ଭୁବନେଶ୍ବର: କୃଷି କ୍ଷେତ୍ରକୁ ସଶକ୍ତ କରିବା ସହ ବିହନ ବିତରଣ କାର୍ଯ୍ୟ ଠିକ୍ ଭାବେ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆୟୋଜିତ ରାଜ୍ୟ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ନିଯୁକ୍ତିପ୍ରାପ୍ତ ୪୦୬ ଅଧିକାରୀଙ୍କ ମଧ୍ୟରୁ ୨୦୬ ସହଯୋଗୀ କୃଷି ଅଧିକାରୀ, ୧୦୨ ସହଯୋଗୀ କୃଷି ଯନ୍ତ୍ରୀ ଏବଂ ୪୩ଜଣ ବିହନ ନିଗମର ଅଧିକାରୀ ଅଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର କୃଷି ଏବଂ ଏହାର ସହଯୋଗୀ ବିଭାଗକୁ ପ୍ରାଥମିକତା ଦିଏ। ଏହା ଜରିଆରେ ସରକାର ଲଗାତାର ଭାବେ ଚାଷୀ ଆୟବୃଦ୍ଧି ସହ ସେମାନଙ୍କୁ ସଶକ୍ତ କରିଥାଏ। ଖାସ୍ ଏଥିପାଇଁ ଖାଦ୍ୟ ସଂକଟ ଦେଇ ଗତି କରୁଥିବା ରାଜ୍ୟ ଆଜି ଦେଶର ବିତରଣ ବ୍ୟବସ୍ଥାରେ ଖାଦ୍ୟ ରପ୍ତାନି କରିପାରୁଛି। ବିଭିନ୍ନ ଯୋଜନା ମାଧ୍ୟମରେ ଫସଲର ବିବିଧୀକରଣ ସହ ଚାଷୀଙ୍କୁ ସହାୟତା କରାଯାଇ ପାରୁଛି।
କାଳିଆ ଏବଂ ବଳରାମ ଯୋଜନା ଚାଷୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିଛି। କୃଷି ଯାନ୍ତ୍ରିକୀକରଣ ଉତ୍ପାଦନ ବଢ଼ାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କୃଷି କ୍ଷେତ୍ରର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରୁଛି। ଗୁଣାତ୍ମକ ବିହନ ଯୋଗାଣ ଦିଗରେ ବିହନ ନିଗମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ତିନି ଦଶନ୍ଧି ଧରି କୃଷି କ୍ଷେତ୍ରର ଉନ୍ନତି ଦିଗରେ ନୂତନ ଭାବରେ ନିଯୁକ୍ତିପ୍ରାପ୍ତ ଏହି ଯୁବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। କୃଷି ଏବଂ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଜନାର ସଫଳତା ଚାଷୀଙ୍କ ପାଖକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, କୃଷି କ୍ଷେତ୍ରକୁ ଗୁରୁତ୍ବ ଗାଁର ଦାରିଦ୍ର୍ୟତାକୁ ହ୍ରାସ କରିବ। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କାର୍ଯ୍ୟକ୍ରମର ପ୍ରାଥମିକ ସୂଚନା ଏବଂ ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଦେଇଥିଲେ। ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ ଏବଂ ଉନ୍ନୟନ କମିସନର ଅନୁ ଗର୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।