ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

କେମିତି ଚାଲିବ ନୂଆ ବିଶ୍ବବିଦ୍ୟାଳୟ: ମୁରବି ନାହାନ୍ତି କି ଅଧ୍ୟାପକ

ଭୁବନେଶ୍ବର: ରାଜ୍ୟରେ ୩ଟି ନୂତନ ବିଶ୍ବବିଦ୍ୟାଳୟରେ ଚଳିତବର୍ଷଠାରୁ ପାଠପଢ଼ା ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ମୁତାବକ କୋରାପୁଟର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ଇତିମଧ୍ୟରେ ବିଶ୍ବବିଦ୍ୟାଳୟରେ ପରିଣତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ପୁରୀ ସତ୍ୟବାଦୀଠାରେ ନିର୍ମାଣାଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟର ୩ଟି ‌ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅସ୍ଥାୟୀ ଭାବେ ଏହି ବିଶ୍ବବିଦ୍ୟାଳୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଚାଲିବାକୁ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟରେ ମୁରବି ନିଯୁକ୍ତି ହୋଇନାହାନ୍ତି। ଗୋଟିଏ ପଟେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦କୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ କୁଳପତି ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଝୁଲିରହିଛି। ଆଉ ଅନ୍ୟପଟେ ବିନା ମୁରବିରେ ୩ଟି ବିଶ୍ବବିଦ୍ୟାଳୟ କିଭଳି ଚାଲିବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ନାତକୋତ୍ତର ପାଠ୍ୟକ୍ରମଗୁଡ଼ିକରେ ନାମଲେଖା ପାଇଁ ସାମ୍‌ସ ପକ୍ଷରୁ କରାଯାଉଥିବା ପ୍ରକ୍ରିୟାରେ ଧରଣୀଧର ବିଶ୍ବବିଦ୍ୟାଳୟ ନାଁ ନାହିଁ। ଯେତେବେଳେ କି ଏହି ବିଶ୍ବବିଦ୍ୟାଳୟ ଘୋଷଣାକୁ ୬ ମାସ ବିତିଲାଣି। କ୍ୟାମ୍ପସ ପ୍ରସ୍ତୁତି ଓ କର୍ମଚାରୀ ଚୟନ ପ୍ରକ୍ରିୟା ଚାଲିଛି। ହେଲେ ସାମ୍‌ସ ୱେବସାଇଟ୍‌ରେ ବିଶ୍ବବିଦ୍ୟାଳୟ ନାଁ ନ ଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ। ତେବେ ସାମ୍‌ସ କଲେଜ ତାଲିକାରେ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ନାଁ ରହିଛି। ଏବେ ପ୍ରଶ୍ନ ଉଠୁଛି ପିଲାମାନେ କେଉଁଠି ପଢ଼ିବେ? ଧରଣୀଧର ମହାବିଦ୍ୟାଳୟରେ ନା ବିଶ୍ବବିଦ୍ୟାଳୟରେ? କେଉଁ ଭରସାରେ ପିଲାମାନେ ନାମଲେଖା ପାଇଁ ଆବେଦନ କରିବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏହାରି ଭିତରେ କେନ୍ଦୁଝରଠାରେ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ସ୍ଥାନାନ୍ତର ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ ଦ୍ବିତୀୟ କ୍ୟାମ୍ପସରେ ଥିବା ପାଠ୍ୟକ୍ରମ, ଉପକ୍ରମ ଓ ମାନବ ସମ୍ବଳ ଫେରାଇ ନେବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ପତ୍ର ଲେଖାଯାଇଛି। ଆସନ୍ତା ୧୪ ତାରିଖରେ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ କାର୍ଯ୍ୟାଳୟରେ ବସିବାକୁ ଥିବା ବୈଠକରେ ଏନେଇ ବିଶଦ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସାମ୍‌ସରେ ନାହିଁ ଧରଣୀଧର ବିଶ୍ବବିଦ୍ୟାଳୟ
ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି
ବିକ୍ରମ ଦେବ‌ର ‌ଖୋଲିନି ୱେବସାଇଟ୍‌
କୋର୍ଟରେ ମାମଲା, ନିଯୁକ୍ତି ପ୍ରକ୍ରିୟା ଝୁଲୁଛି

ବିକ୍ରମଦେବ ବିଶ୍ବବିଦ୍ୟାଳୟର ୧୪ଟି ବିଭାଗର ୪୪୦ ସିଟ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ସାମ୍‌ସରେ ଏ ସମ୍ପର୍କରେ ଉଲ୍ଲେଖ ହୋଇଛି। ତେବେ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର ୱେବ୍‌ସାଇଟ୍‌ ଖୋଲିପାରି ନାହିଁ। ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ତଥ୍ୟ ୱେବସାଇଟ୍‌ରେ ଦେଖିବାକୁ ମିଳୁଛି। ୨୦୨୩-୨୪ ଶିକ୍ଷାବର୍ଷରେ ପୁରୀ ସତ୍ୟବାଦୀଠାରେ ନିର୍ମାଣାଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ଅନୁଷ୍ଠିତ ହେବ। ପ୍ରଥମ ଶିକ୍ଷାବର୍ଷରେ ୩ଟି ବିଭାଗ ଯଥା ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ଆଞ୍ଚଳିକ, ଆଦିବାସୀ ଭାଷା ଏବଂ ଐତିହ୍ୟ ଅଧ୍ୟୟନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଇଣ୍ଟିଗ୍ରେଟେଡ୍‌ ଏମ୍‌ଏ ପିଏଚ୍‌ଡି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍‌ଲାଇନ୍‌ରେ ନାମଲେଖା ପ୍ରକ୍ରିୟା କରାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ପକ୍ଷରୁ ଅଗଷ୍ଟ ୧୩ରେ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯିବ। ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କ୍ୟାମ୍ପସରେ ମୁରବି ନାହାନ୍ତି। ପାଖାପାଖି ଦେଢ଼ ବର୍ଷ ହେଲା ଓଏସ୍‌ଡି ନିଯୁକ୍ତ ହୋଇନାହାନ୍ତି କି କୁଳପତି ଚୟନ ପ୍ରକ୍ରିୟା ହୋଇ ନାହିଁ।
ଅନ୍ୟପକ୍ଷରେ ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୪ଟି ବିଶ୍ବବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି। ମାତ୍ର ଅଧ୍ୟାପକ ନାହାନ୍ତି। କେଉଁଠି ଅତିଥି ଅଧ୍ୟାପକ ତ ଆଉ କେଉଁଠି ଅବସରପ୍ରାପ୍ତଙ୍କୁ ନେଇ କାର୍ଯ୍ୟ ଚାଲିଛି। ନୂତନ ନିଯୁକ୍ତି ବି ହୋଇପାରୁ ନାହିଁ। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦କୁ ନେଇ ବିବାଦ ଜାରି ରହିଛି। ୨୦୨୨ ମେ’ରେ ଏହି ଅଧିନିୟମ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଥିଲେ, ଯାହାକି ଏବେ ବି ବଳବତ୍ତର ରହିଛି। ବର୍ଷେ ବିତିଯାଇଥିଲେ ମଧ୍ୟ ଚୂଡ଼ାନ୍ତ ରାୟ ପ୍ରକାଶ ପାଉ ନଥିବାରୁ ସମସ୍ତେ ଅନ୍ଧାର‌ରେ। ଗୋଟିଏ ପଟେ ରାଜ୍ୟ ସରକାର ସଂଶୋଧନ ଅଧିନିୟମ ଠିକ୍‌ ଥିବା ଦର୍ଶାଉଥିବା ବେଳେ ଅନ୍ୟପଟେ ନିୟମ ଉଲ୍ଲଂଘନ ହୋଇଥିବା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଦର୍ଶାଯାଇଛି। ଏଭଳି ଟଣାଓଟରା ଭିତରେ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକର ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ହଜାର ହଜାର ଆଶାୟୀ ଏବେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ରାୟକୁ ଚାତକ ପରି ଚାହିଁ ରହିଛନ୍ତି। ରାଜ୍ୟ ସରକାରଙ୍କ ସଂଶୋଧିତ ଅଧିନିୟମ ବଳରେ ଯେଉଁମାନେ କୁଳପତି ଭାବେ ଚୟନ ହୋଇଛନ୍ତି, ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି।

ସେପଟେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ପାଖାପାଖି ୨୦୦ ଅଧ୍ୟାପକ ଚୟନ ହୋଇଛନ୍ତି। ବିଭିନ୍ନ ବିଶ୍ବବିଦ୍ୟାଳୟରେ ସେମାନେ ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ଗୋଟିଏ ବର୍ଷର ଅଭିଜ୍ଞତା ହାସଲ କରିସାରିଲେଣି। ଏକା ସମୟରେ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଥିବା ଆଉ କିଛି ପ୍ରାର୍ଥୀଙ୍କ ଭବିଷ୍ୟତ ଏବେ ସୂତା ଖିଅରେ ଝୁଲୁଛି। ଗୋଟିଏ ସମୟରେ ପରୀକ୍ଷା ଦେଇଥିଲେ ବି ଭବିଷ୍ୟତରେ ନିଯୁକ୍ତି ପାଇଲେ କନିଷ୍ଠ ହେବା ସହ ପଦୋନ୍ନତି ସମୟରେ ଅସୁବିଧାର ସମ୍ମୁଖୀନ ହେବେ। ଏହାକୁ ନେଇ ପାଖାପାଖି ଏକ ହଜାର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।