ରାଜ୍ୟ ସ୍ପେଶାଲ ରିପୋର୍ଟ

ଘରୋଇ କଳହରୁ ପ୍ରାଣାନ୍ତକ ଆକ୍ରମଣ: ମହିଳାଙ୍କ ୩ ମାସର ଗର୍ଭ ନଷ୍ଟ ଅଭିଯୋଗରେ ଦୁଇ ମହିଳା ଅଟକ

ଚନ୍ଦ୍ରଶେଖରପୁର: ପାରିବାରିକ ଝଗଡ଼ାକୁ କେନ୍ଦ୍ରକରି ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତିର ଜଣେ ମହିଳାଙ୍କୁ ତାଙ୍କ ପରିବାରଲୋକ ପ୍ରାଣାନ୍ତକ ଆକ୍ରମଣକରିବାରୁ ଗର୍ଭବତୀ ମହିଳା ଜଣଙ୍କ ୩ ମାସର ଗର୍ଭ ନଷ୍ଟହୋଇଛି। ଏନେଇ ବସ୍ତି ମୁରବିମାନଙ୍କ ନିକଟରେ ଅଭିଯୋଗକରି ସୁଫଳ ନପାଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଗର୍ଭନଷ୍ଟ ହୋଇଥିବା ମହିଳା ପୂଜା ନାୟକ (୨୭)। ପୁଲିସ ଘଟଣାର ତଦନ୍ତକରି ଆଜି ସନ୍ଧ୍ୟାରେ ଦୁଇ ଜଣ ଅଭିଯୁକ୍ତ ମହିଳାଙ୍କୁ ବସ୍ତିରୁ କାବୁକରି ଥାନାରେ ଅଟକରଖି ଘଟଣା ବିଷୟରେ ପଚରାଉଚରା କରୁଥିବା ଜଣାପଡ଼ିଛି।

ଘଟଣା ଅନୁଯାୟୀ, ପୂଜା ତାଙ୍କ ଭାଇ ଓ ଭାଉଜଙ୍କୁ ରହିବାପାଇଁ ବସ୍ତିର ଏକ ଘର ଦେଇଥିଲେ। ସେ ବାବଦକୁ ସେମାନେ ତାଙ୍କୁ କିଛି ଟଙ୍କା ଦେବାର ଥିଲା। କିନ୍ତୁ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ଗତକାଲି ରାତିରେ ମଧ୍ୟ ସେହି କାରଣରୁ ସେମାନଙ୍କ ମଧ୍ୟରେ କଳି ହୋଇଥିଲା। ତା’ଭିତରେ ପୂଜାଙ୍କ ଭାଉଜ ଓ ତାଙ୍କର ଜଣେ ସହଯୋଗୀ ରାଗିଯାଇ ପୂଜାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପୂଜା ଗର୍ଭବତୀ ଥିବାରୁ ତାଙ୍କ ପେଟରେ ଆଘାତଲାଗି ସେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ସ୍ବାମୀ ଏକ ଆମ୍ବୁଲାନସ୍‌ରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ଡ଼ାକ୍ତର ସେଠାରେ ତାଙ୍କ ଗର୍ଭରେ ଥିବା ପିଲା ଠିକ୍ ସ୍ଥାନରେ ନାହିଁବୋଲି ଦର୍ଶାଇ ପରଦିନ ଆସି ଅଲଟ୍ରାସାଉଣ୍ଡ କରିବାଲାଗି ପରାମର୍ଶ ଦେଇଥିଲେ। ଏହାପରେ ପୂଜା ଘରକୁ ଫେରି ଥାନାରେ ଅଭିଯୋଗ କରିଥିଲେ। ଥାନାରୁ ଫେରିବାବେଳେ ଚନ୍ଦ୍ରଶେଖରପୁର ଥାନା ଛକ ରାସ୍ତାରେ ତାଙ୍କର ରକ୍ତସ୍ରାବ ହୋଇଥିଲା। ତାହା ଦେଖି ତାଙ୍କ ସ୍ବାମୀ ଏକ ଆମ୍ବୁଲାନସ୍‌ରେ ତାଙ୍କୁ ପୁଣି କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଅସ୍ତ୍ରପୋଚାର କରାଯାଇ ତିନି ମାସର ଗର୍ଭରେ ଥିବା ଡ଼ିମ୍ବାଣୁଟିକୁ ବାହାର କରା ଯାଇଥିଲା। ବର୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଚନ୍ଦ୍ରଶେଖରପୁର ଥାନା ପୁଲିସ କହିଛି, ମାମଲାଟି ସେମାନଙ୍କ ପରିବାର ମଧ୍ୟରେ ହୋଇଥିବାରୁ ବୁଝାମଣା ପାଇଁ ଗୋଟିଏ ଦିନ ଦିଆଯାଇଥିଲା। ତା’ ଭିତରେ ସେମାନେ ଏହାକୁ ସମାଧାନ କରିନେବେ ବୋଲି କହିଥିଲେ। ମାତ୍ର ମହିଳାଜଣକ ଅଭିଯୋଗ ଦେବାପାଇଁ ଜିଦ୍ କରିବାରୁ ତାଙ୍କ ଅଭିଯୋଗ ରଖାଯାଇ ତାଙ୍କୁ ଘରକୁ ଚାଲିଯିବାପାଇଁ କୁହାଯାଇଥିଲା। ସେ ଘରକୁ ଯିବା ବାଟରେ ରକ୍ତସ୍ରାବ ହୋଇଥିବା ସୂଚନା ମିଳିବାରୁ, ପୁଲିସ ଉକ୍ତ ଘଟଣାର ତଦନ୍ତ କରିବାଲାଗି ଅଭିଯୁକ୍ତ ଦୁଇ ମହିଳାଙ୍କୁ ଥାନାରେ ଅଟକରଖି ପଚରା ଉଚରା କରୁଛି। ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।