ଅପରାଧ ରାଜ୍ୟ

ସାଇବର ଠକଙ୍କ ନୂଆ ତରିକା: ପାର୍ସଲ ନାଁରେ ଲୋକଙ୍କୁ ଲୁଟୁଛନ୍ତି

ଭୁବନେଶ୍ୱର: ‘ହାଲୋ… ଆପଣ ମାନସ ରାୟ କହୁଛନ୍ତି କି? ମୁଁ ଫେ‌ଡଏକ୍ସ କମ୍ପାନି କଷ୍ଟମର କେୟାରରୁ କହୁଥିଲି। ଆପଣଙ୍କ ନାଁରେ ଏକ ପାର୍ସଲ ଆସିଛି। ପାର୍ସଲରେ କିଛି ନିଶା ଦ୍ରବ୍ୟ ରହିଛି। ମୁମ୍ବାଇ କଷ୍ଟମ ଅଧିକାରୀ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଆପଣ ଅନଲାଇନ୍ ପେମେଣ୍ଟ ଜରିଆରେ ୫୦ ହଜାର ଟଙ୍କା ‌ଦେଇ ଆମ ମୁମ୍ବାଇସ୍ଥିତ ଅଫିସରୁ ଆପଣଙ୍କ ପାର୍ସଲ ନେଇଯାଆନ୍ତୁ।’ ହଠାତ୍ ଏଭଳି ଫୋନ୍ କଲ୍ ପାଇଲା ପରେ ଯେ କେହି ବି ଭୟଭୀତ ହୋଇଯିବ। କାର୍ଯ୍ୟାନୁଷ୍ଠାନ ଭୟରେ କେହି କେହି ଟଙ୍କା ମଧ୍ୟ ଦେଇଦେବେ। କିନ୍ତୁ ଏହା ସାଇବର ଠକଙ୍କର ଏକ ନୂଆ ତରିକା। ଲୋକଙ୍କୁ ଏଭଳି ଭୟଭୀତ କରି ସାଇବର ଅପରାଧୀମାନେ ଟଙ୍କା ଲୁଟୁଥିବା ଘଟଣା ସାମ୍ନାକୁ ଆସୁଛି।

କ’ଣ ଏହି ଠକେଇ?

ଫେଡଏକ୍ସ ଏକ ଅନ୍ତର୍ଜାତୀୟ କୋରିଅର କମ୍ପାନି। ଏହା ଦ୍ୱାରା ବିଭିନ୍ନ ସାମଗ୍ରୀ ବାହାର ଦେଶକୁ ରପ୍ତାନି କିମ୍ବା ଆମଦାନି କରାଯାଇଥାଏ। କିଛି ଦିନ ତଳେ ରାଜଧାନୀର ଜଣେ ମହିଳାଙ୍କୁ ଏଭଳି ଏକ ହ୍ବାଟ୍‌ସଆପ କଲ୍ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଫେଡଏକ୍ସ କମ୍ପାନିର କଷ୍ଟମର କେୟାର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ବ୍ୟକ୍ତି ଜଣଙ୍କ କହିଥିଲେ ଯେ ତାଙ୍କ ନାମରେ କିଛି ସାମଗ୍ରୀ ତାଇୱାନକୁ ପଠାଯାଉଛି। ମୁମ୍ବାଇରେ ଏହାର ଯାଞ୍ଚ ପାଇଁ ମହିଳାଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିଥିବା କହି ମାଗିଥିଲେ। କିନ୍ତୁ ମହିଳା ଜଣଙ୍କ କୌଣସି ସାମଗ୍ରୀ ପଠାଇ ନାହାନ୍ତି ବୋଲି କହିଥିଲେ। ତେଣୁ ସେ କୌଣସି ଓଟିପି ଦେବାକୁ ମନା କରିଥିଲେ। ଅନ୍ୟପଟେ ଥିବା ବ୍ୟକ୍ତି କହିଥିଲା ଯେ, ପାର୍ସଲରେ ତାଙ୍କ ଫୋନ୍ ନମ୍ବର ରହିଛି।

ଏହା ସହ ସେଠାରେ ତାଙ୍କ ନାମ ମଧ୍ୟ ଠକ ଜଣଙ୍କ ଠିକ୍ ଭ‌ାବେ କହିଥିଲା। କିନ୍ତୁ ଠିକଣା ଭୁଲ୍ କହିଥିଲା। ଏହାସହ ପାର୍ସଲରେ ନିଶା ଦ୍ରବ୍ୟ ଥିବା ଚିହ୍ନଟ କରାଯାଇଛି ବୋଲି କହିଥିଲା। ଏଥିପାଇଁ ମୁମ୍ବାଇ ପୁଲିସ ଆପଣଙ୍କ ନାମରେ ନୋଟିସ ବାହାର କରିବ। ଏଥିରୁ ବଞ୍ଚିବା ପାଇଁ ୫୦ ହଜାର ଦେବାକୁ ଠକ ଧମକାଇଥିଲା। କିନ୍ତୁ ମହିଳା ଟଙ୍କା ଦେବାକୁ ମନା କରିବାରୁ ସେପଟୁ ଫୋନ୍ କଟି ଯାଇଥିଲା। ଏହାର କିଛି ସମୟ ପରେ ହ୍ୱାଟ୍‌ସଆପରେ ଏକ ମୁମ୍ବାଇ ପୁଲିସ ଲୋଗୋ ଥିବା ଏକ ନୋଟିସ ଆସିଥିଲା। ପରେ ଭିଓଆଇପି ମାଧ୍ୟମରେ ଏକ ଅନଲାଇନ୍ କଲ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ମୁମ୍ବାଇ ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ଥାନାରେ ହାଜର ହେବାକୁ କହିଥିଲା। କିଛି ସମୟ କଥା ହେବା ପରେ ଘଟଣାକୁ ସମାଧାନ କରିବାକୁ ଟଙ୍କା ମାଗିଥିଲା। କିନ୍ତୁ ମହିଳା ଜଣଙ୍କ ଟଙ୍କା ଦେବାକୁ ମନା କରିବା ପରେ ଫୋନ୍ କଟିଯାଇଥିଲା। ଏହା ଏକ ଉଦାହରଣ ମାତ୍ର। ଏଭଳି ବହୁ ସଂଖ୍ୟାରେ ଲୋକଙ୍କ ପାଖକୁ ଅଜଣା କଲ୍‌ ଆସୁଥିବା ଜଣାପଡିଛି। କିଛି ଲୋକ ଥାନା ମାମଲାରେ କିଏ ପଡ଼ିବ ଭାବି ଟଙ୍କା ଦେଇ ଦେଉଥିବା ଜଣାପଡିଛି। ନଚେତ୍ ଓଟିପି ମଧ୍ୟ ଦେଉଛନ୍ତି। ଫଳରେ ସେମାନେ ଠକେଇ ଶିକାର ହେଉଛନ୍ତି। ନୂଆପଲ୍ଲୀ ଅଞ୍ଚଳର ଜଣେ ମହିଳାଙ୍କ ପାଖକୁ ଫେଡଏକ୍ସ ନାମରେ ଏକ କଲ୍‌ ଆସିଥିଲା। ଯେଉଁଥିରେ ସମାନ ଉପାୟରେ ଏନସିବି, ସିବିଆଇ, ପୁଲିସ, ଇଡି ଅଫିସର ଭାବେ କଲ କରି ଜଣେ ମହିଳାଙ୍କୁ ବ୍ଲାକମେଲ୍ କରୁଥିବା ସାଇବର ଥାନାରେ ମହିଳା ଜଣଙ୍କ ଜୁନ ମାସରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏହି ମାମଲାରେ ତଦନ୍ତ କରି ୧୭ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଥିବା ଜଣାପଡ଼ିଛି।

କ’ଣ କୁହନ୍ତି ସାଇବର ବିଶେଷଜ୍ଞ

ସାଇବର ବି‌ଶେଷଜ୍ଞ ଆକାଶ ମିଶ୍ର କୁହନ୍ତି ଯେ, ଏହି ଠକେଇ ପ୍ରଥମେ ଫେଡଏକ୍ସ କମ୍ପାନି ନାମରେ ଲୋକ ଲୋଚନକୁ ଆସିଥିବାରୁ ଏହା ଫେଡଏକ୍ସ ସ୍କାମ କୁହାଯାଉଛି। କିନ୍ତୁ କେବଳ ଫେଡ୍ଏକ୍ସ କମ୍ପାନି ନୁ‌ହେଁ ଆଜିକାଲି ବ୍ଳୁ ଡାର୍ଟ, ଆରମାକ୍ସ ଭଳି ବଡ଼ ବଡ଼ କମ୍ପାନି ନାମରେ ଲୋକଙ୍କ ଠାରୁ ଠକେଇ ହେଉଛି। ଏଥିରୁ ବର୍ତ୍ତିବ‌ା ପାଇଁ ଲୋକଙ୍କୁ ସଚେତନ କରିବା ଆବଶ୍ୟକ। କୌଣସି ତଦନ୍ତକାରୀ ସଂସ୍ଥା ଯେପରିକି ଏନସିବି, ସିବିଆଇ ପୁଲିସ, ଇଡି ଆଦି ହ୍ବାଟସ ଆପ୍, ସ୍କାଇପି, ଭିଓଆଇପି ଆଦି‌ରେ କଲ କରନ୍ତି ନାହିଁ କିମ୍ବା ହ୍ବା‌ଟସପରେ ନୋଟିସ ପଠାନ୍ତି ନାହିଁ। ଏଭଳି କିଛି କଲ୍ କିମ୍ବା ନୋଟିସ ଆସିଲେ ପ୍ରଥମେ ସେହି ସଂସ୍ଥାର ୱେବସାଇଟକୁ ଯାଇ ଯାଞ୍ଚ କରିବା ଉଚିତ୍ କିମ୍ବା ସାଇବର କ୍ରାଇମ ଥାନାରେ ନଚେତ ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ କରିବା ଉଚିତ। ଏଭଳି କଲରୁ ସତର୍କ ରହିଲେ ଠକେଇରୁ ରକ୍ଷା ମିଳିପାରିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।