ଡଳିଠାରେ ସର୍ବାଧିକ ଜଳ ପ୍ରବାହିତ ହେଉଛି। ଅପରାହ୍ନ ୫ଟାରୁ ଏହା ସ୍ଥିର ରହିଛି। ଶୁକ୍ରବାର ଜଳପ୍ରବାହ କମିବ। ହେଲେ ଶୁକ୍ରବାର ଅପରାହ୍ନରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀର ତଳିଆ ଅଞ୍ଚଳରେ ପାଣି ପହଞ୍ଚିବ। ତେଣୁ ଆସନ୍ତା ୨୪ଘଣ୍ଟା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ।

ମହାନଦୀ ଫୁଲିଲା, ୫ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା
ବୈତରଣୀ ଓ ବ୍ରାହ୍ମଣୀରେ ଜଳସ୍ତର କମୁଛି
୭ଜିଲ୍ଲାରେ ବନ୍ୟା ଭୟ କମିନି, ୧୫ଜିଲ୍ଲାର ୭୬୨ ଗାଁ ପ୍ରଭାବିତ
ବର୍ଷା ଓ ବନ୍ୟାରେ ୧.୨୦ଲକ୍ଷ ଲୋକ ପ୍ରଭାବିତ
ପାଣି ଛାଡ଼ିବା କ୍ଷଣି କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ

ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ ରାଜ୍ୟର ବନ୍ୟା ସ୍ଥିତି ଓ ଲଗାଣ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା କରିବା ପରେ କହିଛନ୍ତି ଯେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର ୧୫ଟି ଜିଲ୍ଲାରେ କ୍ଷୟକ୍ଷତି ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ୧୫ଟି ଜିଲ୍ଲାର ୯୦ଟି ବ୍ଲକର ୭୬୨ଗାଁ ପ୍ରଭାବିତ ହୋଇଛି। ଏହାସହ ୧୭ଟି ସହରାଞ୍ଚଳରେ ୬୬ଟି ୱାର୍ଡ ଅନ୍ତର୍ଗତ ୧ଲକ୍ଷ ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏବେ ସୁଦ୍ଧା ୬୮୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଓ ପିଇବା ପାଣି ଯୋଗାଇ ଦିଆଯାଉଛି। ଏବେ ୭ଟି ଜିଲ୍ଲା ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ବହୁ ଅଞ୍ଚଳ ଜଳାର୍ଣ୍ଣବ ଥିବାବେଳେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆଉ କିଛି ଅଞ୍ଚଳରେ ପାଣି ମାଡ଼ିବ। ତେଣୁ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପାଣି ଛାଡ଼ିବା କ୍ଷଣି ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି।

ସେହିପରି ବନ୍ୟା ସ୍ଥିତିକୁ ନଜରରେ ରଖି ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ୭ଟି ଜିଲ୍ଲାରେ ୨୩ଟି ଏନ୍‌ଡିଆରଏଫ୍‌ ଟିମ୍, ୮ଟି ଓଡ୍ରାଫ୍ ଟିମ୍ ଏବଂ ୬୨ଟି ଅଗ୍ନିଶମ ସେବା ଟିମ୍ ମୁତୟନ କରାଯାଇଛି। ସେମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ। ଏହାସହ ବନ୍ୟା ସ୍ଥିତିରେ ତୀକ୍ଷ୍‌ଣ ନଜର ରଖିବାକୁ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି। ଇଞ୍ଜିନିୟର ଚିନ୍ମୟ ରଞ୍ଜନ ରାଉତଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେ ଭାର୍ଗବୀ ଓ ଦୟା ନଦୀର ବନ୍ୟା ସ୍ଥିତି ଉପରେ ନଜର ରଖିବେ। ଆର୍ତ୍ତତ୍ରାଣ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେ ଲୁଣା ଓ କରାଣ୍ଡିଆ ନଦୀର ବନ୍ୟା ସ୍ଥିତି ଉପରେ ନଜର ରଖିବେ। ବିଘ୍ନରାଜ ପୁରୋହିତ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାସ୍ଥିତି ଉପରେ ନଜର ରଖିବେ। ପ୍ରତୀକ ଦୀକ୍ଷିତଙ୍କୁ କଟକରେ ମହାନଦୀ ବ୍ୟାରେଜ, ଶକ୍ତି ପ୍ରସାଦ ଦାଶଙ୍କୁ ନୃତ୍ତାଙ୍ଗ ଅଞ୍ଚଳ, ହିମାଂଶୁ କୁମାର ଜେନାଙ୍କୁ ପୁରୀ ଜିଲ୍ଲାର ବଳଙ୍ଗା ଅଞ୍ଚଳ, ଏନ୍‌ଏସ୍‌କେ ଚୌଧୁରୀଙ୍କୁ ରାଜୁଆ ନଦୀ, ତନୁଜ କିଶୋର ରାଉତଙ୍କୁ ସାକ୍ଷୀଗୋପାଳ ଅଞ୍ଚଳରେ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ସେମାନେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।