ରାଜ୍ୟ ସ୍ପେଶାଲ ରିପୋର୍ଟ

ପମ୍ପଚାଳିତ ବିଦ୍ୟୁତ୍‌ ପ୍ରକଳ୍ପ ଭାଗ୍ୟ ନିର୍ଦ୍ଧାରଣ ଆଜି: ଓଡ଼ିଶାର ଅନୁମତିକୁ ଆନ୍ଧ୍ରର ଅପେକ୍ଷା

କୋରାପୁଟ: ଓଡ଼ିଶା ସୀମାରେ ମେଗା ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା ଆନ୍ଧ୍ର ବର୍ତ୍ତମାନ ଚୂଡ଼ାନ୍ତ ରୂପ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରକଳ୍ପର କିଛି ଅଂଶ ବିବାଦୀୟ କୋଟିଆ ପଞ୍ଚାୟତକୁ ସଂପ୍ରସାରଣ ହେବାକୁ ରହିଥିବାରୁ ଓଡ଼ିଶାର ଅନୁମତିକୁ ଅପେକ୍ଷା କରିଛି। ଏପରିକି ପ୍ରକଳ୍ପକୁ ବାସ୍ତବ ରୂପ ଦେବାକୁ କେନ୍ଦ୍ର ସରକାରଙ୍କ ମଧ୍ୟ ହସ୍ତକ୍ଷେପ ଲୋଡ଼ିଛି। ଏଥିପାଇଁ ଆସନ୍ତାକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନର୍ଥ ବ୍ଲକ୍‌ରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଥିବା ସୂଚନା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବଙ୍କ ଅଧ୍ୟକ୍ଷାରେ ଏହି ଉଚ୍ଚସ୍ତରୀୟ ବୈଠକ ହେବ ଏବଂ ଏଥିରେ ଆନ୍ଧ୍ରର ମୁଖ୍ୟ ଶାସନ ସଚିବ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ସଚିବ ଉପସ୍ଥିତ ରହିବେ। ଏକାଧିକ ପ୍ରକଳ୍ପ ସଂପର୍କରେ ଆଲୋଚନା ହେବାକୁ ଏଜେଣ୍ଡା ପ୍ରସ୍ତୁତ ହୋଇଥିଲା ବେଳେ ଆନ୍ଧ୍ରର କୁରୁକୁଟି ଓ କାରିଭାଲାସା ପମ୍ପ ଚାଳିତ ଜଳଭଣ୍ଡାରଣ ଶକ୍ତି ପ୍ରକଳ୍ପ (ପିଏଚ୍‌ଏସ୍‌ପିପି) ଭାଗ୍ୟ ଏହି ବୈଠକରେ ନିର୍ଦ୍ଧାରିତ ହେବ।

ଆନ୍ଧ୍ର ସରକାର ସବୁଜ ଶକ୍ତି କ୍ଷେତ୍ରରେ ୫୦୦ ଗିଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ସହାୟତାରେ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ସ୍ଥିର ହୋଇଛି। ଆଦାନୀ ଗ୍ରୁପ୍‌ ଏହି ପ୍ରକଳ୍ପ ନିର୍ମାଣ କରିବ ବୋଲି ସୂଚନା ମିଳିଛି। ତେବେ ପ୍ରକଳ୍ପ ନିମନ୍ତେ ଦୁଇଟି ବିଶାଳ ଜଳଭଣ୍ଡାର ଆବଶ୍ୟକ ପଡୁଛି। ତେଣୁ କୁରୁକୁଟି ପ୍ରକଳ୍ପର ଉପର ଜଳଭଣ୍ଡାର ନିମନ୍ତେ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ସାଲୁର ମଣ୍ଡଳ ଅନ୍ତର୍ଗତ କୁରୁକୁଟି ଏବଂ ସଂଲଗ୍ନ ଅଞ୍ଚଳକୁ ଉପଯୁକ୍ତ ସ୍ଥାନ ଭାବେ ଚିହ୍ନଟ କରାଯାଇଛି। ସେହିପରି କାରିଭାଲାସା ପ୍ରକଳ୍ପ ପାଇଁ ଓଡ଼ିଶାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜେଇପଦର ଗାଁକୁ ନିମ୍ନ ଜଳଭଣ୍ଡାର ନିମନ୍ତେ ଚିହ୍ନଟ କରିଛନ୍ତି। ଗତ ଦିନରେ ଉଭୟ ପ୍ରକଳ୍ପ ନିମନ୍ତେ ଆନ୍ଧ୍ର ପକ୍ଷରୁ ସର୍ଭେ ଆରମ୍ଭ ହୋଇଥିଲା। ଏହିକ୍ରମରେ କୋଟିଆ ପଞ୍ଚାୟତରେ ପଶି ଆନ୍ଧ୍ର ଅଧିକାରୀ ସର୍ଭେ କରିବା ସମୟରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ଯାହାଫଳରେ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଥିଲା। ଏପରିକି ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ କାରଣରୁ ଆନ୍ଧ୍ର ଡିପିଆର୍‌ ପ୍ରସ୍ତୁତ କରିଥିଲେ ସୁଦ୍ଧା ସର୍ଭେ ଶେଷ ହୋଇନଥିବାରୁ ଅନୁମୋଦିତ ହୋଇପାରି ନଥିଲା।

କିଛି ମାସ ପର୍ଯ୍ୟନ୍ତ ଓଡ଼ିଶାର ସହମତି ପାଇଁ ଅପେକ୍ଷା କରିବା ପରେ ଏବେ ପୁଣି ତତ୍ପରତା ପ୍ରକାଶ କରିଛି ଆନ୍ଧ୍ର। ଜାତୀୟ ସ୍ବାର୍ଥ ଏବଂ ଉଭୟ ରାଜ୍ୟର ହିତ ରହିଥିବା ଦର୍ଶାଇ ଅଟକି ରହିଥିବା ସର୍ଭେ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଉଦ୍ୟମ ଆରମ୍ଭ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ଆପୋସ ବୁଝାମଣା ମାଧ୍ୟମରେ ସାମଧାନର ରାସ୍ତା ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ କୋଟିଆ ଗ୍ରାମପୁଞ୍ଜର ୧୨ରୁ ଅଧିକ ଗ୍ରାମ କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।