ମୁମ୍ବାଇ: ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଲୋକମାନେ ଅନଲାଇନ ଠକେଇର ଶିକାର ହେଉଛନ୍ତି। କେବଳ ଅସାବଧାନତା ପାଇଁ ଲୋକମାନେ ବିପୁଳ ଅର୍ଥ ହରାଇ ଦେଉଛନ୍ତି। ଏଭଳି ଏକ ଘଟଣା ପୁଣିଥରେ ଘଟିଛି ମୁମ୍ବାଇରେ। ମୁମ୍ବାଇର କେଇଏମ୍ ହସ୍ପିଟାଲ୍ର ଜଣେ ୨୭ ବର୍ଷୀୟ ଡାକ୍ତର ଅନଲାଇନ ଠକେଇର ଶିକାର ହୋଇଛନ୍ତି। ସିଅନ୍ର ଏକ ଲୋକପ୍ରିୟ ଭୋଜନାଳୟରୁ ଡାକ୍ତର ଜଣଙ୍କ ୨୫ ପ୍ଲେଟ୍ ସମୋସା ଅର୍ଡର କରିଥିଲେ। କିନ୍ତୁ ୨୫ ପ୍ଲେଟ୍ ସମୋସା ପାଇଁ ତାଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ହରାଇବାକୁ ପଡ଼ିଲା।
ଡାକ୍ତରଙ୍କ ସହ ତାଙ୍କ ସହକର୍ମୀମାନେ ଏକ ପିକ୍ନିକ୍ ପାଇଁ ଯାଉଥିଲେ। ବାଟରେ ସେମାନେ ସମୋସା ଖାଇବାପାଇଁ ଡାକ୍ତର ଜଣଙ୍କ ଅନଲାଇନରେ ସମୋସା ଅର୍ଡର କରିବାପାଇଁ ଚେଷ୍ଟା କରିଥିଲେ। ଅନଲାଇନରେ ଭୋଜନାଳୟର କଣ୍ଟାକ୍ଟ ନମ୍ବର ପାଇବାପରେ ଡାକ୍ତର ଏହି ନମ୍ବରରେ ଫୋନ୍ କରିଥିଲେ। ଯେଉଁ ବ୍ୟକ୍ତି ଏହି ଫୋନ୍ ଉଠାଇଥିଲେ ଡାକ୍ତରଙ୍କୁ ୨୫ ପ୍ଲେଟ୍ ସମୋସା ପାଇଁ ୧୫୦୦ ଟଙ୍କା ଆଡଭାନ୍ସ ପେମେଣ୍ଟ୍ କରିବାକୁ କହିଥିଲେ। ଏହାପରେ ଡାକ୍ତରଙ୍କ ପାଖକୁ ହ୍ବାଟ୍ସଆପରେ ଅର୍ଡର କନଫର୍ମ ହୋଇଥିବା ମେସେଜ୍ ଆସିଥିଲା। ଏଥିସହ ଏକ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଆସିଥିଲା। ଉକ୍ତ ବ୍ୟାଙ୍କ୍ ଆକାଉଣ୍ଟ୍ରେ ଟଙ୍କା ପଠାଇବାକୁ କୁହାଯାଇଥିଲା। ଏହି ପ୍ରକ୍ରିୟାକୁ ବିଶ୍ବାସ କରି ଡାକ୍ତର ୧୫୦୦ ଟଙ୍କା ଟ୍ରାନ୍ସଫର କରିଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ଡାକ୍ତରଙ୍କୁ ପେମେଣ୍ଟ୍ ପାଇଁ ଟ୍ରାଞ୍ଜାକ୍ସନ ଆଇଡି ସୃଷ୍ଟି କରିବାକୁ କହିଥିଲେ। ଦୁର୍ଭାଗ୍ୟବଶତଃ ଡାକ୍ତର ଏହି ପ୍ରକ୍ରିୟା ଅନୁସରଣ କରି ଶେଷରେ ନିଜ ଆକାଉଣ୍ଟ୍ରୁ ୧ ଲକ୍ଷ ୪୦ ହଜାର ଟଙ୍କା ହରାଇଦେଲେ। ଗତ ସପ୍ତାହରେ ଏହି ଘଟଣା ଘଟିଛି। ଠକାମିର ଶିକାର ହୋଇଥିବା ଡାକ୍ତର ଭୋଇୱାଡ଼ା ଥାନାରେ ଏନେଇ ମାମଲା ରୁଜୁ କରିଛନ୍ତି।