ଭୁବନେଶ୍ୱର : ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଟୁଇଟ୍ କରି ଏହାର ଜବାବ୍ ଦେଇଛନ୍ତି।
ଶ୍ରୀ ମହାନ୍ତି ଟୁଇଟ୍ କରିଛନ୍ତି ଯେ ବିଜେପି ନେତା ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି। ରାଜନୀତିରେ ତିଷ୍ଠି ରହିବାପାଇଁ ଆଜିକାଲି ସେ ଆପ୍ରାଣ ଉଦ୍ୟମ ଚଳାଇବା ସହିତ ଟୁଇଟ୍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି। ଆମେ ତାଙ୍କର ନିରାଶା ଓ ହତାଶାକୁ ବୁଝୁଛୁ। ସେ ତାଙ୍କର ଅର୍ଥହୀନ ଓ ବୁଦ୍ଧିହୀନ ଟୁଇଟ୍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ଏବଂ ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ। ଆମେ ଆଶା କରୁଛୁ ଯେ ତାଙ୍କର ଓଡ଼ିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଓ ସହାନୁଭୂତି ଦେଖାଇବେ।