ରାଜ୍ୟ ସ୍ପେଶାଲ ରିପୋର୍ଟ

ତିନି ଜିଲ୍ଲାରେ ବର୍ଷା ବିତ୍ପାତ: ଆନ୍ଧ୍ର, ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି/କନ୍ଧମାଳ/ଗଜପତି: ଲଗାଣ ବର୍ଷା ଯୋଗୁ ତିନି ଜିଲ୍ଲାରେ ମାଲକାନଗିରି, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଜୀବନଯାତ୍ରା ବାଧାପ୍ରାପ୍ତ ହେବା ସହ ଅନେକ ଅଞ୍ଚଳ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ଷାର ପ୍ରକୋପ ବଢ଼ିବା ପରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଅଞ୍ଚଳକୁ ଯାତାୟାତ ଠପ୍‌ ହୋଇଯାଇଛି। ରାତି ପ୍ରାୟ ସାଢ଼େ ୮ଟାରେ ପୋଟେରୁ ପୋଲ ସଂପୂର୍ଣ୍ଣ ବୁଡ଼ି ଯାଇଥିଲା। ଯାହାଫଳରେ କାଲିମେଳା ସହ ଆନ୍ଧ୍ର ଏବଂ ତେଲେଙ୍ଗାନା ରାଜ୍ୟକୁ ସଂଯୋଗ କରୁଥିବା ୩୨୬ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ସେହିପରି ମାଲକାନଗିରି ସହରର ଅନେକ ଘରେ ପାଣି ପଶିଯାଇଛି। ବର୍ଷା ଲାଗି ରହିଲେ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଅନେକ ଅଞ୍ଚଳ ଜଳମଗ୍ନ ହୋଇଯିବ। ଜିଲ୍ଲାରେ ପ୍ରବାହିତ ସମସ୍ତ ନଦୀ ଅସ୍ବାଭାବିକ ଭାବେ ଫୁଲିବାରେ ଲାଗିଛି। କ୍ରମାଗତ ବନ୍ୟାଜଳ ନଦୀ ତଥା ନାଳ ଗୁଡ଼ିକରେ ପ୍ରବେଶ କରୁଥିବାରୁ ଜଳ ନିଷ୍କାସନ ନହୋଇ କୂଳ ଖାଇବାରେ ଲାଗିଛି।

ମାଲକାନଗିରିରେ ଅଚାନକ ବନ୍ୟା
ଗଜପତିରେ ମାଟି ଅତଡ଼ା ଧସି ୭ ଛେଳି ମୃତ
କନ୍ଧମାଳର ଘାଟିରାସ୍ତାରେ ଯାତାୟାତ ବନ୍ଦ

ଜିଲ୍ଲାରେ ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ ୪୪୨.୩ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଖଇରପୁଟ ବ୍ଲ‌କ୍‌ରେ ସର୍ବାଧିକ ୧୦୭ମିମି ବର୍ଷା ହୋଇଛି। ବର୍ଷାରେ ନଦୀ ଗୁଡ଼ିକର ଜଳସ୍ତର ହଠାତ୍‌ ବୃଦ୍ଧି ପାଇଥିଲା। ତାର୍ଲା କୋଟା ନଦୀରେ ବନ୍ୟାଜଳ ପ୍ରବେଶ ପରେ ବାଲିମେଳାକୁ ସଂଯୋଗ କରୁଥିବା ଏମ୍‌ଭି-୩୭ ପୋଲ ଉପରେ ୩ଫୁଟ ପାଣି ଚାଲିଥିଲା। ପ୍ରଖର ସ୍ରୋତ ରହିଥିବାରୁ ଓର୍କେଲ ପୁଲିସ ପକ୍ଷରୁ ଯାତାୟାତକୁ ବନ୍ଦ କରାଯାଇଛି। ଏମଭି-୪୨ ଓ ଏମଭି-୧୨ ଗ୍ରାମ ମଧ୍ୟରେ ନଦୀ ପାଣି ହଠାତ ରାସ୍ତା ଉପରକୁ ଚାଲି ଆସିବାରୁ ଏମଭି-୪୭, ପିଟାଗେଡା, ମାରିବେଡା ପଞ୍ଚାୟତକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ମାଲକାନଗିରି ସହର ଡିଏନ୍‌କେ କେଲୋନି, କାଲିମେଳା ବ୍ଲକ୍‌ର କାଙ୍ଗୁରକୋଣ୍ଡା, ପଡିଆ, ଖଇରପୁଟ ବ୍ଲକର ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତ ବନ୍ଦ ହୋଇଯାଇଛି। ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାରଳାଖେମୁଣ୍ଡି ଉପକଣ୍ଠ କେରାଣ୍ଡି ପଞ୍ଚାୟତରେ ଆଜି ଅପରାହ୍ନରେ ଏକ ଅସ୍ଥାୟୀ ପୋଲ ଭାସି ଯାଇଥିବା ବେଳେ ବେତାଗୁଡ଼ା ଅଞ୍ଚଳର ଏକ ପାହାଡ଼ରୁ ମାଟି ଅତଡ଼ା ଖସି ଏହାତଳେ ପୋତି ହୋଇ ୭ଟି ଛେଳି ପ୍ରାଣ ହରାଇଥିବା ଜଣାପଡ଼ିଛି। ପାରଳା ସହର ଉପକଣ୍ଠ ବେତାଗୁଡ଼ା ଅଞ୍ଚଳରେ ଥିବା ଏକ ଛୋଟିଆ ପାହାଡ଼ରୁ ମାଟି ଓ ପଥର ଅତଡ଼ା ଖସିବା ଫଳରେ ସେଠାରେ ଚରୁଥିବା ଝାମୀ ଗ୍ରାମର ଜି. ଭେଙ୍କଟ ରାଓଙ୍କର ୭ଟି ଛେଳି ପ୍ରାଣ ହରାଇଛନ୍ତି। ଅଗ୍ନିଶମ କର୍ମଚାରୀ ପହଞ୍ଚି ଛେଳିଗୁଡ଼ିକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। କେରାଣ୍ଡି ପଞ୍ଚାୟତର କେରାଣ୍ଡି ଓ ଡାଳିମ୍ବପୁରକୁ ସଂଯୋଗ କରୁଥିବା ପୋଲଟି ଲଗାଣ ବର୍ଷାରେ ଭାସିଯାଇଛି। ଏହି ପୋଲ ଦେଇ ୩ଟି ଗ୍ରାମର ୧୮ ଶହରୁ ଉର୍ଦ୍ଧ୍ବ ଜନସାଧାରଣ ପାରଳାଖେମୁଣ୍ଡି ଯାତାୟାତ କରୁଥିଲେ।

କନ୍ଧମାଳ ଜିଲ୍ଲାରେ ଗତ ୪ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ କେତେକ ସ୍ଥାନରେ କଚ୍ଚା ଘର ଭାଙ୍ଗି ଯାଇଥିବା ବେଳେ ଘାଟି ରାସ୍ତାଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଛି। କୋଟଗଡ଼ର ରାଣୀପାଙ୍ଗା ଘାଟି, ବେଲଘର ଘାଟି, ଲଦାଘାଟି, ଚକାପାଦର ଅଠରବାଙ୍କ ଘାଟି, ଲାଇନପଡ଼ାରୁ ଚକାପାଦ ମଧ୍ୟରେ ଥିବା ଗଦଗଦି ଘାଟି ଏବଂ ଦାରିଙ୍ଗିବାଡ଼ିରୁ ବ୍ରାହ୍ମଣୀଗାଁ ମଧ୍ୟରେ ଥିବା ସିଜିଗାଣ୍ଡା ଓ ଟେକାଙ୍ଗିଆ ଘାଟିରେ ମଧ୍ୟ ଭୂସ୍ଖଳନ ହୋଇ ଯାତାୟାତ ବନ୍ଦ ହୋଇଯାଇଛି। ଭେଟଖୋଲ ଘାଟି ରାସ୍ତା ବିପଦସଂକୁଳ ଅବସ୍ଥାରେ ରହିଛି। କଣ୍ଟାମାଳ ଓ ଗୋଚ୍ଛାପଡ଼ା ମଧ୍ୟରେ ଥିବା ସୁଟାଣି ଘାଟି, ଫିରିଙ୍ଗିଆର ପକାରି ଘାଟି ଓ ବିଲୁରି ଘାଟି ଲଗାଣ ବର୍ଷା ଯୋଗୁଁ ବିପଦସଂକୁଳ ହୋଇପଡ଼ିଛି। ବାଲିଗୁଡ଼ାରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ସାତକାଟି ଘାଟି ଓ ଖମନଖୋଲ ଘାଟି ରାସ୍ତା, ରାଇକିଆ ଓ ସୋରଡ଼ା ମଧ୍ୟରେ ସଂଯୋଗ କରୁଥିବା କରଡ଼ା ଘାଟିର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।