ଦେଶ ବିଦେଶ

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ବୈଠକ: ଭାବାବେଗକୁ ବେଖାତିର୍‌, ନିଷ୍ପତ୍ତି ନେଇପାରିଲେନି

ପୁରୀ : ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବ କି ଖୋଲିବନି, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ଶୁକ୍ରବାର ଦିନ ଛତିଶାନିଯୋଗ ନେଇପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ଭକ୍ତଙ୍କ ଏହି ଆଶା ଆଶାରେ ରହିଯାଇଛି। ଚାରିଦ୍ବାର ଖୋଲିବା ନିଷ୍ପତ୍ତି ପୁଣିଥରେ ଝୁଲିଛି। କମିଟି ଗଠନ କରି ଦାୟିତ୍ବ ସାରିଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପଟେ କମିଟି ରିପୋର୍ଟ ଦେବା ପୂର୍ବରୁ ଅନ୍ତତଃ ଆଉ ଗୋଟିଏ ଦ୍ବାର ପୁରୀବାସୀଙ୍କ ପାଇଁ ଉନ୍ମୁକ୍ତ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି। ସେପଟେ ଆଜି ପୁରୀ ଓକିଲ ସଂଘ କର୍ମକର୍ତ୍ତା ଚାରିଦ୍ବାର ଖୋଲିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ପୁରୀ ଓକିଲ ସଂଘ ସଂପାଦକ ବିଭୂତି ଶଙ୍କର ତ୍ରିପାଠୀ କହିଛନ୍ତି, ପୁରୀବାସୀଙ୍କ ପାଇଁ ତୁରନ୍ତ ଚାରିଦ୍ବାର ଖୋଲିବାକୁ ଓକିଲ ସଂଘ ଦାବି ରଖିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ଦାବି ଜୋର୍‌ ଧରିବା ପରେ ଆଜି ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରୁ ହିଁ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତମାନେ ଅଧିକାରୀଙ୍କୁ ଘେରିଥିଲେ। ଚାରିଦ୍ବାର କାହିଁକି ବନ୍ଦ କରାଗଲା ବୋଲି ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛନ୍ତି। ସିଧାସଳଖ କହିଥିଲେ, କୋଭିଡ୍‌ ବେଳେ ଚାରିଦ୍ବାର ବନ୍ଦ ଠିକ୍‌ ଥିଲା। କିନ୍ତୁ କୋଭିଡ୍‌ ପରେ କାହା ସ୍ବାର୍ଥରେ ଚାରିଦ୍ବାର ବନ୍ଦ କରାଯାଇଛି? କାହିଁକି ଭକ୍ତଙ୍କୁ ଏଭଳି କଲବଲ କରାଯାଉଛି? କାହିଁକି ଭକ୍ତମାନେ ବଡ଼ଦାଣ୍ଡରେ ଏତେ ଘଣ୍ଟା ଛିଡ଼ା ହେବେ? ତୁରନ୍ତ ବଡ଼ଦାଣ୍ଡକୁ ଖାଲି କରାଯାଉ। କେବଳ ସିଂହଦ୍ବାର ନୁହେଁ, ଚାରିଦ୍ବାର ଭକ୍ତଙ୍କ ପାଇଁ ଉନ୍ମୁ୍କ୍ତ କରାଯାଉ। କୌଳିକ ପଣ୍ଡା ବି ଭକ୍ତ ନେଇ ଯିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମସ୍ୟା ବି ଦୂର କରାଯାଉ।

atlasobscura.com

ଚାରିଦ୍ବାର ବନ୍ଦକୁ ନେଇ ଏଭଳି ଜୋରଦାର ବିରୋଧ ଓ ହୋହଲ୍ଲା ପରେ ସରକାର ଗଳାବାଟ ବାହାର କରିଛନ୍ତି। ପ୍ରସଙ୍ଗକୁ ବେଶ୍ କିଛି ଦିନ ଯାଏ ଟାଳି ଦେବା ଲାଗି ଗୋଟିଏ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ଶେଷରେ ପ୍ରବଳ ବାଦାନୁବାଦ ଭିତରେ ଏକ ସବ୍‌କମିଟି ଗଠନ କରାଯାଇଛି। ଏହି କମିଟିରେ ଉପଜିଲ୍ଲାପାଳ ଭବତାରଣ ସାହୁ ଆବାହକ ଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ସଦସ୍ୟଙ୍କ ସହ ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଓ ଦାମୋଦର ମହାସୁଆର ରହିଛନ୍ତି। କମିଟି ଚାରିଦ୍ବାର ଖୋଲିବା ଉପରେ ବିସ୍ତୃତ ରିପୋର୍ଟ ଦେବ। ଚାରିଦ୍ବାରରୁ ଭକ୍ତମାନେ କିଭଳି ପ୍ରବେଶ କରିବେ, ଦର୍ଶନ ବ୍ୟବସ୍ଥା କିଭଳି ରହିବ, ମହାପ୍ରସାଦ କେଉଁବାଟେ ଆଣିବାକୁ ଯିବେ, ସବୁ ଉପରେ କମିଟି ରିପୋର୍ଟ ଦେବ। କିନ୍ତୁ ଏନେଇ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ। ତେଣୁ କମିଟି ଗଠନ ଆଳରେ ଚାଲିଦ୍ବାର ଖୋଲିବା ପ୍ରସଙ୍ଗକୁ ପୁଣି ଥରେ ଝୁଲାଇ ରଖିଦିଆଯାଇଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ଆଜିର ଛତିଶାନିଯୋଗ ବୈଠକରେ ଅନେକ ପ୍ରସ୍ତାବ ଆସିଥିଲା। କିନ୍ତୁ ଚାରିଦ୍ବାର ଖୋଲିବା ପ୍ରସଙ୍ଗ ମୁଖ୍ୟ ଥିଲା। ସର୍ବସମ୍ମତିକ୍ରମେ ଚାରିଦ୍ବାର ଖୋଲିବା ଉପରେ ଏକ ସବ୍‌କମିଟି ଗଠନ କରାଯାଇଛି। ଏହି କମିଟି ରିପୋର୍ଟ ଦେବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଚାରିଦ୍ବାର ଖୋଲିବା ଉପରେ ଏକ କୋର କମିଟି ଗଠନ କରାଯାଇଛି। କମିଟି ଚାରିଦ୍ବାର ଦର୍ଶନ ବ୍ୟବସ୍ଥାର ଏସ୍‌ଓପି ପ୍ରସ୍ତୁତ କରିବ। ଏହି କମିଟି ସଦସ୍ୟଙ୍କୁ ନେଇ ଆସନ୍ତା ୨୪ ତାରିଖରେ ଏକ ବୈଠକ ବସିବ। ବୈଠକ ପରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ଶ୍ରୀ ସାହୁ କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ଚାରିଦ୍ବାର ଖୋଲିବା ଉପରେ ଛତିଶାନିଯୋଗର କମିଟି ଗଠନ ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। କିନ୍ତୁ କମିଟି ରିପୋର୍ଟ ଆସିବା ପର୍ଯ୍ୟନ୍ତ ଚାରିଦ୍ବାର ମଧ୍ୟରୁ ଆଉ ଏକ ଦ୍ବାର ପୁରୀବାସୀଙ୍କ ପାଇଁ ଖୋଲାଯାଉ। ଚାରିଦ୍ବାର ଖୋଲିବା ପାଇଁ ଭକ୍ତ ବହୁଦିନ ଅପେକ୍ଷା କରିଛନ୍ତି। ଭକ୍ତଙ୍କ ଧୈର୍ଯ୍ୟର ଆଉ ପରୀକ୍ଷା ନିଆନଯାଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ