ଅପରାଧ ରାଜ୍ୟ

ଓଏସ୍‌ଏସ୍‌ସି ମାମଲା: ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍

ବାଲେଶ୍ବର : ପୂରା ଯୋଜନାବଦ୍ଧ ଭାବେ ଚାଲିଥିଲା ପ୍ରଶ୍ନପତ୍ର ଦଲାଲି ରାକେଟ୍‌। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ (ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲେଶ୍ବର ପୁଲିସ ଆଜି ଆଉ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୫ଜଣ ଓଡ଼ିଶାର ଓ ଅନ୍ୟ ୩ଜଣ ବିହାର ଓ ପଶ୍ଚିମବଙ୍ଗର। ସବୁଠାରୁ ବଡ଼ କଥା ହେଲା, ଏହି ଘଟଣାରେ ସଂପୃକ୍ତ ଓଡ଼ିଶାର ୫ଜଣଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ସରକାରୀ କର୍ମଚାରୀ। ଗିରଫ ଅଭିଯୁକ୍ତମାନେ ହେଲେ, ରାକେଟ୍‌ର ମାଷ୍ଟରମାଇଣ୍ଡ୍‌ ବିହାରର ବିଶାଲ କୁମାର ଚୌରାସିଆ (୩୫), ତା’ ସାନଭାଇ ବିକାଶ କୁମାର (୩୦), ପଶ୍ଚିମବଙ୍ଗର ଏକ ପ୍ରିଣ୍ଟିଂ ପ୍ରେସ୍‌ର କର୍ମଚାରୀ ବୀରେନ୍ଦ୍ର ସିଂହ ଓରଫ୍‌ ପାଶୱାନ୍‌, ଗଞ୍ଜାମ ଜିଲ୍ଲାର ଗୋବିନ୍ଦଚନ୍ଦ୍ର ତ୍ରିପାଠୀ (୩୩), ପଟ୍ଟା ସୁନୀଲ (୩୩), ଯାଜପୁରର ସୁଶାନ୍ତ କୁମାର ସାହୁ (୪୨), ବାଲେଶ୍ବର ଜିଲ୍ଲାର ବଟକୃଷ୍ଣ ବେହେରା (୩୯) ଓ ପ୍ରସନ୍ନଜିତ୍‌ ସାହୁ (୨୮)।

ଅଭିଯୁକ୍ତମାନଙ୍କଠାରୁ ନଗଦ ଲକ୍ଷେ ଟଙ୍କା ଓ ମୋବାଇଲ ଜବତ ହୋଇଛି। ଆଜି ବାଲେଶ୍ବର ଏସ୍‌ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ନିଯୁକ୍ତି ରାକେଟ୍‌ ଓ ପ୍ରଶ୍ନପତ୍ର ପ୍ରଘଟ ମାମଲାର ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ଚୌରାସିଆ ବିହାର ପାଟନାସ୍ଥିତ ଆକାଉଣ୍ଟ୍‌ସ ଜେନେରାଲ (ଏଜି) ଅଫିସ୍‌ରେ ବର୍ତ୍ତମାନ ଆକାଉଣ୍ଟାଣ୍ଟ ଅଛନ୍ତି। ପୂର୍ବରୁ ସେ ଆୟକର ବିଭାଗରେ ଆସିଷ୍ଟାଣ୍ଟ ଟାକ୍ସ-ଅଫିସର୍‌ ଭାବେ ପଶ୍ଚିମବଙ୍ଗ ଦୁର୍ଗାପୁରଠାରେ କାର୍ଯ୍ୟରତ ଥିବା ବେଳେ ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଆଦି ରାଜ୍ୟରେ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ଦ୍ବାରା ହୋଇଥିବା ଏକାଧିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ କରିଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ରାଜ୍ୟ ପୁଲିସ ଓ କ୍ରାଇମବ୍ରାଞ୍ଚ୍‌ରେ ତାଙ୍କ ନାଁରେ ଏବେ ବି ମାମଲା ବିଚାରାଧୀନ ରହିଛି। ତେବେ ଗତ ୧୬ ତାରିଖରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ ପରିଚାଳିତ ଜେଇ ସିଭିଲ୍‌ ମେନ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ପାଇଁ ବିଶାଲ କୁମାର ପଶ୍ଚିମବଙ୍ଗରେ ଥିବା ଏକ ପ୍ରିଣ୍ଟିଂପ୍ରେସ୍‌ର କର୍ମଚାରୀ ବିରେନ୍ଦ୍ର ସିଂହଙ୍କୁ ହାତ କରିଥିଲା। ସେଠାରେ ଓଏସ୍‌ଏସ୍‌ସିର ପ୍ରଶ୍ନପତ୍ର ଛପା ହେବାକୁ ଯାଇଥିବା ବେଳେ ବିଶାଲ କୁମାର ତାଙ୍କୁ ଅଗ୍ରୀମ ଲକ୍ଷେ ଟଙ୍କା ଦେଇ ପ୍ରଶ୍ନପତ୍ର ହାତେଇଥିଲା। ସମସ୍ତ ପ୍ରଶ୍ନପତ୍ର ପାଇ ସାରିବା ପରେ ବାକି ଟଙ୍କା ଦିଆଯିବ ବୋଲି ପ୍ରେସ୍‌ କର୍ମଚାରୀଙ୍କୁ ପ୍ରତିଶ୍ରୁତି ବି ଦିଆଯାଇଥିଲା। ଜୁଲାଇ ୧୨ତାରିଖରେ ଅର୍ଥାତ ଜେଇ ପରୀକ୍ଷାର ୪ ଦିନ ପୂର୍ବରୁ ବିଶାଲ କୁମାର ଉକ୍ତ ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ପାଇ ଯାଇଥିଲେ। ପରେ ତାଙ୍କ ସାନଭାଇ ବିକାଶ କୁମାର ଜରିଆରେ ସେସବୁ ଓଡ଼ିଶାକୁ ପଠାଇ ପୂର୍ବରୁ ସେମାନଙ୍କ ରାକେଟ୍‌ରେ ସାମିଲ ଥିବା ଦଲାଲଙ୍କ ଜରିଆରେ ପରୀକ୍ଷାର୍ଥୀଙ୍କୁ ଏକାଠି କରାଇଥିଲେ। ରାକେଟ୍‌ର ସଦସ୍ୟମାନେ ଅତି ସନ୍ତର୍ପଣର ସହ ପରୀକ୍ଷାର୍ଥୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ସେମାନଙ୍କଠାରୁ ପ୍ରଥମେ ସମସ୍ତ ଅସଲି ଶିକ୍ଷାଗତ ପ୍ରମାଣପତ୍ର ରଖିନେବା ପରେ ପ୍ରଶ୍ନପତ୍ର ପାଇଁ ମୂଲଚାଲ କରାଯାଉଥିଲା। ଜଣେ ଜଣେ ପରୀକ୍ଷାର୍ଥୀଙ୍କଠାରୁ ୧୦ରୁ ୧୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଲ୍‌ କରୁଥିଲେ ଏହି ରାକେଟ୍‌ର ସଦସ୍ୟ।

ଜେଇ ସିଭିଲ ମେନ୍‌ ପରୀକ୍ଷାର ଦିନକ ପୂର୍ବରୁ ୧୫ ତାରିଖ ବିଳମ୍ବିତ ରାତିରେ କେହି ଜଣେ ବାଲେଶ୍ବର ଏସ୍‌ପିଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେବା ପରେ ପୁଲିସର ସ୍ବତନ୍ତ୍ର ଟିମ୍‌ ବାଲେଶ୍ବର-ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଏକ ହୋଟେଲରେ ଚଢ଼ଉ କରି ୯ଜଣ ଦଲାଲଙ୍କ ସହ ୯୧ ଜଣ ପରୀକ୍ଷାର୍ଥୀଙ୍କୁ ଧରିଥିଲେ। ଘଟଣାସ୍ଥଳରୁ କିଛି ଛାତ୍ରଛାତ୍ରୀଙ୍କର ସାର୍ଟି​ଫିକେଟ୍‌, କିଛି ପ୍ରଶ୍ନପତ୍ର, ଟଙ୍କା, ମୋବାଇଲ ଓ ପିଲାମାନଙ୍କୁ ଆଣିବା ପାଇଁ ବ୍ୟବହୃତ ହୋଇଥିବା ସମସ୍ତ ଗାଡ଼ିକୁ ଜବତ କରିଥିଲା ପୁଲିସ। ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ତେବେ ଏହି ରାକେଟ୍‌ର ମାଷ୍ଟରମାଇଣ୍ଡ୍‌ ବିହାରର ବିଶାଲ କୁମାର ଘଟଣା ପରଠାରୁ ଫେରାର ଥିବା ଜାଣିବା ପରେ ତା’ ପଛରେ ଲାଗି ଯାଇଥିଲା ତଦନ୍ତକାରୀ ଟିମ୍‌। ପୁଲିସର ଦୁଇଟି ଟିମ୍‌ ରାଜ୍ୟ ବାହାରକୁ ଯାଇ ସେମାନଙ୍କୁ ଗିରଫ କରିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବିହାରରୁ ୬ ଜଣ, ଓଡ଼ିଶାରୁ ୯ ଜଣ, ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ଦୁଇ ଜଣ ଅଛନ୍ତି। ଏଥିରେ ଗଞ୍ଜାମ ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ନାମକ ଜଣେ ଶିକ୍ଷକ ଓ ବିଶ୍ବରଞ୍ଜନ ମହାପାତ୍ର ନାମକ ଜଣେ କୋଚିଂ ସେଣ୍ଟର୍‌ ମାଲିକ ସାମିଲ ଅଛନ୍ତି। ରାକେଟ୍‌ ସଂକ୍ରାନ୍ତରେ ଆହୁରି ଖୋଳତାଡ଼ ଚାଲିଥିବା ଏସ୍‌ପି ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।