ରାଜ୍ୟ

ସେ ଥିଲେ ଆଲୋକିତ ସନ୍ଧ୍ୟା

ଶ୍ରାବଣର ସେହି ରବିବାସରୀୟ ପୂର୍ବାହ୍ନରେ (ଜୁଲାଇ ୨୩ ତାରିଖ) ଅଧ୍ୟାପିକା ସନ୍ଧ୍ୟା ପଟ୍ଟନାୟକ ବିଦାୟ ନେଲାବେଳକୁ ଆକାଶରୁ ତୁହାଇ ତୁହାଇ ମେଘ ଝରୁଥିଲା। ବିଦାୟ ନେଲା ବେଳେ ତାଙ୍କ ପାଖରେ ଦୁଇ ପୁଅ ଧର୍ମାଦିତ୍ୟ ଓ ସାନପୁଅ ଦିବ୍ୟାଲୋକଙ୍କ ସହ ପଟ୍ଟନାୟକ ପରିବାରର ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ। ସନ୍ଧ୍ୟା ପଟ୍ଟନାୟକ ଏହି ପରିବାରର ବଡ଼ବୋହୂ ଥିଲେ ଏବଂ ସ୍ୱାମୀ ଶ୍ରୀ ଚିତ୍ତରଂଜନ ପଟ୍ଟନାୟକଙ୍କ ପରଲୋକ ପରେ ଗତ ସାତବର୍ଷ ଧରି ତାଙ୍କ ପରିବାରର ସବୁ ଭଲମନ୍ଦ କାର୍ଯ୍ୟର ନିମନ୍ତ୍ରଣ ସନ୍ଧ୍ୟା ପଟ୍ଟନାୟକଙ୍କ ନାମରେ ଛପାଯାଉଥିଲା। ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ଯଥା ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, “ସମ୍ବାଦ’ ସଂପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ବିଶିଷ୍ଟ ଶିଳ୍ପପତି ଶ୍ରୀ ଦୀପ୍ତିରଂଜନ ପଟ୍ଟନାୟକ, ଶ୍ରୀ ତାରାରଂଜନ ପଟ୍ଟନାୟକ ପ୍ରମୁଖ ସୁଖ୍ୟାତ ପଟ୍ଟନାୟକ ପରିବାରର ଜଣେ ଜଣେ ସଦସ୍ୟ ଥିଲେ ମଧ୍ୟ ସଂସ୍କାର ଦୃଷ୍ଟିରୁ ପରିବାରର ବଡ଼ବୋହୂ ଅଧ୍ୟାପିକା ପଟ୍ଟନାୟକଙ୍କ ନାମରେ ଏସବୁ ଆମନ୍ତ୍ରଣ ବଣ୍ଟା ଯାଉଥିଲା। ଏବେ ତାହାର ପରିବର୍ତ୍ତନ ହେବ। ସମୟ ମୋଡ଼ ବୁଲେଇବ।

‘ସମ୍ବାଦ’ ପ୍ରକାଶନ ବେଳକୁ ସେ ଅଧ୍ୟାପିକା ଥିଲେ, ସମ୍ଭବତଃ ରମାଦେବୀ ମହିଳା ମହାବିଦ୍ୟାଳୟରେ। ସେହି ମହାବିଦ୍ୟାଳୟରୁ ସେ ଅବସର ଗ୍ରହଣ କରିଥିଲେ। ସ୍ୱାମୀ ଶ୍ରୀ ଚିତ୍ତରଂଜନ ପଟ୍ଟନାୟକ ଷ୍ଟୀଲ୍ ଅଥରିଟି ଅଫ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ। ଅଧ୍ୟାପିକା ପଟ୍ଟନାୟକଙ୍କ ସହ ପ୍ରଥମ ସାକ୍ଷାତରେ ସେ ‘ସମ୍ବାଦ’ର ସାହିତ୍ୟ ପୃଷ୍ଠା ସଂପର୍କରେ କିଛି କହିଥିଲେ। ଏହା ପରେ ପରେ ପରିଚୟ ବଢ଼ିଲା। ସେ ଖୁବ୍ ପଢ଼ାପଢ଼ି କରୁଥିଲେ। ବିଶେଷତଃ ମନୋଜ ଦାସଙ୍କର ସେ ମୁଗ୍ଧ ପାଠିକା ଥିଲେ।

ଅଧ୍ୟାପିକା ସନ୍ଧ୍ୟା ପଟ୍ଟନାୟକଙ୍କ ପିତା ଥିଲେ ପ୍ରଶାସକ ଜଗନ୍ନାଥ ଦାସ ଏବଂ ମାଆଙ୍କ ନାମ ହେମାମାଳୀ ଦାସ। ତାଙ୍କର ପିତା ୧୯୬୬ରେ ଉପଶାସନ ସଚିବ ଭାବେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ। ସେ ବ୍ରିଟିଶ ଶାସନ ଅମଳର ପ୍ରଶାସକ। ବିହାର-ଓଡ଼ିଶା ସେକ୍ରେଟାରିଆଟ୍ ସର୍ଭିସ୍‌ର ସଦସ୍ୟ ଜଗନ୍ନାଥ ଦାସ ବିଭିନ୍ନ ସମୟରେ ପୂର୍ତ୍ତ, ଗୋଷ୍ଠୀ ଉନ୍ନୟନ, ସ୍ୱାସ୍ଥ୍ୟ ଏବଂ ସମବାୟ ବିଭାଗର କାର୍ଯ୍ୟ କରିଥିଲେ। ମୋର ଯେତେଦୂର ମନେପଡୁଛି ସେ ତାଙ୍କର ଜୀବନସ୍ମୃତି ମଧ୍ୟ ପ୍ରକାଶ କରିଥିଲେ। ସ୍ୱାମୀ ଚିତ୍ତରଂଜନ ପଟ୍ଟନାୟକଙ୍କ ପରଲୋକ ପରେ ସନ୍ଧ୍ୟା ପଟ୍ଟନାୟକ ନିଃସଙ୍ଗ ହୋଇପଡ଼ିଥିଲେ ମଧ୍ୟ ବାହାରକୁ ତାହା ପ୍ରକାଶ କରୁ ନ ଥିଲେ। ଯୋଉଠି ଦେଖାହେଲେ ପଚାରୁଥିଲେ, ‘ନୂଆ ବହି କଣ ବାହାରିଲା’? ସାନ ପୁତ୍ରବଧୂ ତଥା ‘ସମ୍ବାଦ’ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀମତୀ ମୋନିକାଙ୍କ ଜରିଆରେ ତାଙ୍କ ପସନ୍ଦର ବହି ସେ ମଗାଇ ନେଉଥିଲେ। ସାହିତ୍ୟ ପ୍ରତି ତାଙ୍କର ଆଗ୍ରହ ଶେଷ ପର୍ଯ୍ୟନ୍ତ ଅତୁଟ ଥିଲା। ଗତ ଚାରି ଦଶନ୍ଧି ମଧ୍ୟରେ ଅନେକବାର ତାଙ୍କ ସହିତ ଦେଖାହୋଇଛି। ପ୍ରତିଥର ଦେଖାହେଲେ ସେ ସେହି ପ୍ରଶ୍ନ ପଚାରନ୍ତି ଏହି ଲେଖକକୁ। ଆଉ ସେ ପ୍ରଶ୍ନ ଶୁଣିବାକୁ ମିଳିବ ନାହିଁ।

ପଟ୍ଟନାୟକ ପରିବାରର ୧୭ ବୋହୂଙ୍କ ମଧ୍ୟରେ ସନ୍ଧ୍ୟା ପଟ୍ଟନାୟକ ବଡ଼ ଥିଲେ। ସମସ୍ତଙ୍କ କଥା ତ କହି ପାରିବି ନାହିଁ; ମାତ୍ର ମୁଁ ଜାଣିଥିବା ସନ୍ଧ୍ୟା ପଟ୍ଟନାୟକଙ୍କ ଯାଆମାନେ ତାଙ୍କୁ ଖୁବ୍ ସମ୍ମାନ ଦେଉଥିଲେ ଓ ସମୀହ କରି କଥା କହୁଥିଲେ। ଅଧ୍ୟାପିକା ପଟ୍ଟନାୟକଙ୍କ ମାମୁ ଶିଳ୍ପପତି ବଂଶୀଧର ପଟ୍ଟନାୟକଙ୍କ ପରଲୋକ ପରେ ସେ ଏବଂ ତାଙ୍କର ଯାଆମାନେ ମିଶି ଗୋଟିଏ ଶ୍ରଦ୍ଧାଞ୍ଜଳି ଲେଖିଥିଲେ। ସେହି ସମୟରେ ପରିବାର ଭିତରେ ସନ୍ଧ୍ୟା ପଟ୍ଟନାୟକଙ୍କର ପ୍ରାଧାନ୍ୟ ଏହି ଲେଖକ ଅନୁଭବ କରିଥିଲା। ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାଗୁଡ଼ିକରେ ମଧ୍ୟ ଏହି ଧାରାର ପରିବର୍ତ୍ତନ ହୋଇ ନ ଥିଲା। ଷାଠିଏ ଦଶକରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା-ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ଅଧ୍ୟାପିକା ପଟ୍ଟନାୟକ ନିଜେ କାହିଁକି କିଛି ଲେଖାଲେଖି କଲେ ନାହିଁ ବୋଲି ପଚାରିଥିଲି। ସବୁଥର ମୋର ଏ ପ୍ରଶ୍ନର ଉତ୍ତର ସେ ହସି ହସି ଆଡ଼େଇ ଯାଉଥିଲେ। ତାଙ୍କ ଚେହେରାରେ ଗୋଟେ ଭିନ୍ନ ଧରଣର ଅଭିଜାତ ଏବଂ ମୁରବିପଣ ଥିଲା, ଯାହା ତାଙ୍କ ବ୍ୟକ୍ତିତ୍ୱର ଆଲୋକିତ ଦିଗକୁ ଉଦ୍‌ଭାସିତ କରୁଥିଲା। ବାସ୍ତବରେ ସେ ଥିଲେ ଏକ ଆଲୋକିତ ସନ୍ଧ୍ୟା।

-ଗୌରହରି ଦାସ

ମୋ: ୯୪୩୭୦୭୭୨୮୮

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।