ରାଜ୍ୟ

ଓଡ଼ିଶା ସାହିତ୍ୟ ଏକାଡେମି ସଚିବ: ପ୍ରବୋଧ ରାଉତଙ୍କ ପରଲୋକ

କଟକ: ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ତଥା ବିଶିଷ୍ଟ ସାରସ୍ବତ ସାଧକ ପ୍ରବୋଧ କୁମାର ରାଉତଙ୍କର ମଙ୍ଗଳବାର ସଂଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। ଗଲା ୧୬ ତାରିଖ ସକାଳେ କନିକାଛକରେ ଏକ ଦୁର୍ଘଟଣାରେ ଶ୍ରୀ ରାଉତ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା। ଅନ୍ତିମ ସମୟରେ ପତ୍ନୀ ପୁଷ୍ପଲତା ରାଉତ, ପୁଅ ପ୍ରତିଷ୍ଠା ରାଉତ, ଝିଅ ପ୍ରାଚୁର୍ଯ୍ୟା ରାଉତଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପ୍ରବୋଧଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

୧୯୭୧ ମସିହାରେ ଜଗତସିଂହପୁର ଜିଲ୍ଲା କଟରା ପଞ୍ଚାୟତ ଗୋପାଳପୁର ଗ୍ରାମରେ ପ୍ରବୋଧ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଧର୍ମାନନ୍ଦ ରାଉତ ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଓ ମା ପ୍ରମିଳା ରାଉତ ଗୃହିଣୀ। ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ସହ ଆଇନରେ ସ୍ନାତକ, ସମବାୟ ପରିଚାଳନା ଓ ରତ୍ପାନୀ ପରିଚାଳନାରେ ଡିପ୍ଲୋମା ଡିଗ୍ରି ହାସଲ କରିଥିଲେ। ବାଲିଆ କଲେଜରେ ସ୍ବଳ୍ପ ସମୟ ପାଇଁ ଅଧ୍ୟାପନା କରିବା ପରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଓଏଏସ୍ ଅଧିକାରୀ ଭାବେ ସେ କୋରାପୁଟ, ଆସ୍କା, ଅନୁଗୁଳ, ଛେଣ୍ଡିପଦା, ଜଟଣୀ, କଟକ, ଭୁବନେଶ୍ବରରେ ଦକ୍ଷତାର ସହ କାର୍ଯ୍ୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବୃତ୍ତିରେ ସେ ପ୍ରଶାସନିକ ଅଧିକାରୀ ‌ହୋଇଥିଲେ ବି ନିଶା ଥିଲା ତାଙ୍କର ସାରସ୍ବତ ସାଧନା। ତାଙ୍କର କବିତା ଗ୍ରନ୍ଥ ‘ଏକାବନ କବିତା, ମିନି କବିତା ‘ଭୁଲିପାରୁନି ବୋଲି, ଗୀତ ବହି ‘ହୃଦୟ ସଂଗୀତ, ଗଳ୍ପ ବହି ‘ଗପସପ, ‘ଅଜନ୍ତା ଏଲୋରା ପରୀ, ହୃଦୟ ମାଗୁଥିବା ଝିଅ, ନାଟକ ବହି ‘ନାଟ୍ୟଶାଳା, ଇଂରାଜୀ ନାଟକ ‘ମିଷ୍ଟ୍ରି ଅଫ ବ୍ରୋଙ୍କ ଟ୍ରଙ୍କ ଆଦି ପାଠକୀୟ ସ୍ବୀକୃତି ହାସଲ କରିଥିଲା। ଏ‌ହା ବ୍ୟତୀତ ଅନେକ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ତାଙ୍କର ନିୟମିତ ଲେଖା ପ୍ରକାଶ ପାଉଥିଲା। ଉଲ୍ଲେଖନୀୟ ଯେ ସାରସ୍ବତ ସାଧନା ପାଇଁ ପ୍ରବୋଧଙ୍କୁ କଟକ ଆକାଶବାଣୀ ସମେତ ବହୁ ସାରସ୍ବତ ଅନୁଷ୍ଠାନ ଦ୍ବାରା ସମ୍ମାନ ଓ ସମ୍ବର୍ଦ୍ଧିତ କରାଯାଇଛି। କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ଗୌରହରି ଦାସ, ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚାନ୍ଦ, ବିଶି‌ଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଅଧ୍ୟାପକ ଡକ୍ଟର ବିଜୟ କୁମାର ରାଉତ ପ୍ରମୁଖ ପ୍ରବୋଧଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।