ପୁରୀ: କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଯେବେଠୁ ଶ୍ରୀମନ୍ଦିର ପ୍ରତି ଆତଙ୍କବାଦୀ ଆକ୍ରମଣର ପ୍ରାକ୍ ସୂଚନା ଦେଲାଣି, ସେବେଠୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କାହିଁ କେତେଗୁଣା ବଢ଼ାଇ ଦିଆଯାଇଛି। ମାଳ ମାଳ ପୁଲିସ ଶ୍ରୀମନ୍ଦିର ଭିତରେ ଓ ବାହାରେ ଜଗୁଛନ୍ତି। ଚାରି ପ୍ରକାର ପୁଲିସ ଓ ଯବାନ ଶ୍ରୀମନ୍ଦିର ଭିତରେ ଓ ବାହାରେ ଜଗୁଛନ୍ତି। ତଥାପି ସୁରକ୍ଷିତ ହୋଇପାରିନି ଶ୍ରୀମନ୍ଦିର। କେତେବେଳେ ରୋଷଘର ଚୁଲି ଭଙ୍ଗାକୁ ନେଇ ତ କେତେବେଳେ ସିଂହଦ୍ବାର ଗୁମୁଟରୁ କିନ୍ନର ଡେଇଁ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଶ୍ରୀମନ୍ଦିର ସର୍ବଦା ଚର୍ଚ୍ଚାରେ ରହିଛି। ଶ୍ରୀମନ୍ଦିର ଗର୍ଭଗୃହ, ଭିତର ବେଢ଼ା ଫଟୋ, ଭିଡିଓ ଭାଇରାଲ୍ ତ ସାଧାରଣ ଘଟଣା ହୋଇଗଲାଣି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଦକ୍ଷିଣଦ୍ବାର ଗୁମୁଟ ପାଖରେ ଥିବା ଦାନ ବାକ୍ସରୁ ଟଙ୍କା ଚୋରି ସୁରକ୍ଷା ବ୍ୟବସ୍ଥାରେ ଥିବା ଘଳିଆକୁ ଧରା ପକାଇଦେଇଛି।
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପର ନଜର ପକାଇଲେ, ସାରା ଦେଶରେ ଶ୍ରୀମନ୍ଦିର ଏଭଳି ଏକ ମନ୍ଦିର ଯେଉଁଠି ସ୍ବତନ୍ତ୍ର ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ(ଜେଟିପି) ନିଯୁକ୍ତି ପାଇଛନ୍ତି। ଏହାବାଦ୍ ଓଡ଼ିଶା ପୁଲିସ, ଆର୍ଆର୍ବି, ଓଏସ୍ଏପି ବି ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ଦାୟିତ୍ବରେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ତଥା ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବେ ସିଂହଦ୍ବାର ଥାନା ସ୍ଥାପନ କରାଯାଇଛି। ଏହି ଥାନା ଏସିଆର ବଡ଼ ଥାନାର ବି ପରିଚୟ ପାଇଛି।
ଏହି ଚାରି ପ୍ରକାର ସୁରକ୍ଷା ବ୍ୟବସ୍ଥାର ବିଭାଗୀକରଣ ଓ ଦାୟିତ୍ବ ବଣ୍ଟନ କଥା ଦେଖିଲେ, ଶ୍ରୀଜଗନ୍ନାଥ ମନ୍ଦିର ପୁଲିସଙ୍କୁ ନିର୍ଦ୍ଦେଶ ଓ ଦାୟିତ୍ବ ବଣ୍ଟନ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବେ ଜଣେ ସୁରକ୍ଷା ପ୍ରଶାସକଙ୍କୁ ନିଯୁକ୍ତି ଦିଆଯାଇଛି। ଏଏସ୍ପି ରୢାଙ୍କ୍ର ଅଧିକାରୀ ଏଥିରେ ନିଯୁକ୍ତି ପାଉଛନ୍ତି। ଆଇନ ବିଭାଗ ଏହି ନିଯୁକ୍ତି ଦେଉଛି। ସୁରକ୍ଷା ପ୍ରଶାସକ ଜିଲ୍ଲା ପୁଲିସ ଅଧୀନରେ ନାହାନ୍ତି। ପୁରୀ ଏସ୍ପି ତାଙ୍କୁ କିଛି ନିର୍ଦ୍ଦେଶ ଦେଇପାରିବେନି। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଜେଟିପି(ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ)ଙ୍କୁ ଦାୟିତ୍ବ ବଣ୍ଟନ କରିଥାନ୍ତି। ଜେଟିପି ନୀତିକାନ୍ତି ଶୃଙ୍ଖଳା କଥା ବୁଝିବେ। ଅନୁପ୍ରବେଶ ରୋକିବା ପାଇଁ ଭକ୍ତ, ସେବାୟତଙ୍କୁ ଚିହ୍ନଟ କରିବେ। ଜେଟିପି ସକାଳ ୬ଟାରୁ ଅପରାହ୍ଣ ୨ଟା, ଅପରାହ୍ଣ ୨ଟାରୁ ରାତି ୧୦ଟା ଓ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ, ତିନିଟି ପର୍ଯ୍ୟାୟରେ ୮ ଘଣ୍ଟିଆ ଡ୍ୟୁଟି କରିଥାନ୍ତି। କିନ୍ତୁ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ପଦୋନ୍ନତି ପରେ ଏହି ପଦ ଏବେ ଖାଲି ପଡ଼ିଛି।
ବାକି ଓଏସ୍ଏପି, ଆଇଆରବି ଓ ଓଡ଼ିଶା ପୁଲିସଙ୍କ ଉଚ୍ଚପଦସ୍ଥ ଅଧିକାରୀ ହେଉଛନ୍ତି ପୁରୀ ଏସ୍ପି। ତାଙ୍କ ନିର୍ଦ୍ଦେଶରେ ଏମାନେ ଡ୍ୟୁଟି କରନ୍ତି। କେଉଁମାନେ କେତେବେଳେ ଡ୍ୟୁଟି କରିବେ, ତାର ଦାୟିତ୍ବ ବଣ୍ଟନ କରିବେ ଏସ୍ପି। ଓଏସ୍ଏପି, ଆଇଆର୍ବି ଓ ଓଡ଼ିଶା ପୁଲିସଙ୍କୁ ବିସକାଳ ୫ଟାରୁ ଅପରାହ୍ଣ ୧ଟା, ଅପରାହ୍ଣ ୧ଟାରୁ ରାତି ୯ଟା ଓ ରାତି ୯ଟାରୁ ସକାଳ ୫ଟା , ଏଭଳି ତିନିଟି ପର୍ଯ୍ୟାୟରେ ଡ୍ୟୁଟି ବଣ୍ଟନ କରାଯାଇଛି। କିନ୍ତୁ ଏସ୍ପିଙ୍କ ଆଦେଶ ଅନୁପାଳନ ପାଇଁ ଓଏସ୍ଏପିର ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଡ୍(ଡିଏସ୍ପି ରୢାଙ୍କ୍)ଙ୍କୁ ଶ୍ରୀମନ୍ଦିରେ ସ୍ବତନ୍ତ୍ର ନିଯୁକ୍ତି ମିଳିଛି। ଆସିଷ୍ଟାଣ୍ଡ୍ କମାଣ୍ଡାଣ୍ଡ୍ଙ୍କ ଆଦେଶ ଅନୁପାଳନ ପାଇଁ ଓଏସ୍ଏପିର ଦୁଇଜଣ ସୁବେଦାର କାମ କରୁଛନ୍ତି। ଏମାନେ ଡ୍ୟୁଟିରେ ରହୁଥିବା ଯବାନ ଓ ପୁଲିସଙ୍କ ଡ୍ୟୁଟି ଯାଞ୍ଚ କରିବେ। ଶ୍ରୀମନ୍ଦିର ସୁରକ୍ଷାର ସବୁଠୁ ଅଧିକ ଦାୟିତ୍ବ ଓଏସ୍ଏପି, ଆଇଆର୍ବି ଓ ଓଡ଼ିଶା ପୁଲିସଙ୍କ ଉପରେ ନ୍ୟସ୍ତ। କିନ୍ତୁ ଯେଉଁ ଆସିଷ୍ଟାଣ୍ଡ୍ କମାଣ୍ଡାଣ୍ଡ୍ ଓ ସୁବେଦାରମାନେ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ଭିତରୁ କିଏ ୮ ବର୍ଷ ତ କିଏ ୬ ବର୍ଷ ହେଲାଣି ରହିଲେଣି। ଗୋଟିଏ ସ୍ଥାନରେ ଅଧିକ ଦିନ ରହିବା ଫଳରେ ସେମାନଙ୍କର ଡ୍ୟୁଟି କରିବାକୁ ଆଗ୍ରହ ରହୁନଥିବା ବେଳେ ସେମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି। ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା ଠିକ୍ ଭାବେ ଅନୁପାଳନ ହୋଇପାରୁନି ବୋଲି ସେବାୟତ, ଭକ୍ତ ମହଲ ଅଭିଯୋଗ କଲେଣି।
ସିଂହଦ୍ବାର ଥାନା କଥା ଦେଖିଲେ, ଶ୍ରୀମନ୍ଦିର ବାହାରେ ଓ ଭିତରେ ଭକ୍ତଙ୍କ ସହ ଯାହା ବି ଅଘଟଣ ହେଉଛି, ତାହା ସିଂହଦ୍ବାର ଥାନାରେ ପହଞ୍ଚୁଛି। କିନ୍ତୁ ସିଂହଦ୍ବାର ଥାନାରେ ଅଧାରୁ ଅଧିକ ପଦ ଖାଲି ପଡ଼ିଛି। ଦୁଇଜଣ ଇନ୍ସପେକ୍ଟରଙ୍କ ବଦଳରେ ଜଣେ ଅଛନ୍ତି। ଅନ୍ୟ ଏକ ପଦବି ଖାଲି ପଡ଼ିଛି। ସେହିଭଳି ମଞ୍ଜୁର ହୋଇଥିବା ୨୩ଟି ଏସଆଇ ପଦବି ବଦଳରେ ଅଛନ୍ତି ମାତ୍ର ୭ଜଣ। ସେହିପରି ୨୨ ଏଏସଆଇରୁ ଅଛନ୍ତି ୧୩ଜଣ, ୬ ଜଣ ହାବିଲଦାର ପଦବିରୁ ଅଛନ୍ତି ଜଣେ, ମଞ୍ଜୁରପ୍ରାନ୍ତ ୭୮ଜଣ କନେଷ୍ଟବଳରୁ ଏବେ ୩୮ଜଣଓ ୪୦ ହୋମଗାର୍ଡ଼ରୁ ୩୪ଜଣ ନିୟୋଜିତ ହୋଇଛନ୍ତି। ସମୁଦାୟ ୧୭୧ ପଦବିରୁ ୭୭ଜଣ କାମ କରୁଛନ୍ତି। ଏଭଳି ସ୍ଥିତିରେ ଥାନା କେମିତି ଚାଲୁଥିବ ଓ ଶ୍ରୀମନ୍ଦିର ଯାତ୍ରୀଙ୍କ ସୁରକ୍ଷା କଥା କିଭଳି ବୁଝୁଥିବେ ତାହା ସହଜେ ଅନୁମେୟ।