ରାଜ୍ୟ

କୁଆଡ଼େ ଗଲା ୪୭ଲକ୍ଷର ଆୟୁର୍ବେଦିକ ଔଷଧ? ଦାୟିତ୍ବ ହସ୍ତାନ୍ତର ନ କରି ପଦୋନ୍ନତିରେ ପଳାଇଲେ ଡାକ୍ତର

ଭୁବନେଶ୍ବର: ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ସମେତ ଏକାଧିକ ଜିଲ୍ଲାରେ ଆୟୁର୍ବେଦିକ ଔଷଧ ମିଳୁନାହିଁ। ଭୁବନେଶ୍ବରସ୍ଥିତ ଆୟୁର୍ବେଦିକ ଚିକିତ୍ସାଳୟ ଫାର୍ମାସିକୁ ଏହି ଔଷଧ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ଏହା ଭିତରେ ଫାର୍ମାସି ଦାୟିତ୍ବରେ ଥିବା ଡାକ୍ତରଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ତାଙ୍କ ବଦଳରେ ଅନ୍ୟ ଜଣେ ଡାକ୍ତର ଯୋଗ ଦେଇଥିଲେ ହେଁ ତାଙ୍କୁ ଫାର୍ମାସି ଦାୟିତ୍ବ ଦିଆଯାଇନାହିଁ। କେବେ ଦାୟିତ୍ବ ହସ୍ତାନ୍ତର ହେବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେଣୁ ଔଷଧର ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

୨୦୨୨-୨୩ ଆର୍ଥିକ ବର୍ଷରେ ପୁରୁଣା ଭୁବନେଶ୍ବରସ୍ଥିତ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟକୁ ଔଷଧ ପ୍ରସ୍ତୁତ ପାଇଁ ୪୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏଥିରେ ୩୦ ପ୍ରକାରର ଔଷଧ ପ୍ରସ୍ତୁତ ହେବା ସହିତ ୧୫ଟି ଜିଲ୍ଲାକୁ ଯୋଗାଣ ହୋଇଥାନ୍ତା। ଏହା ଭିତରେ ଫାର୍ମାସି ଦାୟିତ୍ବରେ ଥିବା ଡାକ୍ତର ନିଶାକର ପଟ୍ଟନାୟକଙ୍କ ପଦୋନ୍ନତି ହୋଇଥିଲା ଓ ସେ ଏବେ କଟକ ସର୍କଲ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସା ଅଧିକାରୀ(ଡିଏମ୍‌ଓ) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ତେବେ ସରକାରୀ ଆୟୁର୍ବେଦକ ଚିକିତ୍ସାଳୟ ଫାର୍ମାସିରୁ ଜୁନ୍ ୨୬ ତାରିଖରେ ରିଲିଭ୍ ହେବା ପୂର୍ବରୁ ସେ ଅନ୍ୟ କାହାକୁ ଏହାର ଦାୟିତ୍ବ ପ୍ରଦାନ କରିନାହାନ୍ତି। ପରବର୍ତୀ ସମୟରେ ତାଙ୍କ ବଦଳରେ ଡା. ଗାୟତ୍ରୀ ସନ୍ଧିବିଗ୍ରହ କାର୍ଯ୍ୟରେ ଯୋଗ ଦେଇଛନ୍ତି। ହେଲେ ଏଯାଏ ତାଙ୍କୁ ଫାର୍ମାସି ଦାୟିତ୍ବ ହସ୍ତାନ୍ତର କରାଯାଇନାହିଁ। ଗୋଟିଏ ପଟେ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ହେଉଥିବା ବେଳେ ‌ରୋଗୀଙ୍କ ପାଇଁ ଔଷଧ ମିଳୁନାହିଁ।

ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ଅଧୀକ୍ଷକ ଡା. ବନ୍ଦିତାରାଣୀ ମିଶ୍ର କହିଛନ୍ତି, ଫାର୍ମାସି ଦାୟିତ୍ବ ନେବାକୁ ହେଲେ ସଂପୃକ୍ତ ଡାକ୍ତର ରସଶାସ୍ତ୍ରରେ ପିଜି କରିଥିବା ଆବଶ୍ୟକ। ମାତ୍ର ଏବେ ଯେଉଁ ଡାକ୍ତର ଯୋଗ ଦେଇଛନ୍ତି ସେ ଅନ୍ୟ କ୍ଷେତ୍ରରେ ପିଜି କରିଛନ୍ତି। ତେଣୁ ରାଜ୍ୟ ଆୟୁର୍ବେଦିକ ନିର୍ଦେଶାଳୟ ପକ୍ଷରୁ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ କୌଣସି ପ୍ରକାର ନିର୍ଦେଶ ଆସିନାହିଁ। ତଥାପି ସଂପୃକ୍ତ ଡାକ୍ତରଙ୍କୁ ଫାର୍ମାସି ଦାୟିତ୍ବ ପ୍ରଦାନ କରିବା ଲାଗି ନିର୍ଦେଶାଳୟକୁ ଚିଠି ଲେଖିଛି। ଏହାସହ ପୂର୍ବରୁ ଯେଉଁ ଡାକ୍ତର ଫାର୍ମାସି ଦାୟିତ୍ବରେ ରହିଥିଲେ ତାଙ୍କ ସହ ଯୋଗାଯୋଗ କରିଥିଲି। ଯେଉଁ ଔଷଧ ପ୍ରସ୍ତୁତ ହୋଇଥିଲା ତହିଁରୁ ଗୋଟିଏ ନିମ୍ନମାନର(ଏନ୍‌ଏସ୍‌କ୍ୟୁ) ରହିଥିଲା। ତେଣୁ ପୁନର୍ବାର ଔଷଧର ପରୀକ୍ଷଣ ପାଇଁ ଔଷଧ ପରୀକ୍ଷାଗାରକୁ ପଠାଯାଇଛି। ପରବର୍ତୀ ସମୟରେ ଏହାର ପ୍ୟାକେଜିଂ କରାଯିବ ବୋଲି ସଂପୃକ୍ତ ଡାକ୍ତର କହିଥିଲେ। ତେଣୁ ଡାକ୍ତରଖାନାରେ ଔଷଧର ଅଭାବ ଦୂର ହେବା ପାଇଁ ଆହୁରି ୧୦-୧୫ ଦିନ ସମୟ ଲାଗିପାରେ।

ଏଥିପାଇଁ ଆଉ କୌଣସି ପ୍ରକାର ବିକଳ୍ପ ବ୍ୟବସ୍ଥା କରାଯାଇପାରିବ ନାହିଁ ‌ବୋଲି ଡା.ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ ଆୟୁଷ ନିର୍ଦେଶକ ପ୍ରେମଜିତ ନାୟକ କହିଛନ୍ତି, ଆସନ୍ତାକାଲି ଏ ସଂପର୍କରେ ସୂଚନା ନେବି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ଫାର୍ମାସିର ମୂଳ ପଦବି ହେଉଛି ଏଏମ୍‌ଓ(ଆୟୁର୍ବେଦିକ ମେଡିକାଲ ଅଫିସର)। ତେଣୁ ଏହାର ଦାୟିତ୍ବରେ ରହିଥିବା ଡାକ୍ତରଙ୍କ ବଦଳି କିମ୍ବା ଅବସର ପରେ ଅନ୍ୟକୁ ଦାୟିତ୍ବ ପ୍ରଦାନ କରାଯାଇପାରିବ। ମାତ୍ର ଏହା ପଛରେ ଏକ ବଡ଼ ଧରଣର ଚକ୍ରାନ୍ତ ରହିଥିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।