ରାଜ୍ୟ

ଅଟେଇକୁ ଜଗିଛି ମହାବଳ! ଭୟରେ ପଶୁନାହାନ୍ତି କାଠଚୋର

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲ ଥିଲା କାଠ ମାଫିଆଙ୍କ ଚରାଭୂଇଁ। ଏଠାରୁ ଶାଳକାଠ କଟାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଅଟେଇ ଜଙ୍ଗଲରେ ମହାବଳ ବାଘ ଉପସ୍ଥିତି ଜାହିର କରିବା ପରେ ଲୋକଙ୍କ ମଧ୍ୟରେ ଡର ପଶିଛି। ତେଣୁ କାଠ ମାଫିଆ ତ ଦୂରର କଥା ଗାଈ ଚରାଇବାକୁ ବି ଲୋକେ ଜଙ୍ଗଲକୁ ଯିବାପାଇଁ ଡରୁଛନ୍ତି।

ଗତ ଫେବ୍ରୁଆରି ମାସରେ ମହାବଳ ବାଘ କିଛି ମଇଁଷିକୁ ଆକ୍ରମଣ କରିବା ପରେ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏହାପରେ ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ବାଇଗଣପାଳ ଫରେଷ୍ଟ ବିଟ୍‌ ଅଞ୍ଚଳରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା। ତେଣୁ ବାଘର ଗତିବିଧି ଉପରେ ନଜର ରଖିବାକୁ ୪୫ଟି ଟ୍ରାପ୍‌ କ୍ୟାମେରା ଜଙ୍ଗଲର ୪ କିଲୋମିଟର ପରିଧିରେ ଲଗାଯାଇଥିଲା। ଏହି ଟ୍ରାପ୍‌ କ୍ୟାମେରାରେ ଏକ ମହାବଳ ବାଘର ଫଟୋ କଏଦ ହେବା ପରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ସ୍ପଷ୍ଟ ହୋଇଥିଲା।

ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଠାବ ହେବା ପୂର୍ବରୁ ନିୟମିତ ଏଠାରୁ କାଠ ଚୋରି ନେଇ ଅଭିଯୋଗ ହେଉଥିଲା। ଏମିତିକି ଘଟଗାଁ ବ୍ଲକ୍‌ର ସାନ୍ତରାପୁର ଅଞ୍ଚଳରୁ ନିୟମିତ ବିଭିନ୍ନ ସ୍ଥାନକୁ କାଠ ଚାଲାଣ ହେଉଥିଲା। ବନ ବିଭାଗ ଓ ପୁଲିସ ହାତରେ ଧରାପଡ଼ୁଥିବା ଚୋରାକାଠଗୁଡ଼ିକ ଅଟେଇ ସଂରକ୍ଷିତ ଜଙ୍ଗଲରୁ କଟା ଯାଇଥିବା ଜଣାପଡ଼ୁଥିଲା। ଏମିତିକି କିଛିଦିନ ତଳେ ଘଟଗାଁ ରେଞ୍ଜ କୋଳିମାଟି ନିକଟରେ ବନ ବିଭାଗ କାଠଗାଡ଼ି ଜବତ କରି ଫେରୁଥିବା ବେଳେ ମାଫିଆମାନେ କର୍ମଚାରୀଙ୍କୁ ଆକ୍ରମଣ କରି କାଠ ଗାଡ଼ି ଧରି ଚମ୍ପଟ ମାରିଥିଲେ। ଏହି ଘଟଣାରୁ ଏଠାକାର କାଠ ମାଫିଆଙ୍କ ଦୌରାତ୍ମ୍ୟ ସହଜେ ଅନୁମେୟ। ଅଟେଇ ଜ‌ଙ୍ଗଲରେ ମହାବଳ ବାଘର ଉପସ୍ଥିତି ଯୋଗୁଁ କାଠ ମାଫିଆ ଘଞ୍ଚ ଜଙ୍ଗଲକୁ ଯାଉ ନାହାନ୍ତି। ଏହାସହ ବାଘ ସୁରକ୍ଷା ପାଇଁ ବନ ବିଭାଗର କଡ଼ା ପାଟ୍ରୋଲିଂ ଏବଂ ଜଙ୍ଗରେ ଟ୍ରାପ୍‌ କ୍ୟାମେରା ଲାଗିଥିବାରୁ କାଠ ମାଫିଆମାନେ ଜଙ୍ଗଲରେ ପଶୁ ନାହାନ୍ତି। ଯେଉଁଥିପାଇଁ ଜଙ୍ଗଲରେ କାଠ କଟା ବହୁପରିମାଣରେ ହ୍ରାସ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।