ରାଜ୍ୟ ସ୍ପେଶାଲ ରିପୋର୍ଟ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୪୮ ଘଣ୍ଟାରେ ଲଘୁଚାପ ରୂପ ନେବ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ବବର୍ତ୍ତୀ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ଯାଏ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆସନ୍ତା‌ ୨୨ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ପୁରୀ, ଜଗତସିଂହପୁର, ଖୋ‌ର୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ବରଗଡ଼ ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଗଞ୍ଜାମ, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଦେବଗଡ଼ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ୨୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ହେତୁ ଆକସ୍ମିକ ବନ୍ୟା ସ୍ଥିତି ଉପୁଜିପାରେ। ତଳୁଆ ଅଞ୍ଚଳରେ ପାଣି ଜମିବା ସହ ସହର ଅଞ୍ଚଳରେ ଟ୍ରାଫିକ୍‌ଜନିତ ସମସ୍ୟା ଉପୁଜିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଯାଇଛି। ଅନ୍ୟପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ପାଗ ମେଘୁଆ ସହ ବର୍ଷା ଜାରି ରହିଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସପ୍ତାହେ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟରେ ବିସ୍ତୃତ ଭାରି ବର୍ଷା ହେବାର ସମ୍ଭାବନା କମ୍‌। ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରରେ ବିକ୍ଷିପ୍ତ ସ୍ବଳ୍ପ ବର୍ଷା ହେବା ବେଳେ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରରେ ମଧ୍ୟମ ଧରଣର (୧୫ରୁ ୩୫ ମିମି) ଓ ସ୍ଥାନେ ସ୍ଥାନେ ପ୍ରାୟତଃ ଭାରୀ ବର୍ଷା (୩୫ରୁ ୬୪ ମିମି) ହେବାର ସମ୍ଭାବନା ରହିଛି। ବିସ୍ତୃତ ଅତିପ୍ରବଳ ବା ପ୍ରବଳ ବର୍ଷା ସମ୍ଭାବନା ନାହିଁ। ହୁଏତ, ୨୩ ଓ ୨୫ ତାରିଖ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା (୬୪ ମିମିରୁ ଅଧିକ) ହୋଇପାରେ। ସପ୍ତାହର ସମୁଦାୟ ବର୍ଷା ୬୦ରୁ ୭୫ ମିମି ହେବ। ୨୩ରୁ ୨୫ ତାରିଖ ମଧ୍ୟରେ ବର୍ଷା କିଛି ମାତ୍ରାରେ ବଢ଼ିବ। ୨୬ରୁ ୨୭ ତାରିଖ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ ଓ ୨୮ ତାରିଖରୁ ସାରା ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ି ପ୍ରବଳ ବର୍ଷା ହୋଇପାରେ।

ବର୍ଷା କମ୍‌ ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ୨୧ରୁ ୨୫ ତାରିଖ ମଧ୍ୟରେ ୨ରୁ ୩ ଡିଗ୍ରି ବଢ଼ିପାରେ। ଭୁବନେଶ୍ବରରେ ୨୧ ତାରିଖରେ ତାପମାତ୍ରା ୩ ଡିଗ୍ରି ବଢ଼ିପାରେ। ୧୮ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ରହିବ। ଏହା ୩ କିମି ଉଚ୍ଚତା ପର୍ଯ୍ୟନ୍ତ ଦକ୍ଷିଣ ଆଡ଼କୁ ଢଳିରହିବା ଯୋଗୁଁ ଦକ୍ଷିଣରେ ବର୍ଷା ଅଧିକ ହେବ। ଏହା ଫଳରେ ଆନ୍ଧ୍ର (ଉତ୍ତର ଉପକୂଳ ବ୍ୟତୀତ), ତେଲେଙ୍ଗାନା ଓ ପୂର୍ବ ମହାରା‌ଷ୍ଟ୍ରରେ ପ୍ରବଳ ବର୍ଷା ହେବା ବେଳେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶାରେ ବର୍ଷା କମ୍‌ ରହିବ ବୋଲି ସିପିସି ମଡେଲ କହୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ବର୍ଷାରେ ମାଟି ଆର୍ଦ୍ର ହୋଇଛି। କିନ୍ତୁ ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ ଓ ରାୟଗଡ଼ା ଆଦି ଅନେକ ଜିଲ୍ଲାରେ ଧାନ ରୁଆ ବେଉଷଣ ପାଇଁ ବର୍ଷା ପର୍ଯ୍ୟାପ୍ତ ନାହିଁ। ତଳି ପୋଡ଼ିବାରୁ ରକ୍ଷା ପାଇଯାଇଥିବ‌ା‌ ବେଳେ ବଢ଼ିବା ପାଇଁ ବିଶେଷ ବର୍ଷା ହୋଇନାହିଁ। କିନ୍ତୁ ପରିବା ଓ ମାଣ୍ଡିଆ ରୋଇ ହେବ। ହରଡ଼ ଓ କପା ଶୀଘ୍ର ଲଗାନ୍ତୁ। ଏହା ସହ ବିରି, ମୁଗ, ରାଶି ଓ ଅନ୍ୟାନ୍ୟ ଅଣଧାନ ଲଗାଇବା ଲାଗି ସେ ପରାମର୍ଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।