ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜଳବାୟୁ ପରିବର୍ତ୍ତନର ଭୀଷଣ ରୂପ ‘ଗ୍ଲୋବାଲ ବଏଲିଂ’: ଜୀବାଶ୍ମ ଇନ୍ଧନ ବଢ଼ାଉଛି ଗ୍ରୀଷ୍ମଲହରି ପ୍ରକୋପ

ପ୍ୟାରିସ୍‌: ବିଶ୍ବରେ ପାରଦ ଉପରକୁ ଚଢ଼ିବାରେ ଲାଗିଛି। ପ୍ରତିଦିନ ଏବଂ ପ୍ରତିମାସରେ ବିଶ୍ବ ତାପମାତ୍ରା ନୂଆ ନୂଆ ରେକର୍ଡ କରୁଛି। ବିଶ୍ବ ତାପନ ବା ଗ୍ଲୋବାଲ ୱାର୍ମିଂର ଯୁଗ ଚାଲିଯାଇଛି। ଏବେ ଗ୍ଲୋବାଲ ବଏଲିଂର ଯୁଗ ଆସିଯାଇଛି। ଜୁଲାଇ ମାସ ବିଶ୍ବରେ ସବୁଠୁ ଉତ୍ତପ୍ତ ମାସ ହେବା ନେଇ ବୈଜ୍ଞାନିକମାନେ ଆକଳନ କରିବା ପରେ ବିଶ୍ବବ୍ୟାପୀ ପରିବେଶପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜୁଲାଇ ମାସର ତାପମାତ୍ରା ଏତେ ଅଧିକ ରହୁଛି ଯେ ମାସ ଶେଷ ନହେବା ପୂର୍ବରୁ ବୈଜ୍ଞାନିକମାନେ ଏହା ସବୁଠୁ ଉତ୍ତପ୍ତ ‌ମାସ ହେବା ନେଇ ପୂର୍ବାନୁମାନ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ମାସର ପ୍ରଥମ ୨୩ ଦିନର ହାରାହାରି ତାପମାତ୍ରା ୧୬.୯୫ ଡିଗ୍ରି ସେଲସିୟସ (୬୨.୫୧ ଫାରେନହିଟ୍‌) ରହିଥିବା ରେକର୍ଡ କରାଯାଇଛି। ୨୦୧୯ ଜୁଲାଇରେ ରେକର୍ଡ ହୋଇଥିବା ହାରାହାରି ତାପମାତ୍ରା ୧୬.୬୩ ଡିଗ୍ରି ( ୬୧.୯୩ ଫାରେନହିଟ୍‌) ତୁଳନାରେ ଏହା ଅଧିକ। ତାପମାତ୍ରା ବୃଦ୍ଧି ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାର କୋଟି କୋଟି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। କାନାଡ଼ା ଏବଂ ଦକ୍ଷିଣ ୟୁରୋପର କେତେକ ଅଞ୍ଚଳର ଜଙ୍ଗଲରେ ନିଆଁ ଏଥିଯୋଗୁଁ ବ୍ୟାପିଛି।

ଜାତିସଂଘ ମୁଖ୍ୟ ଏଣ୍ଟୋନିଓ ଗୁଟେରସଙ୍କ କହିବାନୁଯାୟୀ, ଜଳବାୟୁ ପରିବର୍ତ୍ତନ ଭୟଙ୍କର ମାତ୍ରାରେ ହେଉଛି ଏବଂ ଏହା ଆରମ୍ଭ ମାତ୍ର। ଅନ୍ୟ ଯେକୌଣସି ବର୍ଷର ଜୁଲାଇ ମାସ ତୁଳନାରେ ଚଳିତବର୍ଷର ଜୁଲାଇ ମାସର ପ୍ରଥମ ୩ ସପ୍ତାହର ତାପମାତ୍ରା ବିଶ୍ବ ହାରାହାରି ଠାରୁ ଅଧିକ ରହିଛି। ୟୁରୋପର କୁପରନିକସ କ୍ଲଇମେଟ ଚେଞ୍ଜ ସର୍ଭିସର ନିର୍ଦ୍ଦେଶକ କାର୍ଲୋ ବୋନଟେମ୍ପୋଙ୍କ କହିବାନୁଯାୟୀ, ଅଫିସିଆଲ ରେକର୍ଡକୁ ବାଦ ଦେଲେ ବୃକ୍ଷ ବଳୟ ଏବଂ ବରଫ ତରଳିବା ଭଳି ଘଟଣାରୁ ଏହା ଜଣାପଡ଼େ ଯେ କେତେ ହଜାର ବର୍ଷ ମଧ୍ୟରେ ତାପମାତ୍ରା ବୃଦ୍ଧି ଅପ୍ରତ୍ୟାଶିତ ରହିଛି। ସମ୍ଭବତଃ ୧ ଲକ୍ଷ ବର୍ଷରୁ ଅଧିକ ସମୟ ମଧ୍ୟରେ ଏଭଳି ସ୍ଥିତି ଉପୁଜି ନଥିଲା ବୋଲି ସେ କହିଛନ୍ତି। ଏପରିକି ଚଳିତବର୍ଷର ଜୁଲାଇର ତାପମାତ୍ରା ଗତ ୧,୨୦,୦୦୦ ବର୍ଷ ମଧ୍ୟରେ ସର୍ବାଧିକ ରହିଥିବା କୁହାଯାଇଛି। ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ବର୍ତ୍ତମାନ ମଧ୍ୟରେ ବିଶ୍ବ ତାପମାତ୍ରାରେ ପ୍ରାୟ ୧.୨ ଡିଗ୍ରି ସେଲସିୟସ ବୃଦ୍ଧି ଘଟିଛି। ଜୀବାଶ୍ମ ଇନ୍ଧନ ଜଳିବା ଯୋଗୁ ଗ୍ରୀଷ୍ଣଲହରିର ପ୍ରକୋପ ଅଧିକ ହୋଇଛି। ଏଥିସହିତ ଝଡ଼ ଓ ବନ୍ୟା ଭଳି ବିପର୍ଯ୍ୟୟ ବାରମ୍ବାର ଦେଖାଦେଉଛି।

ଜୁଲାଇ ମାସରେ ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଏବଂ ଭୟଙ୍କର ଜଙ୍ଗଲନିଆଁ କାରଣରୁ ଲୋକଙ୍କ ସ୍ବାସ୍ଥ୍ୟ, ପରିସଂସ୍ଥାନ ଏବଂ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିଛି। ଆମେରିକାର ବ୍ୟାପକ ଅଞ୍ଚଳରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜଳବାୟୁ ପରିବର୍ତ୍ତନରୁ ହେଉଥିବା ଉକ୍ତ ତାପମାତ୍ରା ବୃଦ୍ଧି ଜୀବନର ଅସ୍ବିତ୍ବ ପ୍ରତି ବିପଦ ସୃଷ୍ଟି କରିଛି। ଫିନିକ୍ସ, ଏରିଜୋନା, ସାନ ଆଣ୍ଟୋନିଓ ଏବଂ ଟେକ୍ସାସ ଭଳି ସ୍ଥାନର ମେୟରମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ବୈଠକ ସମୟରେ ବାଇଡ଼େନ କହିଛନ୍ତି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କେହି ଅସ୍ବୀକାର କରିପାରିବେନି ବୋଲି ସେ କହିଛନ୍ତି। ପାଣିପାଗଜନିତ ମୃତ୍ୟୁରେ ତାପମାତ୍ରା ସବୁଠୁ ଆଗରେ ରହିଛି। ଆମେରିକାରେ ବର୍ଷକୁ ୬୦୦ ମୃତ୍ୟୁ ଉଚ୍ଚ ତାପମାତ୍ରା ପାଇଁ ହେଉଛି ବୋଲି ସେ କହିଛନ୍ତି। ବେଜିଂରେ ତାପମାତ୍ରା ଗତ ୪ ସପ୍ତାହ ହେଲା ୩୫ ଡିଗ୍ରି ଉପରେ ରହୁଛି। ଏଥିପାଇଁ ସେଠାରେ ବୟସ୍କ ଲୋକମାନଙ୍କୁ ଘରେ ରହିବା ଲାଗି ପ୍ରଶାସନ ପରାମର୍ଶ ଦେଇଛି। ସମୁଦ୍ରର ତାପମାତ୍ରା ଅଧିକ ରହିବା ଜୁଲାଇ ମାସରେ ଅଧିକ ଗରମ ଅନୁଭୂତ ହେବାର ଅନ୍ୟତମ କାରଣ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ଜାତିସଂଘ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଆକଳନ କରାଯାଇଛି ଯେ ବିଶ୍ବ ତାପମାତ୍ରା ଶିଳ୍ପାୟନ ଯୁଗ ପୂର୍ବରୁ ଯାହା ଥିଲା ଆସନ୍ତା ୫ ବର୍ଷରୁ ଅତିକମରେ କୌଣସି ଗୋଟିଏ ବର୍ଷ ତାହା ତୁଳନାରେ ୧.୫ ଡିଗ୍ରି ଅଧିକ ରହିବ। ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ ପୂର୍ବାପେକ୍ଷା ଏବେ ଅତ୍ୟନ୍ତ ଜରୁରି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ହୋଇ ନଥିଲେ ୟୁରୋପର କିଛି ଦେଶ ଏବଂ ଉତ୍ତର ଆମେରିକାର ଅନେକ ଅଞ୍ଚଳରେ ଯେଉଁ ଗ୍ରୀଷ୍ମଲହରି ଅନୁଭୂତ ହୋଇଛି ତାହା ଦେଖାଦେଇ ନଥାନ୍ତା ବୋଲି ୱାର୍ଲଡ ୱେଦର ଆଟ୍ରିବ୍ୟୁସନ ଗ୍ରୁପର ବୈଜ୍ଞାନିକମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ