ରାଜ୍ୟ ସ୍ପେଶାଲ ରିପୋର୍ଟ

ମା’ ଲକ୍ଷ୍ମୀଙ୍କ ନାମରେ ଶ୍ରୀୟା ହଲ୍‌: ହଲ୍‌ ପରେ ଛକର ନାମ ‘ଶ୍ରୀୟା’

ଭୁବନେଶ୍ବର: ସୁଖସମୃଦ୍ଧି, ସୌଭାଗ୍ୟ ଓ ବୈଭବର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ମା’ଙ୍କ ଆଶୀର୍ବାଦ ଥିଲେ ସଂସାରର ସବୁ ଦୁଃଖ ଓ ଦାରିଦ୍ର୍ୟରୁ ମଣିଷ ଦୂରେଇ ରୁହେ। ଖାସ୍‌ ସେଥିପାଇଁ କେ.ସି ମହାନ୍ତି ଯେତେବେଳେ ଏକ ସିନେମା ହଲ୍‌ ତିଆରି କରିବାର ସ୍ବପ୍ନ ଦେଖୁଥିଲେ ଓ ହଲ୍‌ର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ପତ୍ନୀ ଚନ୍ଦନପ୍ରଭା ମହାନ୍ତି ହଲ୍‌ର ନାମ ‘ଶ୍ରୀୟା’ ରଖିବାକୁ ପ୍ରସ୍ତାବ ଦେଇଥିଲେ। ମା’ ଲକ୍ଷ୍ମୀଙ୍କର ଅନ୍ୟ ଏକ ନାମ ‘ଶ୍ରୀୟା’ ହୋଇଥିବାରୁ ଶ୍ରୀମତୀ ମହାନ୍ତି ଏହି ନାମ ପ୍ରସ୍ତାବ ଦେଇଥିଲେ। ଏହାପରେ ଏହି ନାମ ଅନୁସାରେ ହିଁ ୧୯୭୩ ମସିହା ସେପ୍ଟେମ୍ବର ୧୪ରେ ଖୋଲିଥି‌ଲା ଭୁବନେଶ୍ବରର ତୃତୀୟ ସିନେମା ହଲ୍‌ ‘ଶ୍ରୀୟା ହଲ୍‌’। ଶ୍ରୀୟା ହଲ୍‌ର ଲୋକପ୍ରିୟତା ଏତେ ବଢ଼ିଥିଲା ଯେ ହଲ୍‌ ନିର୍ମାଣର ୧ ବର୍ଷ ମଧ୍ୟରେ ଏହା ରାଜଧାନୀର ଏକ ପ୍ରମୁଖ ଲ୍ୟାଣ୍ଡମାର୍କ ହେବା ସହ ଛକଟିକୁ ଲୋକମାନେ ‘ଶ୍ରୀୟା ଛକ’ କହିବା ଆରମ୍ଭ କରି ଦେଇଥିଲେ।
ଶ୍ରୀୟା କମ୍ପ୍ଲେକ୍ସର ପରିଚାଳନା ନିର୍ଦ୍ଦେଶକ ବିଜେନ୍ଦ୍ର ମହାନ୍ତି କହିଛନ୍ତି, ଆମ ପରିବାର ଅତ୍ୟନ୍ତ ଧାର୍ମିକ ଓ ଈଶ୍ବରବିଶ୍ବାସୀ।

ଏଣୁ ମୋ ମା’ ଚନ୍ଦନପ୍ରଭା ମହାନ୍ତି ମା’ ଲକ୍ଷ୍ମୀଙ୍କ ନାମରେ ହଲ୍‌ଟିର ନାମ ଶ୍ରୀୟା ରଖିଥିଲେ। ଏହା ଆଗରୁ ରାଜଧାନୀରେ ଦୁଇଟି ହଲ୍‌ ‘ରବି ଟକିଜ୍‌’ ଓ ‘କଳ୍ପନା ହଲ୍‌’ ହିଁ ଥିଲା। ୧୯୭୩ ମସିହା ସେପ୍ଟେମ୍ବର ୧୪ରେ ଶ୍ରୀୟା ହଲ୍‌ ଖୋଲିବା ସହ ୩ରୁ ୬ଟା ‌ପର୍ଯ୍ୟନ୍ତ ହଲ୍‌ର ପ୍ରଥମ ସୋ’ ଭାବେ ହିନ୍ଦୀ ଚଳଚ୍ଚିତ୍ର ‘ଗୋମ୍‌ତି କେ କିନାରେ’ ପ୍ରଦର୍ଶିତ ହୋଇଥିଲା। ସେତେବେଳେ ରାଜଧାନୀରେ ନୁନ୍‌ ସୋ’ (୧୨ଟାରୁ ୩ଟା)ର ଆରମ୍ଭ ହୋଇ ନଥିଲା। ୧୧୦୦ ସିଟ୍‌ ବିଶିଷ୍ଟ ଏହି ସିନେମା ହଲ୍‌ରେ ୧ ଟଙ୍କା ୧୦ ପଇସାରୁ ଟିକେଟ୍‌ ମୂଲ୍ୟ ଆରମ୍ଭ ହୋଉଥିଲା। ସିଟ୍‌ ଅନୁସାରେ ଏହାଠାରୁ ଅଧିକ ଟିକେଟ୍‌ର ମୂଲ୍ୟ ୨ ଟଙ୍କା, ୩ ଟଙ୍କା ଥିଲା ଓ ବାଲ୍‌କୋନି ଟିକେଟ୍‌ର ଦାମ୍‌ ଥିଲା ୫ ଟଙ୍କା। ହିନ୍ଦୀ, ଓଡ଼ିଆ ଆଦି ବହୁ ଚଳଚ୍ଚିତ୍ର ପଡ଼ିବା ସହ ଦିନକୁ ୩ଟି ‌ସୋ’ ଅପରାହ୍ନ ୩ଟା, ସଂଧ୍ୟା ୬ଟା ଓ ରାତି ୯ଟାରେ ପ୍ରଦର୍ଶିତ ହେଉଥିଲା। ସମସ୍ତ ସୋ’ ହାଉସ୍‌ଫୁଲ୍‌ ହେଉଥିଲା। ଏହାର ଆଉ ଏକ ବର୍ଷ ପରେ ଅର୍ଥାତ ୧୯୭୫ ମସିହା ଆଡ଼କୁ ଶ୍ରୀୟା ହଲ୍‌ରେ ନୁନ୍‌ ସୋ’ ବି ପଡ଼ିବା ଆରମ୍ଭ ହୋଇଯାଇଥିଲା। ଫଳରେ ଲୋକମାନଙ୍କ ମଧ୍ୟରେ ଶ୍ରୀୟା ହଲ୍‌ର କ୍ରେଜ୍‌ ବହୁ ଅଧିକ ବଢ଼ିଯାଇଥିଲା। ସେତେବେଳେ ଶ୍ରୀୟା ଛକ ନଥିଲା କି ଛକର କିଛି ନାମକରଣ ହୋଇନଥିଲା। ଜନପଥରୁ ପ୍ରେସ୍‌ କଲୋନି ଯାଏ ଏକ ମାଟି ରାସ୍ତା ପଡ଼ିଥିଲା। ପିଚୁ ରାସ୍ତା ବି ନଥିଲା।

୧୯୮୦ ମସିହା ଆଡ଼କୁ ଶ୍ରୀୟା କମ୍ପ୍ଲେକ୍ସରେ ଆଉ ଏକ ହଲ୍‌ ଖୋଲିଲା। ନାଁ ରଖାଗଲା ‘ସ୍ବାତୀ’। ଆକାଶର ଏକ ଭଲ ନକ୍ଷତ୍ର ‘ସ୍ବାତୀ’ ହୋଇଥିବାରୁ ଚନ୍ଦନପ୍ରଭା ନୂଆ ହଲ୍‌ର ନାମ ସ୍ବାତୀ ରଖିଥିଲେ। ୧୯୮୯ ମସିହାରେ ଜନ୍ମ ନେଲା ‘ସ୍ତୁତି ସିନେମା ହଲ୍‌’। ଭଗବାନଙ୍କ ଗୁଣକୀର୍ତ୍ତନ ବା ସୁମରଣାକୁ ‘ସ୍ତୁତି’ କୁହାଯାଉଥିବା ବେଳେ ଏହି ସିନେମା ହଲ୍‌ର ନାମକରଣ ‘ସ୍ତୁତି ସିନେମା ହଲ୍‌’ ରଖାଯାଇଥିଲା। ୩ଟି ଯାକ ହଲ୍‌ ଗୋଟିଏ କମ୍ପ୍ଲେକ୍ସରେ ରହିଥିବାରୁ ଏହା ଏବେ ‘ଶ୍ରୀୟା କମ୍ପ୍ଲେକ୍ସ’ ନାମରେ ସୁପରିଚିତ।

ବର୍ତ୍ତମାନ ସମୟ ବଦଳୁଛି। ସିଙ୍ଗଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ର ପରିକଳ୍ପନା ପୁରୁଣା ହେଲାଣି। ସମୟ ସ୍ରୋତରେ ରବି ଟକିଜ୍‌ ଓ କଳ୍ପନା ହଲ୍‌ ଭଳି ବିଲୀନ ନ ହୋଇ ନିଜ ଅସ୍ତିତ୍ବ ଜାହିର କରିବାକୁ ଶ୍ରୀୟା କମ୍ପ୍ଲେକ୍ସ ସଂଘର୍ଷ କରିଛି ଓ ସଫଳ ହୋଇଛି। ସେଥିପାଇଁ ଦୀର୍ଘ ୫୦ ବର୍ଷ ଧରି ଏହି ସିନେମା ହଲ୍‌ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି ଓ ଲୋକପ୍ରିୟତା ଜାରି ରଖିଛି। ଯୁଗ ସହିତ ନିଜକୁ ମଲ୍ଟିପ୍ଲେକ୍ସ କରିବାକୁ ମଧ୍ୟ ନବୀକରଣ ଆରମ୍ଭ କରିଦେଇଛି। ବର୍ତ୍ତମାନ ସୁଦ୍ଧା ସ୍ବାତୀ ଓ ସ୍ତୁତି ହଲ୍‌ର ନବୀକରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶ୍ରୀୟା ହଲ୍‌ ନବୀକରଣ କାର୍ଯ୍ୟ ଜାରି ରହିଛି। ଖୁବ୍‌ଶୀଘ୍ର ରାଜଧାନୀର ଅନ୍ୟାନ୍ୟ ମଲ୍ଟିପ୍ଲେକ୍ସ ଭଳି ଶ୍ରୀୟା କମ୍ପ୍ଲେକ୍ସ ମଧ୍ୟ ମଲ୍ଟିପ୍ଲେକ୍ସ ଭାବେ ରାଜଧାନୀବାସୀଙ୍କ ନିକଟରେ ଉଭା ହେବ। ଅନ୍ୟପଟେ ଶ୍ରୀୟା ଛକ ମଧ୍ୟ ଏହି ୫୦ ବର୍ଷ ମଧ୍ୟରେ ମାଟିରୁ ପିଚୁ ହୋଇଛି। ଚଉଡ଼ା ରାସ୍ତା, ସୁପରିଚାଳିତ ଟ୍ରାଫିକ୍‌ ବ୍ୟବସ୍ଥା ସହ ଏହା ରାଜଧାନୀର ଏକ ପ୍ରମୁଖ ଛକ ପାଲଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।