ରାଜ୍ୟ ସ୍ପେଶାଲ ରିପୋର୍ଟ

ଅବ୍ୟବସ୍ଥା ଭିତରେ ଭେଲୋରା ହାଟ, ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି ସୁଧୁରୁନି ସମସ୍ୟା

ଜଳେଶ୍ୱର/ବସ୍ତା-୨/ରାଜଘାଟ: ବସ୍ତା ବ୍ଲକ୍‌ ଅଧୀନ ଭେଲୋରା ସାପ୍ତାହିକ ହାଟ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି। ହାଟର ଉନ୍ନତୀକରଣ ପାଇଁ ପୃଥକ୍‌ ଯୋଜନାରେ ପାଖାପାଖି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସ୍ଥିତି ସୁଧୁରୁନି। ଫଳରେ ବ୍ୟବସାୟୀ ଓ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଭେଲୋରା ସାପ୍ତାହିକ ହାଟ ପ୍ରତି ରବିବାର ଓ ଗୁରୁବାର ଭୋର୍‌ରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିଥାଏ। ହାଟ ଉପରେ ବସ୍ତା ବ୍ଲକ୍‌ର ଭେଲୋରା, ସନ୍ତୋଷପୁର, ପାଉଁଶକୁଲି, ରଘୁନାଥପୁର, କରୁଆ ଓ କାଦରାୟାଁ ଏବଂ ଜଳେଶ୍ୱର ବ୍ଲକ୍‌ର ମହମ୍ମଦ ନଗର ପାଟଣା, ରାଜପୁର, ଆର୍‌ଆର୍‌ପୁର, କୋକସାହି, ପାଇକସିଦା, ଗଡ଼ସାହି ବାଲିଆପାଳ ଆଦି ପଞ୍ଚାୟତର ଚାଷୀ, ବ୍ୟବସାୟୀ ଓ ଜନସାଧାରଣ ନିର୍ଭର କରିଥା’ନ୍ତି। ସେହିପରି ପଶ୍ଚିମବଙ୍ଗ ସହ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ୩ ଶହରୁ ଅଧିକ ବ୍ୟବସାୟୀ ଏଠାକୁ ବିଭିନ୍ନ ଜିନିଷ କିଣାବିକା ପାଇଁ ଆସନ୍ତି। ତେବେ ହାଟରେ ନାନା ସମସ୍ୟା ରହିଛି। ଲୋକେ ହାଟରେ ଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଦାବି କରୁଥିଲେ। ଫଳରେ ପଞ୍ଚମ ରାଜ୍ୟ ଅର୍ଥ କମିସନଙ୍କ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ହାଟର ଉନ୍ନତୀକରଣ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଉକ୍ତ ଟଙ୍କାରେ ହାଟ ପିଣ୍ଡି ସହ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କାମ କରାଯାଇଛି।

ହେଲେ ଆବଶ୍ୟକ ଅନୁସାରେ ପିଣ୍ଡି ନଥିବାରୁ ଏବେ ବି ବହୁ ବ୍ୟବସାୟୀ ଖରାବର୍ଷାରେ ତଳେ ବସି ବ୍ୟବସାୟ କରିବାକୁ ବାଧ୍ୟ ହୁଅନ୍ତି। ତେବେ ବର୍ତ୍ତମାନ ଆଉ କିଛି ପିଣ୍ଡି ନିର୍ମାଣ କରାଯାଉଥିବା ବେଳେ କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ଅଭିଯୋଗ ଆସିଛି। ସାମାନ୍ୟ ବର୍ଷା ହେଲେ ହାଟ ଭିତର କାଦୁଆ ହୋଇଯାଉଛି। ସେହିପରି ହାଟରେ ପିଇବା ପାଣିର ବ୍ୟବସ୍ଥା ଆଶାନୁରୂପ ନୁହେଁ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏଥିରୁ ଠିକଣା ସମୟରେ ପାଣି ମିଳୁନି। ସେହିପରି ୨୦୨୦-୨୧ ମସିହାରେ ୩ ଲକ୍ଷ ଟଙ୍କା ବ୍ୟୟ କରି ହାଟ ଭିତରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲା। ହେଲେ କାମରେ ନଲାଗି ସେଥିରେ ତାଲା ଝୁଲୁଛି। ବ୍ୟବସାୟୀ ଓ ଗ୍ରାହକଙ୍କ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଓ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ହୋଇ ରହୁଛି। ଫଳରେ ଭେଲୋରା-ବାଲିଆପାଳ ଭାୟା ଜାମଶୁଳି ହାଟ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି।

ତେବେ ନିଲାମ ଦିଆଯାଇ ମହାସୁଲ ଆଦାୟ କରାଯାଉଥିବାରୁ ହାଟରେ ସମସ୍ତ ମୌଳିକ ସୁବିଧା ଉପଲବ୍‌ଧ କରାଯାଉ ବୋଲି ସ୍ଥାନୀୟ ବ୍ୟବସାୟୀ ସଚ୍ଚିନ୍ଦ୍ର କୁମାର ବାଗଙ୍କ ସହ ଚାଷୀ ଯୋଗେନ୍ଦ୍ର ନାଥ ନନ୍ଦୀ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଦୁର୍ଗାରାଣୀ ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଗୋଷ୍ଠୀ ଶୌଚାଳୟକୁ ପାଣି ସଂଯୋଗ ନଥିବାରୁ ତାହା ବନ୍ଦ ରହିଛି। ହାଟରେ ଥିବା ସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।