ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଣ୍ଡକୁ ଘାରିଛି ବାହାନଗା ଭୂତ! ଫାଟକ ପାଖ​ରୁ ଦୁର୍ଘଟଣାସ୍ଥଳ ଦେଖିବା ବେଳେ ଅଘଟଣ

ବାଲେଶ୍ବର ( ରୁଦ୍ରରଂଜନ ଶେଜପଡ଼ା): ବାହାନଗା ଟ୍ରେନ୍‌-ଟ୍ରାଜେଡିର ଭୟଙ୍କର ଚିତ୍ର ଏବେ ବି ଲୋକଙ୍କ ମନରୁ ଯାଇନି। ଟ୍ରେନ୍‌ରେ ଯାତାୟାତ କରୁଥିବା ଯାତ୍ରୀମାନେ ବାହାନଗା ଷ୍ଟେସନ୍‌ ଆସିବା ମାତ୍ରେ ଦୁର୍ଘଟଣାସ୍ଥଳ ଦେଖିବା ପାଇଁ ଅହେତୁକ ଉତ୍କଣ୍ଠା ପ୍ରକାଶ କରୁଛନ୍ତି। କିଏ ଟ୍ରେନ୍‌ କବାଟ ପାଖରେ ଛିଡ଼ା ହୋଇ ମୋବାଇଲ୍‌ରେ ଦୁର୍ଘଟଣାଗ୍ରସ୍ତ ବଗି ଓ ଷ୍ଟେସନ୍‌ର ଫଟୋ, ଭିଡିଓ ଉତ୍ତୋଳନ କରୁଛନ୍ତି ତ ଆଉ କିଏ ଝରକାରୁ ହାତ ଗଳେଇ ସେଲ୍‌ଫି ନେବାର ଦୁଃସାହସ କରୁଛନ୍ତି। ତେବେ ଜାଣତରେ ହେଉ ବା ଅସାବଧାନତାରୁ, ଦୁର୍ଘଟଣାଗ୍ରସ୍ତ କରମଣ୍ଡଳକୁ ଦେଖିବା ପାଇଁ ଏହାରି ମଧ୍ୟରେ ଚଳନ୍ତା ଟ୍ରେନ୍‌ରେ ଏକାଧିକ ଅଘଟଣ ଘଟି ୫ ଜଣଙ୍କର ମୁଣ୍ଡ ଗଡ଼ିସାରିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇସାରିଲେଣି।

ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଗତ ଜୁନ୍‌ ୨ ତାରିଖ ଦିନ ଛାତିଥରା ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା। ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର ଓ ରେଳଲାଇନ୍‌ ମରାମତି କାମ ହୋଇଥିବା ବେଳେ ଅଢ଼େଇ ଦିନ ପରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗଡ଼ିଲା। ସେହିପରି ଅପ୍‌ ଓ ଡାଉନ୍‌ ରୁଟ୍‌ରେ ଜୁନ୍‌ ୨୨ତରିଖଠାରୁ ଏକ୍ସପ୍ରେସ୍‌ ଟ୍ରେନ୍‌ ସେବା ଏବଂ ଜୁନ୍‌ ୨୭ ତାରିଖରୁ ପାସେଞ୍ଜର ଟ୍ରେନ୍‌ ସେବା ସ୍ବାଭାବିକ ହୋଇଥିଲା। ଟ୍ରେନ୍‌ ସେବା ସିନା ସ୍ବାଭାବିକ ହୋଇଗଲା, ହେଲେ ଗୋଟିଏ ପରେ ଗୋଟିଏ ଅସ୍ବାଭାବିକ ଘଟଣା ଘଟିବାକୁ ଲାଗିଲା। ଜୁଲାଇ ୩୦ରେ ବାହାନଗା ବ୍ଲକ୍‌ ଦାଣ୍ଡହରିପୁର ପଞ୍ଚାୟତ ପିତଳପଦା ଗ୍ରାମର ଜଣେ ନାବାଳକ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହ ଦାଣ୍ଡହରିପୁର ରେଳ ଫାଟକ ନିକଟରେ ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ପଥର ମାଡ଼ କରିଥିଲେ। ଜିଆର୍‌ପି ପୁଲିସ ସଂପୃକ୍ତ ନାବାଳକଙ୍କୁ ଅଟକ ରଖିଥିବା ବେଳେ ସହଯୋଗୀମାନଙ୍କୁ ଖୋଜାଖୋଜି କରୁଛି। ତେବେ ଏପରି କାଣ୍ଡ ନାବାଳକଙ୍କ ବାଚାଳାମି ନା ଦୁର୍ଘଟଣା ପରେ ରେଳ ବିଭାଗ ପ୍ରତି ଥିବା ଆକ୍ରୋଶ, ତାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ଜାତୀୟ ସଂପତ୍ତି ନଷ୍ଟ କରିବାର ଭୂତ ସେମାନଙ୍କ ମୁଣ୍ଡରେ କେମିତି ପଶିଲା, ସେ ନେଇ ମଧ୍ୟ ଆଲୋଚନା ଚାଲିଛି।

ଅନ୍ୟପଟେ ଟ୍ରେନ୍‌ ସେବା ସ୍ବାଭାବିକ ହେବାର ଦେଢ଼ ମାସ ମଧ୍ୟରେ ଦୁର୍ଘଟଣାସ୍ଥଳଠାରୁ ରେଳଲାଇନ୍‌ର ଉଭୟ ପାର୍ଶ୍ବର ୧୫ କି.ମି ମଧ୍ୟରେ ଅସ୍ବାଭାବିକ ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ଏଯାଏ ଟ୍ରେନ୍‌ରୁ ଖସି ପଡ଼ି ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହେଲେଣି। କୁହାଯାଉଛି, ଅଧିକାଂଶ ଘଟଣା ଟ୍ରେନ୍‌ ଫାଟକ ପାଖରେ ଛିଡ଼ା ହୋଇ ଦୁର୍ଘଟଣାସ୍ଥଳ ଏବଂ ପଡ଼ିଥିବା ଭଙ୍ଗାରୁଜା ବଗି ଦେଖିବା ସହ ମୋବାଇଲ୍‌ରେ ଫଟୋ ଉତ୍ତୋଳନ ପାଇଁ ଉଦ୍ୟମ କରୁଥିବା ବେଳେ ଘଟିଛି। ଯାତ୍ରୀମାନେ ଅସାବଧାନତା ଯୋଗୁଁ ଟ୍ରେନ୍‌ରୁ ଖସି ପଡ଼ୁଛନ୍ତି। ଟ୍ରେନ୍‌ଯାତ୍ରୀଙ୍କ ମୁଣ୍ଡରୁ ବାହାନଗା ଭୂତ ବାହାର କରିବା ପାଇଁ ରେଳ ବିଭାଗକୁ ଗୁଣିଆ ସାଜିବାକୁ ହେବ। ଅର୍ଥାତ୍‌ ସୁରକ୍ଷିତ ଯାତ୍ରା ନେଇ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। ଟ୍ରେନ୍‌ ଫାଟକ ନିକଟକୁ ଆସି ଦୁର୍ଘଟଣାସ୍ଥଳ ସହ ପଡ଼ି ରହିଥିବା ବଗି ନଦେଖିବା ଏବଂ ଫଟୋ ନଉଠାଇବା ପାଇଁ ସତର୍କ କରିବାକୁ ହେବ ବୋଲି ସ୍ଥାନୀୟ ଜନସାଧାରଣ ମତ ରଖିଛନ୍ତି। ଏ ନେଇ ଦକ୍ଷିଣ-ପୂର୍ବ ରେଳବାଇ ମୁଖ୍ୟ ଲୋକସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ରେଳବାଇ ପୁଲିସ ସହ ଆଲୋଚନା କରି ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।