ରାଜ୍ୟ ସ୍ପେଶାଲ ରିପୋର୍ଟ

ମନର କଥା କହିପାରିଲେନି ମୁଖ୍ୟମନ୍ତ୍ରୀ: ଯୋଜନାରେ ରହିଗଲା ‘ବିଜୁ ଗାଁ ରେଡିଓ’

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିବେ ନିଜର ମନର କଥା। ମୋଦୀଙ୍କ ‘ମନ୍‌ କି ବାତ୍’ ଭଳି ମୁଖ୍ୟମନ୍ତ୍ରୀ ବି ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ି ହେବେ ‘ଆପଣଙ୍କ ପାଇଁ’ କାର୍ଯ୍ୟକ୍ରମ ଜରିଆରେ। ଅଗଷ୍ଟ, ୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଣିକି ପ୍ରତି ମାସରେ ରେଡିଓରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଥିଲା। ଏଥିପାଇଁ ‘ବିଜୁ ଗାଁ ରେଡିଓ’ ନାମରେ ଏକ ସ୍ୱତନ୍ତ୍ର ଯୋଜନା ବି ପ୍ରସ୍ତୁତ ହେଲା। ସାଧାରଣ ଲୋକଙ୍କ ପାଖରେ ସରକାରୀ କାର୍ଯ୍ୟକ୍ରମ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଯୋଜନାର ପରିକଳ୍ପନା କରାଯାଇଥିଲା। କିନ୍ତୁ ସରକାରୀ ଅବହେଳା ଓ ଇଚ୍ଛାଶକ୍ତି ଅଭାବ‌ରୁ ଏହି ଯୋଜନାରେ ସବୁ ଦିନ ପାଇଁ ଯବନିକା ପଡ଼ିଗଲା। ଏପରିକି ଏହି ଯୋଜନା ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ପ୍ରଦାନ କରାଯାଇଥିବା ୫ କୋଟି ଟଙ୍କା ଫେରାଇ ମଧ୍ୟ ନିଆଗଲା।

‘ବିଜୁ ଗାଁ ରେଡିଓ’ ଯୋଜନାକୁ ସାକାର କରିବା ପାଇଁ ପ୍ରତି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରକୁ ମାଧ୍ୟମ କରାଯାଇଥିଲା। କେନ୍ଦ୍ରଗୁଡ଼ିକ ଜରିଆରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ କମ୍ୟୁନିଟି ରେଡିଓ ଲାଇସେନ୍‌ସ ପାଇଁ ଆବେଦନ କରାଯାଇଥିଲା। ଜିଲ୍ଲାସ୍ତରରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ଏହି ରେଡିଓ କାର୍ଯ୍ୟ କରିବା ସହ କୃଷି ବିଭାଗ ଅଧୀନରେ ରହି ଷ୍ଟେସନ୍‌ଗୁଡ଼ିକ ପରିଚାଳିତ ହେବ ବୋଲି ନିଷ୍ପତ୍ତି ହେଲା। ଗ୍ରାମାଞ୍ଚଳର ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ରେଡିଓ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି, ସମବାୟ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା ଆଦି ବିଷୟକୁ ସ୍ଥାନ ଦେବାକୁ ସ୍ଥିର ହେଲା। ଦେଶର ପ୍ରଥମ ରାଜ୍ୟ ଭାବେ ଜନକଲ୍ୟାଣ ଲକ୍ଷ୍ୟରେ ରେଡିଓର ବ୍ୟାପକ ବ୍ୟବହାର ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବା ନିଶ୍ଚିତ ରୂପେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଥିଲା।

Edexlive

ଷ୍ଟେସନ୍‌ଗୁଡ଼ିକ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଲାଇସେନ୍‌ସ ବାଧ୍ୟତାମୂଳକ। ଏଣୁ ଲାଇସେନ୍‌ସ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଆବେଦନ କରାଯାଇଥିଲା। କେନ୍ଦ୍ର ସରକାର ଏହି ଆବେଦନଗୁଡ଼ିକୁ ଗ୍ରହଣ କରିବା ସହ ଲାଇସେନ୍‌ସ ପ୍ରଦାନର ପ୍ରକ୍ରିୟା ଆରମ୍ଭ କରିଥିଲେ। ପ୍ରକ୍ରିୟାର ଆରମ୍ଭ ସ୍ୱରୂପ ଅଧିକାଂଶ କୃଷି ବିଜ୍ଞାନ କେନ୍ଦ୍ରକୁ ‘ଲେଟର୍‌ ଅଫ ଇଣ୍ଟେଣ୍ଟ’(ଏଲ୍‌ଓଆଇ) ପ୍ରଦାନ କରାଗଲା। କିନ୍ତୁ ରାଜ୍ୟ ପକ୍ଷରୁ କେନ୍ଦ୍ର ସହ ଯୋଗାଯୋଗ ରକ୍ଷା କରାଗଲା ନାହିଁ ଓ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ କାଗଜପତ୍ର ଦିଆଗଲା ନାହିଁ। ଦୀର୍ଘ କାଳ ଅପେକ୍ଷା କରିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମ୍ପୃକ୍ତ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ପଠାଇବା ସହ ଏହି ନୋଟିସ୍‌କୁ ଓଡ଼ିଆ ଖବରକାଗଜରେ ପ୍ରକାଶ କଲେ। ତଥାପି ବି ରାଜ୍ୟ ସରକାର ବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ତରଫରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଉତ୍ତର ଦିଆଗଲା ନାହିଁ। ଫଳରେ ଲାଇସେନ୍‌ସ ପାଇଁ ହୋଇଥିବା ସମସ୍ତ ଆବେଦନକୁ କେନ୍ଦ୍ର ସରକାର ଖାରଜ କରିଦେଲେ।

ଜଣେ କୃଷି ଅଧିକାରୀଙ୍କ କହିବା ମୁତାବକ, ରେଡିଓ ପାଇଁ ଏଲ୍‌ଓଆଇ ପାଇଥିବା ଅନୁଷ୍ଠାନଗୁଡ଼ିକ କମ୍ୟୁନିଟି ରେଡିଓ ଷ୍ଟେସନ ପ୍ରତିଷ୍ଠା ପାଇଁ ଆବଶ୍ୟକ ଶୁଳ୍କ ଦୂର ସଞ୍ଚାର ମନ୍ତ୍ରାଳୟ ନିକଟରେ ପୈଠ କରିବା ଆବଶ୍ୟକ। ଯାହା ପରେ ସେମାନଙ୍କୁ ଫ୍ରିକ୍ବେନ୍ସି ମିଳେ। ହେଲେ ଟଙ୍କା ଦାଖଲ ହେଲା ନାହିଁ। ବରଂ କାର୍ଯ୍ୟକ୍ରମ ପ୍ରସାରଣ ଘୋଷଣାକୁ ବାତିଲ କରିଦିଆଗଲା।

ବରିଷ୍ଠ ରେଡିଓ ଜକି ସୁବ୍ରତ ପତି କହିଛନ୍ତି, ‘ବିଜୁ ଗାଁ ରେଡିଓ’ ଯୋଜନା ରାଜ୍ୟ ସରକାରଙ୍କ ଏକ ସୁନ୍ଦର ଯୋଜନା ଥିଲା। ଏହାଦ୍ବାରା ଜନସାଧାରଣ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଓ ସରକାରୀ ଯୋଜନା ସହ ଯୋଡ଼ି ହୋଇଥା’‌ନ୍ତେ। ଓଡ଼ିଶା ବ୍ରଡ୍‌କାଷ୍ଟିଂ ଜଗତରେ ନୂଆ ଇତିହାସ ଯୋଡ଼ି ହୋଇଥା’ନ୍ତା। କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ ଏହି ମହତ୍ତ୍ବାକାଂକ୍ଷୀ ଯୋଜନା କେବଳ ଯୋଜନାରେ ହିଁ ରହିଗଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।