ଅପରାଧ ରାଜ୍ୟ

ମଦ ନେଉଛି ମୁଣ୍ଡ: କମ୍‌ ବୟସରୁ ଗାଁ​ର ୨୦ରୁ ଊର୍ଦ୍ଧ୍ବ ବିଧବା

କେନ୍ଦୁଝର: ସାବି ମୁଣ୍ଡା, ବୟସ ୫୫। ସ୍ବାମୀ, ପୁଅବୋହୂଙ୍କୁ ନେଇ ତାଙ୍କ ହସଖୁସିର ସଂସାର ଥିଲା। ହେଲେ ସେହି ସୁଖର ସଂସାରକୁ ଉଜାଡ଼ି ଦେଲା ମଦ। ସ୍ବାମୀଙ୍କଠାରୁ ଆରମ୍ଭ କରି ପୁଅବୋହୂ ସମସ୍ତେ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ଆଉ ଏହି ଅକାଳ ମୃତ୍ୟୁ ପଛର ମୂଳ କାରଣ ହେଉଛି ମଦ। ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇ ଏବେ ସାବି ନିଃସଙ୍ଗ ଜୀବନ ବିତାଉଛନ୍ତି। ମାନସିକ ଭାରସାମ୍ୟ ହରାଇ ପର ହାତଟେକାରେ ବଞ୍ଚିଛନ୍ତି। କେନ୍ଦୁଝର ଜିଲ୍ଲା ଶଙ୍କରପୁର ମୁଣ୍ଡାସାହି‌ରେ ସାବିଙ୍କ ପରି ୨୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ବିଧବା ସଜାଇ ଦେଇଛି ମଦ।

ସ୍ବାମୀ ଶିବ ମୁଣ୍ଡାଙ୍କ ମୃତ୍ୟୁ କେବେ ହୋଇଛି ସେ ସମ୍ପର୍କରେ ସାବି କହି ପାରୁ ନଥିବା ବେଳେ ତିନିବର୍ଷ ତଳେ ପୁଅ ଚକ୍ର, ଏହାପରେ ବୋହୂ ନିରାଶ, ବର୍ଷେ ତଳେ ସାନବୋହୂ ରଜନୀ ଓ ମାସେ ତଳେ ସାନପୁଅ ବିଦେଶୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। ନିଜର ସମସ୍ତ ପରିଜନଙ୍କୁ ହରାଇ ସାବି ଦୁଃଖକଷ୍ଟରେ କାଳ କାଟୁଥିବା ବେଳେ ତାଙ୍କୁ ଏଯାଏ ସାମାଜିକ ସୁରକ୍ଷା ଯୋଜନାରେ ବିଧବା ଭତ୍ତା ମିଳି ନଥିବା ସେ କହିଛନ୍ତି। ସାହିର ପୂଜା ମୁଣ୍ଡାଙ୍କ ବୟସ ମାତ୍ର ୨୫ ବର୍ଷ ହୋଇଥିବା ବେଳେ ସେ ତିନିବର୍ଷ ତଳୁ ବିଧବା ହେଲେଣି। ସ୍ବାମୀ ରମିନ ମୁଣ୍ଡା କାମଧନ୍ଦା କରି ପରିବାର ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ପୂଜା ବିଧବା ଭତ୍ତା କିମ୍ବା କୌଣସି ସରକାରୀ ସୁବିଧା ପାଉ ନଥିବାରୁ ବିଲବାଡ଼ିରେ କାମ କରି ଚଳୁଛନ୍ତି। ସାହିର ପୁଷ୍ପଲତା ମୁଣ୍ଡାଙ୍କ କାହାଣୀ ମଧ୍ୟ ସମାନ। ତାଙ୍କୁ ମଧ୍ୟ ୨୪ ବର୍ଷ ହୋଇଥିବା ବେଳେ ଗତବର୍ଷ ସ୍ବାମୀ ଉତ୍ତମ କୁମର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ସବୁବେଳେ ମଦ ନିଶାରେ ଚୁର୍‌ ହୋଇ ରହୁଥିବା ଉତ୍ତମଙ୍କ ପେଟ ଫୁଲିଯିବା ସହ ଝାଡ଼‌ା, ପରିସ୍ରା ବନ୍ଦ ‌ହୋଇଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ଏବେ ପୁଷ୍ପଲତା ତିନି ପୁଅଝିଅଙ୍କୁ ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି। ଏହାଛଡ଼ା ରାଜେଶ ମୁଣ୍ଡା, ସୁରେନ ମୁଣ୍ଡା, ଉପେନ୍ଦ୍ର ମୁଣ୍ଡା, ବୁଧୁ ମୁଣ୍ଡ, ଗୁରା ମୁଣ୍ଡା, ଗୁଲୁଠୁ ମୁଣ୍ଡା, ସିଂହରାୟ ମୁଣ୍ଡା, ସିକୁରା ମୁଣ୍ଡା, ଟୁରା ମୁଣ୍ଡା, ମଦନ ମୁଣ୍ଡା, ଡାକ୍ତର ମୁଣ୍ଡାଙ୍କର ମଧ୍ୟ ଜୀବନ ନେଇଛି ମଦ। ସେମାନଙ୍କ ମୃତ୍ୟୁ ପରେ ପରିବାର ଦୁଃଖକଷ୍ଟରେ ଚଳୁଛନ୍ତି।

କେନ୍ଦୁଝର ସଦର ବ୍ଲକ୍‌ ଶଙ୍କରପୁର ମୁଣ୍ଡାସାହି ଆରମ୍ଭରେ ରହିଛି ଦେଶୀମଦ ଭାଟି। ଏଠାରେ ଦେଶୀ ମହୁଲିମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ଏହି ମଦଭାଟିରୁ ସରକାର ପ୍ରତି ମାସରେ ୨ ଲକ୍ଷ ୨୮ ହଜାର ଟଙ୍କା ରାଜସ୍ବ ପାଉଛନ୍ତି। କିନ୍ତୁ ଏଠାରେ ମଦ କେମିତି ତିଆରି ହେଉଛି ତାର ପ୍ରଣାଳୀକୁ କେହି ନିରୀକ୍ଷଣ କରୁନାହାନ୍ତି। ମଦକୁ ଅଧିକ ନିଶାଯୁକ୍ତ କରିବାପାଇଁ ଏଥିରେ ୟୁରିଆ ଭଳି ରସାୟନିକ ପଦାର୍ଥକୁ ମିଶାଯାଉଛି। ଏହି ଅପମିଶ୍ରିତ ମଦ ମୁଣ୍ଡାସାହି ପାଇଁ ବିପଦର କାରଣ ପାଲଟିଛି। ମଦ ପିଇ ଗାଁର ଜଣକ ପରେ ଜଣେ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ବେଳେ ସେମାନଙ୍କ ପତ୍ନୀମାନେ ଅଳ୍ପ ବୟସରେ ବିଧବା ହୋଇଛନ୍ତି। ସରକାର ମଦଭାଟି ଖୋଲି ରାଜସ୍ବର ହିସାବ ରଖୁଛନ୍ତି ସିନା ଏହି ନିରୀହ ଆଦିବାସୀଙ୍କ ମୃତ୍ୟୁର ହିସାବ ରଖିପାରୁ ନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।