ଅପରାଧ ରାଜ୍ୟ

କମିସନରେଟ୍‌ ପୁଲିସ ପଞ୍ଝା‌ରେ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌: ବନ୍ଧାହେଲେ ୪ ପେସାଦାର, ବଣିଆ

ଭୁବନେଶ୍ବର: ଗତ କିଛି ଦିନ ହେଲା କମିସନରେଟ୍‌ ପୁଲିସର ନିଦ ହଜାଇ ଦେଇଥିବା ଏକ ଅନ୍ତଃଜିଲ୍ଲା କୁଖ୍ୟାତ ଲୁଟେରା ଗ୍ୟାଙ୍ଗ୍‌ ଶେଷରେ ଧରାପଡ଼ିଛି। ସ୍ପେସାଲ୍‌ ସ୍କ୍ବାଡ୍‌, ଭରତପୁର ଥାନା ଓ ଚନ୍ଦ୍ରଶେଖରପୁର ଥାନା ପୁଲିସର ମିଳିତ ଉଦ୍ୟମରେ ଏହି ଗ୍ୟାଙ୍ଗ୍‌ର ୪ ଜଣ ଧରାପଡ଼ିଥିବା ବେଳେ ସେମାନଙ୍କଠାରୁ ଚୋରା ସୁନା କିଣୁଥିବା ବଣିଆକୁ ମଧ୍ୟ ଗିରଫ କରାଯାଇଛି। ସେମାନେ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଇଚ୍ଛାପୁର ଅଞ୍ଚଳର ବିଶ୍ବଜିତ ଦାସ ଓରଫ୍‌ ବିଟୁ(୩୪), ଜଗତସିଂପୁରର ଶୁଭକାନ୍ତ ବେହେରା ଓରଫ୍‌ କାଜଲ ଓରଫ୍‌ ମେଧା(୩୨), ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳର ଦୀପଙ୍କର କୁଲୁ ଓରଫ୍‌ କୁଲୁ(୩୪), ଲକ୍ଷ୍ମୀସାଗର ଥାନା କଦଳୀ ଗୋଦାମ ବସ୍ତିର ଗଣେଶ ସାହୁ ଓରଫ୍‌ ଗଣେଶ(୩୪) ଏବଂ ସେମାନଙ୍କଠାରୁ ଚୋରା ଗହଣା କିଣୁଥିବା ନୟାଗଡ଼ ଇଟାମାଟି ଅଞ୍ଚଳର ବଣିଆ ବିପିନ ପୃଷ୍ଟି(୪୧)। ସେମାନଙ୍କଠାରୁ ତରଳା ଯାଇଥିବା ୪୫ ଗ୍ରାମ୍‌ ସୁନା, ୧୦ ସୁନାଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଚୋରିରେ ବ୍ୟବହାର କରୁଥିବା ରଡ୍‌, କଟର ଆଦି ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି।

ଆଜି ଡିସିପି ପ୍ରତୀକ ସିଂ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ଗ୍ୟାଙ୍ଗ୍‌ର କିଛି ସଦସ୍ୟ ଫେରାର୍ ଅଛନ୍ତି। ସେମାନଙ୍କୁ ଗିରଫ କରାଯିବ। ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ବିଟୁ ଓ ମେଧା ପୂର୍ବରୁ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଅଞ୍ଚଳରେ ସକ୍ରିୟ ଥିଲେ ଏବଂ ସେହିସବୁ ଜିଲ୍ଲା ପୁଲିସ ପାଇଁ ୱାଣ୍ଟେଡ୍‌ ଅଛନ୍ତି। ଗତ ୬ ମାସ ହେଲା ଏମାନେ ରାଜଧାନୀକୁ ଚାଲିଆସି ବିଭିନ୍ନ ଅପରାଧ ଘଟାଇ ଚାଲିଥିଲେ। ଏମାନେ ସିନ୍ଧିଚୋରି, ଲୁଟ୍‌, ଡକାୟତି, ଛିନ୍‌ତାଇ ଭଳି ସବୁପ୍ରକାର ଅପରାଧ ଘଟାଇବାରେ ଓସ୍ତାଦ। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ନାଁରେ ୨୧ ମାମଲା ଥିବା ଜଣାପଡ଼ିଛି ଏବଂ ତଦନ୍ତ ପରେ ମାମଲା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।

୨୦୧୫ରୁ ଆରମ୍ଭ ହୋଇଥିଲା ଗ୍ୟାଙ୍ଗ୍‌

ବିଟୁ ଜଣେ କ୍ରିକେଟ୍‌ ଖେଳାଳି ଥିଲା। ୨୦୧୫ ମସିହାରେ ଏକ ପ୍ରତିଯୋଗିତା ପାଇଁ କିଟ୍‌ ଆବଶ୍ୟକ ଥିବା ବେଳେ ପାଖରେ ଟଙ୍କା ନଥିଲା। ତେଣୁ ଏଥିପାଇଁ ବିଟୁ ଲୁଟ୍‌ ଯୋଜନା କରିଥିଲା। ଯୋଜନା ମୁତାବକ ବିଟୁ, ଶୁଭକାନ୍ତ, କୁଲୁ ଏବଂ ଗଣେଶ ମିଶି ସହିଦନଗର ଥାନା ଅଞ୍ଚଳସ୍ଥ ଏକ ସ୍ପୋଟର୍ସ ଏମ୍ପୋରିୟମରୁ ଲକ୍ଷାଧିକ ଟଙ୍କାର କିଟ୍‌ସ ଲୁଟି ନେଇଥିଲେ। ଏହାପରେ ଜଗତସିଂହପୁର ବାଲିକୁଦା ଅଞ୍ଚଳରେ ଏକ ଟୁର୍ଣ୍ଣାମେଣ୍ଟ କରିଥିଲେ। ସେଥିରେ ବିଟୁ ଅତିଥି ହୋଇଥିବା ବେଳେ ଶୁଭକାନ୍ତ ମୁଖ୍ୟ ଭୂମିକା ତୁଲାଇଥିଲା। ତେବେ ସହିଦନଗର ଥାନା ପୁଲିସ ଟୁର୍ଣ୍ଣାମେଣ୍ଟ ବେଳେ ଚଢ଼ଉ କରି ବିଟୁ ଏବଂ ତା’ର ସହଯୋଗୀମାନଙ୍କୁ ଗିରଫ କରିଥିଲା।

କେମିତି ଲୁଟୁଥିଲେ

ଏହି ଗ୍ୟାଙ୍ଗ ପୁଣି ୨୦୧୯ରେ ସକ୍ରିୟ ହୋଇଉଠିଲା। ବିଶେଷକରି ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ବାଲେଶ୍ବର, କଟକ, ଭଦ୍ରକ ଆଦି ଜିଲ୍ଲାରେ ଏମାନେ ବେଶ୍‌ ସକ୍ରିୟ ଥିଲେ। ତେବେ ଗତ ୬ ମାସ ହେବ ରାଜଧାନୀ ମୁହାଁ ହୋଇଥିଲେ। ସେମାନେ ପ୍ରାତଃଭ୍ରମଣ କରୁଥିବା ଲୋକଙ୍କୁ ଟାର୍ଗେଟ୍‌ କରୁଥିଲେ। ସେମାନେ ଭଦ୍ରଲୋକ ଭଳି ସକାଳୁ ସକାଳୁ ବାଇକ୍‌ରେ ପରିବା ବ୍ୟାଗ୍‌ ଝୁଲାଇ ବୁଲୁଥିଲେ। ପ୍ରାତଃଭ୍ରମଣ କରୁଥିବା ଲୋକଙ୍କ ନିକଟକୁ ଯାଇ ଠିକଣା ପଚାରିବା ଆଳରେ ଚେନ୍‌, ହାର ଝାମ୍ପି ଚମ୍ପଟ ମାରୁଥିଲେ। ସେମାନେ ବ୍ୟବହାର କରୁଥିବା ଦୁଇ ବାଇକ୍‌ରେ ନକଲି ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ। ପୁଣି ଭିନ୍ନ ଭିନ୍ନ ସମୟରେ ଜାଲି ନମ୍ବରଗୁଡ଼ିକୁ ମଧ୍ୟ ବଦଳାଇ ଦେଉଥିଲେ। ଯାହାଦ୍ବାରା ଗାଡ଼ିକୁ ଠାବ କରିବା ଓ ସେମାନଙ୍କୁ ସିସିଟିଭିରୁ ଚିହ୍ନଟ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଏହାଛଡ଼ା ସେମାନେ ଘରକୁ ମଧ୍ୟ ଟାର୍ଗେଟ୍‌ କରନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ସେମାନେ ତାଲା ଭାଙ୍ଗି କଳାକନା ବୁଲାଇ ଦେଉଥିଲେ। ବଡ଼ କଥା ହେଉଛି, ସେମାନେ ଗୋଟିଏ ସ୍ଥାନରୁ ଲୁଟିବା ପରେ ସେ ଅଞ୍ଚଳକୁ ଛାଡ଼ି ବାହାରକୁ ପଳାଉଥିଲେ। ଭୁବନେଶ୍ବରରୁ ଲୁଟିବା ପରେ ନୟାଗଡ଼, ଜଗତସିଂହପୁରରେ ଲୁଚୁଥିଲେ।

କେମିତି ଧରାପଡ଼ିଲେ

ଗତ ୧ ତାରିଖରେ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ବାପାମା ଭୁବନେଶ୍ୱରର କୋଳଥିଆ ନିକଟସ୍ଥ ସତ୍ୟସାଇ ଏନ୍‌କ୍ଲେଭରେ ଥିବା ଘରକୁ କାର୍‌ରେ ଫେରୁଥିବା ବେଳେ ଏହି ଗ୍ୟାଙ୍ଗ୍‌ ତାଙ୍କୁ ଲୁଟିବାକୁ ଆକ୍ରମଣ କରିଥିଲେ। କିନ୍ତୁ ସଫଳ ନ ହୋଇ ଏକ ବାଇକ୍‌ ଛାଡ଼ି ପଳାଇଥିଲେ। ସେହିପରି ଗତ ୩ ତାରିଖ ଦିନ ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ଡାକ୍ତର ଶରତ ପାଇକରାୟଙ୍କ ଘର ତାଲା ଭାଙ୍ଗି ୫ଭରି ସୁନା ଓ ୧୫ ହଜାର ଟଙ୍କା ନେଇଯାଇଥିଲେ। ଜୁନ୍‌ ୧୭ ତାରିଖରେ ନୀଳାଦ୍ରିବିହାର ଅଞ୍ଚଳର ଜଣେ ମହିଳାଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତ ସୁନାଗହଣା ଓ ଏକ ଲକ୍ଷ ଟଙ୍କା ନେଇଯାଇଥିଲେ। ଏନେଇ ରୋହିତ ସିଂଦେଓ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ତିନିଟି ଘଟଣାକୁ ନେଇ କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍‌ ତଦନ୍ତ ଆରମ୍ଭ କରିଥିଲା ମିସନ। ସମସ୍ତ ଘଟଣାର ସିସିଟିଭି ଫୁଟେଜ୍‌, ଟାୱାର ଡମ୍ପିଂ ରିପୋର୍ଟ ଆଧାରରେ ଚାଲିଥିଲା ତନାଘନା। ତେବେ ‌କୋଳଥିଆରେ ଛାଡ଼ି ଯାଇଥିବା ବାଇକ୍‌ରୁ ପୁଲିସକୁ କିଛି ସୁରାକ୍‌ ମିଳିଥିଲା। ଗତକାଲି ରାତିରେ ପୁଲିସ ପ୍ରଥମେ ବିଟୁକୁ ସାଲିଆସାହିରୁ ଗିରଫ କରିବା ପରେ ସେ ଜଣଙ୍କ ପରେ ଜଣେ ପୁଲିସ ଜାଲରେ ପଡ଼ିଥିଲେ। ପରେ ପୁଲିସ ଟିମ୍‌ ପାରାଦ୍ବୀପରୁ କାଜଲ, ରସୁଲଗଡ଼ରୁ କୁଲୁ, ଲକ୍ଷ୍ମୀସାଗର ଅଞ୍ଚଳରୁ ଗଣେଶ ଏବଂ ଶେଷରେ ନୟାଗଡ଼ରୁ ବଣିଆ ବିପିନକୁ ଗିରଫ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।