ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବ ହେନ୍ତାଳ ଦିବସ: ଲୁଣା ଜଙ୍ଗଲ ପାଇଁ ୪୬ ପରିବାର ଦାନ କରିଛନ୍ତି ୨୫ ଏକର ଜମି

ରାଜନଗର: ଲୁଣା ଜଙ୍ଗଲ ବୃଦ୍ଧି ପାଇଁ କେବଳ ବନବିଭାଗ ନୁହେଁ, ଭିତରକନିକା ଚାରିପଟେ ଥିବା ଲୋକେ ଆଗେଇ ଆସିଛନ୍ତି। ଲୁଣା ଜଙ୍ଗଲର ପରିସୀମା ବଢ଼ାଇବା, ନିଜ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ବାତ୍ୟା, ବନ୍ୟା ସମୟରେ ନିଜେ ସୁରକ୍ଷିତ ରହିବା ପାଇଁ ନୂତନ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ଲୋକେ ନିଜର ବ୍ୟକ୍ତିଗତ ମୂଲ୍ୟବାନ ଜମି ବନ ବିଭାଗକୁ ହସ୍ତାନ୍ତର କରୁଛନ୍ତି। ଗତ ୨ ବର୍ଷ ଭିତରେ ୪୬ ପରିବାର ସେମାନଙ୍କ ମୂଲ୍ୟବାନ ୨୫ ଏକର ଜମି ବନବିଭାଗକୁ ହସ୍ତାନ୍ତର କରିଥିବା ବେଳେ ସେହି ଜମିରେ ଏବେ ହେନ୍ତାଳ (ମ୍ୟାନଗ୍ରୁଭ୍‌) ଜଙ୍ଗଲ ଗଢ଼ି ଉଠିଛି।

ରାଜନଗର ବାତ୍ୟାପ୍ରବଣ ଅଂଚଳ। ଲୁଣା ଜଙ୍ଗଲର ବାତ୍ୟା ପ୍ରତିରୋଧ କ୍ଷମତା ରହିଛି। ଭିତରକନିକାରେ ଲୁଣା ଜଙ୍ଗଲ ପରିସୀମା ବୃଦ୍ଧି ଯୋଗୁଁ ୧୯୯୯ ମହାବାତ୍ୟା ପରଠୁ ଯେତେ ବାତ୍ୟା ଆସିଛି, ରାଜନଗରବାସୀ ଯେତିକି ପ୍ରଭାବିତ ହେବା କଥା, ତା ଠୁ କମ୍ ପ୍ରଭାବିତ ହୋଇଛନ୍ତି। ରାଜନଗର ବନବିଭାଗ ପକ୍ଷରୁ ମ୍ୟାନଗ୍ରୁଭ୍‌ ମିତ୍ର ନାଁରେ ନିଆରା ଉଦ୍ୟମ ହାତକୁ ନିଆଯାଇଛି। ନଈ ପାଖରେ ଓ ଜୁଆର ମାଡ଼ୁଥିବା ସ୍ଥାନରେ ଜମି ଥିବା ଲୋକଙ୍କୁ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଓ ବନବିଭାଗ କର୍ମଚାରୀମାନେ ବୁଝାଇବା ପରେ ସ୍ଥାନୀୟ ଲୋକେ ନିଜର ବ୍ୟକ୍ତିଗତ ଜମିରେ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ଏବେ ଆଗେଇ ଆସିଛନ୍ତି। ଭିତରକନିକା ଅଂଚଳର ଦିଲୀପ ମଣ୍ତଳ, ସତ୍ୟବ୍ରତ ସାହୁ, ଅଶ୍ବିନୀ ପ୍ରଧାନ, ଗୋବର୍ଦ୍ଧନ ପ୍ରଧାନ, ମାୟାଧର ପ୍ରଧାନ, ଖଗେଶ୍ବର ପ୍ରଧାନଙ୍କ ସମେତ ୪୬ ପରିବାରଲୋକ ୨୪ ଏକର ୬୦ ଡିସିମିଲ ଜମି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଏହି ଜମିରେ ଏବେ ଲୁଣା ଜଙ୍ଗଲ ହସି ଉଠୁଛି। ଲୁଣା ଜଙ୍ଗଲର ସୁରକ୍ଷା ଓ ଏହାର ଅଭିବୃଦ୍ଧି ପାଇଁ ସ୍ଥାନୀୟ ଲୋକଙ୍କ ସହଭାଗିତା ସାରା ଭାରତରେ ଭିତରକନିକାରେ ହିଁ ଆରମ୍ଭ ହୋଇଛି। ସାରା ଓଡ଼ିଶାରେ ୨୫୮.୫୯ ବର୍ଗକିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ତିଆ ୨୦୨୧ ରିପୋର୍ଟ ଅନୁସାରେ, ଗତ ୨ ବର୍ଷରେ ସାରା ଭାରତ ବର୍ଷରେ ୧୭ ବର୍ଗକିମି ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ଓଡିଶାରେ ୮.୩୪ ବର୍ଗକିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିଲା। ସେଥିମଧ୍ୟରୁ କେବଳ ଭିତରକନିକାରେ ୭.୭୬ବର୍ଗ କିମି ଲୁଣାଜଙ୍ଗଲ ବୃଦ୍ଧି ପାଇଥିଲା। ୨୦୧୭ ପରଠାରୁ କ୍ରମାଗତ ଭାବେ ଭିତରକନିକାରେ ଲୁଣା ଜଙ୍ଗଲ ପରିସର ବୃଦ୍ଧି ପାଉଛି।

୧୯୯୯ ମହାବାତ୍ୟାରେ ରାଜନଗର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ହଂସୁଆ ନଦୀର ଆଁରେ ରାଜନଗର ଖିରକୋଟ ଗାଁ ସମ୍ପୂର୍ଣ୍ଣ ଲୀନ ହୋଇଗଲା। ଏହି ଗାଁର ଅଧିବାସୀମାନେ ପାଖ ବଡ଼କୋଟ ଗାଁକୁ ଚାଲି ଆସିଲେ। ମାତ୍ର ଏହି ଗାଁ ମଧ୍ୟ ହଂସୁଆ ନଦୀ କୂଳରେ ଥିବାରୁ ଲୋକଙ୍କ ମନରୁ ନଦୀ ଗ୍ରାସ କରି ଦେବାର ଭୟ ଲିଭି ନଥିଲା। ଏଭଳି ସ୍ଥିତିରେ ପଟ୍ଟାମୁଣ୍ତାଇ ବ୍ଲକ୍‌ ହାଟପାଟଣା ଗାଁର ମ୍ୟାନଗ୍ରୁଭ୍‌ ମ୍ୟାନ୍‌ ବିଜୟ କବି ବଡ଼କୋଟ ଗାଁର ଅଧିବାସୀଙ୍କୁ ଲୁଣା ଜଙ୍ଗଲର ଉପକାରିତା ସମ୍ପର୍କରେ ବୁଝାଇଥିଲେ। ଲୁଣା ଜଙ୍ଗଲର ଥିବା ବାତ୍ୟା ପ୍ରତିରୋଧକ କ୍ଷମତା ଓ ଲୁଣା ଜଙ୍ଗଲ କିପରି ଅଞ୍ଚଳକୁ ବାତ୍ୟା ଓ ଉଚ୍ଚ ଜୁଆରରୁ ସୁରକ୍ଷା ଯୋଗାଉଛି, ସେ ବିଷୟରେ ଲୋକଙ୍କୁ କହିଥିଲେ। ଲୋକେ ଲୁଣା ଜଙ୍ଗଲର ଉପକାରିତା କଥା ବୁଝିଯିବା ପରେ ନିଜ ଗାଁ ପାଖ ନଈପଠାରେ ବିଜୟ କବିଙ୍କ ନେତୃତ୍ବରେ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ଶ୍ରମଦାନ କରିବା ସହ ଗଛ ଲଗାଇଥିଲେ। ୨୦୦୬ ମସିହାରେ ବିଜୟଙ୍କ ନେତୃତ୍ବରେ ଏହି ଗାଁର ଲୋକମାନେ ନଦୀକୂଳର ଏକର ଏକର ଜମିରେ ଲୁଣା ଜାତୀୟ ଗଛ ଲଗାଇବା ଆରମ୍ଭ କରିଥିଲେ। ଏହି ଲୁଣା ଜଙ୍ଗଲ ଆଜି ସୁରକ୍ଷା ପ୍ରାଚୀର ହୋଇ ଏହି ଗାଁ ସମେତ ରାଜନଗର ବ୍ଲକ୍‌ର ଅନେକ ଗାଁକୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଦେଇ ଆସୁଛି। ଆଇସିଜେଡଏମ୍‌ପି ଓ ଅନ୍ୟ ସଂସ୍ଥାନର ସହାୟତାରେ ବିଜୟ, ରାଜନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଲୁଣା ଜଙ୍ଗଲ ସୃଷ୍ଟି କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍‌ କି ବାତ୍‌ରେ ବିଜୟଙ୍କୁ ପ୍ରଶଂସା କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।