ରାଜ୍ୟ

ବିଲକୁ ମଟର ଭରସା: କେନାଲ ତଳମୁଣ୍ଡକୁ ଯାଉନି ପାଣି

ବାଲିପାଟଣା: ଧାରା ଶ୍ରାବଣ ଅଧା ହୋଇଗଲାଣି। ଚିତାଲାଗି ଅମାବାସ୍ୟା ଗଲାଣି। ମାତ୍ର ବର୍ଷାର ନାଁ ନାହିଁ। ନିଅଣ୍ଟିଆ ବର୍ଷା ଚାଷୀଙ୍କ ନିଦ ହଜେଇ ଦେଲାଣି। ବିଲରେ ପାଣି ନଥିବାରୁ ବେଉଷଣ ବାକି ପଡ଼ିଛି। ଧାନ ତଳି ରୁଆ ହେବା ପାଇଁ ପ୍ରସ୍ତୁତ ହୋଇସାରିଥିଲେ ବି ଜମିରୁ ଘାସ ମରିବାକୁ ଲଙ୍ଗଳ ପଶିପାରୁନି। ବଡ଼ ସମସ୍ୟା ହେଉଛି, କେନାଲରେ ପାଣି ଆସିଥିଲେ ବି ତଳମୁଣ୍ଡକୁ ଯାଉନି। ତେଣୁ ଚାଷୀ ବାଧ୍ୟ ହୋଇ ମଟର ଲଗାଇ ବିଲରେ ପାଣି ମଡ଼ାଉଛି। କେନାଲ ସଫେଇରେ ଚାଲିଥିବା ଦୁର୍ନୀତି ପାଇଁ ବିଚରା ଚାଷୀ ଟିକସ ପରେ ପୁଣି ମଟର ଲଗାଇ ଖର୍ଚ୍ଚାନ୍ତ ହେଉଛି। ତେଣୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବ୍ଲକ୍‌ କୃଷି ବିଭାଗ ସୂଚନାନୁସାରେ ଚଳିତ ବର୍ଷ ୧୦ ହଜାର ୫୮୫ ହେକ୍ଟର ଜମିରେ ବର୍ଷା ଦିନିଆ ଫସଲ ହେବ ବୋଲି ଆକଳନ ହୋଇଛି। ସେଥିରୁ ୯ ହଜାର ୫୭୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେବ। ବାକି ଜମିରେ ପନିପରିବା, ମକା, ଆଖୁ ଆଦି ଚାଷ କରାଯିବ। ୧୫୦୪ ହେକ୍ଟର ଢିପ ଓ ଅନ୍ୟ ସବୁ ମଧ୍ୟମ ଏବଂ ଖାଲୁଆ ଜମି। ତେବେ ଶତକଡ଼ା ୮୦ ଭାଗ ଜମି କେନାଲ ପାଣି ଉପରେ ନିର୍ଭର କରେ। ମାତ୍ର ପରିତାପର କଥା ଚଳିତ ବର୍ଷ ବାଲିପାଟଣା ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେନାଲ ସଫେଇ ହୋଇଛି ସିନା ତଳମୁଣ୍ଡକୁ ପାଣି ଯାଉନାହିଁ। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ କେନାଲ ସଫେଇ ଅତି ନିମ୍ନମାନର ହୋଇଛି ‌ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଆଙ୍କୁଶପୁର କେନାଲ, ବାଗଲପୁର ମାଇନର, ସରାଟଶାସନ ମାଇନର, ସରିପୁରମାଇନର, ଗାରେଡିପାଞ୍ଚଣ ମାଇନର ଓ ଗିରିଙ୍ଗମାଇନର ସବୁଠି ସଫେଇ କରାଯାଇଛି, କିନ୍ତୁ ଅଧିକାଂଶ ମାଇନରରେ ଏବେ ବି ବିଭିନ୍ନ ଗଛଲତା, ଘାସ ଭରିରହିଛି। ତେଣୁ କେନାଲ ତଳମୁଣ୍ଡକୁ ପାଣି ଯାଉନାହିଁ ଏବଂ ଚାଷୀ ବାଧ୍ୟ ହୋଇ ମଟର ଲଗାଇ ବିଲରେ ପାଣି ମଡ଼ାଉଛି। କେନାଲ ପାଇଁ ଜଳକର ଦେଉଥିବା ଚାଷୀ ପୁଣି ପଇସା ଖର୍ଚ୍ଚ କରି ବିଲକୁ ମଟରରେ ପାଣି ଉଠାଉଛି। କେନାଲ ସଫେଇରେ ହେଉଥିବା ଦୁର୍ନୀତିର ଖୋଳତାଡ଼ ପାଇଁ ଚାଷୀମାନେ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।