ରାଜ୍ୟ

ଲକ୍ଷାଧିକ ଟଙ୍କାର ଫ୍ଲାଟ୍‌ ନାହିଁ ଡ୍ରେନେଜ୍‌, ସ୍ବେରେଜ୍‌ ବ୍ୟବସ୍ଥା

ଖଣ୍ଡଗିରି: ୪୩ ଲକ୍ଷ ଟଙ୍କା ଦେଇ ୩ ବିଏଚ୍‌କେ ଏବଂ ୨୭ ଲକ୍ଷ ଟଙ୍କା ଦେଇ ୨ ବିଏଚ୍‌କେ ଫ୍ଲାଟ୍‌ କିଣାହେଲା। ୮ ବର୍ଷ ପରେ ବି ଏମ୍‌ସ କଲୋନିସ୍ଥିତ ସୁକାନ୍ତି ଦେବୀ ଏନ୍‌କ୍ଲେଭରେ ଡ୍ରେନେଜ୍‌ ଓ ସ୍ବେରେଜ୍‌ ବ୍ୟବସ୍ଥା ହୋଇପାରିନାହିଁ। ସ୍ଥିତି ଏଭଳି ଯେ ଏହି ଆପାର୍ଟମେଣ୍ଟର ମଳ ପାଣି ସର୍ବସାଧାରଣ ରାସ୍ତାରେ ପଡ଼ୁଛି। ଏହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ରାସ୍ତାରେ ପଡ଼ୁଛି ମଳପାଣି
ମହଙ୍ଗା ହେଉଛି ଘରର ସ୍ବପ୍ନ
ସୁକାନ୍ତି ଦେବୀ ଏନ୍‌କ୍ଲେଭରେ ବିଚିତ୍ର ସ୍ଥିତି

ରାଜଧାନୀରେ ଫ୍ଲାଟ୍‌ କିଣିବାକୁ ଯାଉଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ଏଠାରେ ବିଲ୍‌ଡର୍ସମାନେ ସବୁ ପ୍ରକାର ସୁବିଧା ସୁଯୋଗ ଥାଇ ସୁନ୍ଦର ଏବଂ ଆକର୍ଷଣୀୟ ଆପାର୍ଟମେଣ୍ଟର ବିଜ୍ଞାପନ ଦେଖାଉଛନ୍ତି। ଟଙ୍କା ନେବା ପରେ ଅଧାପନ୍ତରିଆ ଫ୍ଲାଟ୍‌ ହସ୍ତାନ୍ତରିତ ହେଉଛି। ସବୁ ଠିକ ହୋଇଯିବା ଆଶାରେ ବିଚରା ଗ୍ରାହକ ଟଙ୍କା ଦେଇ ବି ସ୍ବର ଉଠାଇ ପାରେନାହିଁ। ଏମ୍‌ସ କଲୋନି ଅଧିବାସୀ ବିଶେଶ୍ବର ପଣ୍ଡାଙ୍କ ଅଭିଯୋଗ ଅନୁସାରେ ୨୦୧୨ ମସିହାରେ ସୁକାନ୍ତି ଦେବୀ ଏନ୍‌କ୍ଲେଭର ନିର୍ମାଣ ଆରମ୍ଭ ସହିତ ସେହି ସମୟରୁ ଗ୍ରାହକଙ୍କଠାରୁ ବୁକିଂ ଆରମ୍ଭ ହୋଇଯାଇଥିଲା।

ସେତେବେଳେ ବିଲ୍‌ଡର୍ସ ପକ୍ଷରୁ ସୁବ୍ୟବସ୍ଥିତ ଡ୍ରନେଜ୍‌, ସ୍ବେରେଜ୍‌, ପାର୍କିଂ, ବେସ୍‌ମେଣ୍ଟ, ଜିମ୍‌ ଭଳି ସର୍ବନିମ୍ନ ସୁବିଧା ମିଳିବାର ପ୍ରତିଶ୍ରୁତି ମିଳିଥିଲା। ବିଡିଏ ପକ୍ଷରୁ ଏହି ଫ୍ଲାଟ୍‌କୁ ଅନୁମୋଦନ ମିଳିଥିବାରୁ ଲୋକେ ଠିକା ସଂସ୍ଥାକୁ ବିଶ୍ବାସ କରି ୩୨ ଜଣ ଫ୍ଲାଟ୍‌ କିଣିଥିଲେ। ୨୦୧୫ ମସିହାରୁ ଫ୍ଲାଟ୍‌ ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ଆରମ୍ଭରୁ ଏଠାରେ ଡ୍ରେନେଜ୍‌, ସ୍ବେରେଜ୍‌, ବେସ୍‌ମେଣ୍ଟ ଭଳି ସର୍ବନିମ୍ନ ସୁବିଧା ନଥିଲା। କିନ୍ତୁ ଆଶା ଥିଲା ଏହି ସମସ୍ୟାର ସମାଧାନ ହେବ। ମାତ୍ର ଆଜି ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ। ମାତ୍ର ୩୨ଟି ପରିବାର ଏହି ଆପାର୍ଟମେଣ୍ଟରେ ରହୁଥିଲେ ମଧ୍ୟ ଏତେ ଛୋଟ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ନିର୍ମାଣ କରାଯାଇଛି ଯେ ଅତି ଅଳ୍ପ ଦିନ ବ୍ୟବଧାନରେ ଏହା ଭର୍ତ୍ତି ହୋଇଯାଉଛି। ବାଧ୍ୟ ହୋଇ ଗ୍ରାହକମାନେ ବ୍ୟକ୍ତିଗତ ଖର୍ଚ୍ଚରେ ସ୍ବେରେଜ୍‌ ଗାଡ଼ି ଡକାଇ ଟାଙ୍କି ସଫା କରୁଛନ୍ତି। ଆପାର୍ଟମେଣ୍ଟର ମଳ ପାଣି ସର୍ବସାଧାରଣ ରାସ୍ତାରେ ପଡ଼ୁଥିବାରୁ ଆହୁରି ଅପରିଷ୍କାର ବାତାବରଣ ସୃଷ୍ଟି କରୁଛି। ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ ନାଳି ପାଣି ଆପାର୍ଟମେଣ୍ଟ ଭିତରେ ଭାସୁଛି।

ତେଣୁ ଏଠାରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ଯାତାୟାତ କଷ୍ଟକର ହେଉଛି। ସରକାରଙ୍କ ପକ୍ଷରୁ ସ୍ବେରେଜ୍‌ ପାଇପ ବିଛାଯାଉଛି। ଏହା ତାଙ୍କ ଅଞ୍ଚଳରେ କାର୍ଯ୍ୟକାରୀ କରାଗଲେ, ସମସ୍ୟାର ସମାଧାନ ହେବ। କିନ୍ତୁ ଏମ୍‌ସ କଲୋନିର ସବୁ ଲେନ୍‌ରେ ସ୍ବେରେଜ ପାଇପ ବିଛା କାର୍ଯ୍ୟ ଚାଲିଛି। କିନ୍ତୁ ଏମ୍‌ସ କଲୋନି ୧ ଏବଂ ୨କୁ ଏଥିରୁ ବାଦ୍‌ ଦିଆଯାଇଛି। ତେଣୁ କେବେ ଏହାର ସମାଧାନ ହେବ, ତାକୁ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଦ୍ବିତୀୟତଃ ଏଠାରେ ପ୍ରତିଶ୍ରୁତି ଅନୁସାରେ ଜିମ୍‌ ଏବଂ କାର୍‌ ରଖିବା ପାଇଁ ବେସମେଣ୍ଟ ନାହିଁ। ପାର୍କିଂ ସୁବିଧା ଥିଲେ ମଧ୍ୟ ଏହା ନିଅଣ୍ଟ ହେଉଛି। ଏହାକୁ ନେଇ କିଛି ଗ୍ରାହକ ପୃଥକ ଭାବରେ ରେରା ଏବଂ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ରେରା ପକ୍ଷରୁ ମାମଲା ଶୁଣାଣି ପାଇଁ ଦେୱାନି ଅଦାଲତକୁ ପଠାଇ ଦିଆଯାଇଛି।

ସୋସାଇଟି ଗଠନ ହେଲାନି

ନିୟମ ଅନୁଯାୟୀ ଫ୍ଲାଟ୍‌ ହସ୍ତାନ୍ତରଣ ପରେ ଆପାର୍ଟମେଣ୍ଟ ପରିଚାଳନା ପାଇଁ ଠିକାସଂସ୍ଥା ପକ୍ଷରୁ ସୋସାଇଟି ଗଠନ କରାଯିବା କଥା। ଆପାର୍ଟମେଣ୍ଟରେ ରହୁଥିବା ଗ୍ରାହକ ସୋସାଇଟିର ସଭାପତି ଏବଂ ସମ୍ପାଦକଙ୍କୁ ନିର୍ବାଚିତ କରିବେ। ଏପରିକି ଫ୍ଲାଟ ନିର୍ମାଣ ସମୟରେ ଭବିଷ୍ୟତରେ ଏହାର ରକ୍ଷଣାବେକ୍ଷଣ ପାଇଁ ଠିକାସଂସ୍ଥା ସ୍ବତନ୍ତ୍ର ଭାବରେ କର୍ପସ ଫଣ୍ଡ ରଖିଥାଆନ୍ତି। ଯାହା ସେ ଏହି ସୋସାଇଟିକୁ ହସ୍ତାନ୍ତରଣ କରିଥାଆନ୍ତି। ମାତ୍ର ସୁକାନ୍ତି ଦେବୀ ଏନ୍‌କ୍ଲେଭ ନିର୍ମାଣ ପରେ ଠିକାସଂସ୍ଥା ପକ୍ଷରୁ କର୍ପସ ଫଣ୍ଡ ହସ୍ତାନ୍ତରଣ କରାଯାଇନଥିଲା। ଉପଯୁକ୍ତ ପ୍ରକ୍ରିୟାରେ ସୋସାଇଟି ମଧ୍ୟ ଗଠନ ହୋଇ ନାହିଁ। ବର୍ତ୍ତମାନ ଫ୍ଲାଟ୍‌ ଅନ୍ତେବାସୀ ନିଜ ମଧ୍ୟରେ ବୁଝାମଣା ରକ୍ଷା କରି ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା କହିଛନ୍ତି।

ପ୍ରତିଶ୍ରୁତି ଅନୁସାରେ ନିର୍ମାଣ ହୋଇଛି, କିନ୍ତୁ ଗ୍ରାହକ ରଖିଛନ୍ତି ବକେୟା: ପୂର୍ବତନ ନିର୍ଦ୍ଦେଶକ

ଏହି ଆପାର୍ଟମେଣ୍ଟ ନିର୍ମାଣ କରିଥିବା ସୂର୍ଯ୍ୟଭାରତୀ ରିୟଲ‌୍ ଇଷ୍ଟେଟ୍‌ର ପୂର୍ବତନ ନିର୍ଦ୍ଦେଶକ ରମାକାନ୍ତ ସାମନ୍ତରା କହିଛନ୍ତି, ଏହି ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବା ସ୍ଥାନରେ ସ୍ବେରେଜ‌୍ ପାଇପ୍‌ ଲାଇନ ଯାଇନାହିଁ। ତେଣୁ ଯନ୍ତ୍ରୀଙ୍କ ଡିଜାଇନ ଅନୁସାରେ ଏସ୍‌ଟିପି ବ୍ୟବସ୍ଥା କରାଯାଇଛି। ସେଥିରେ ସମସ୍ୟା ହେଲେ ସେମାନେ କ’ଣ କରିପାରିବେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ସନ୍ତରଣାଗାର, ଜିମ୍‌ର ସମେତ ଠିକାସଂସ୍ଥା ଯାହା ପ୍ରତିଶ୍ରୁତି ଦେଇଥିଲା ସବୁ ପୂରଣ କରିଛି। ବିଭିନ୍ନ ପ୍ରକାର ଅଭିଯୋଗ କରି ଗ୍ରାହକମାନେ ପ୍ରାୟ ୩୩ ଲକ୍ଷ ଟଙ୍କା ବକେୟା ରଖିଛନ୍ତି। ଏଥିଯୋଗୁଁ ଏହି ରିୟଲ୍‌ ଇଷ୍ଟେଟ କମ୍ପାନି ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଥିଲା। ଫ୍ଲାଟରେ ରହୁଥିବା ଲୋକଙ୍କ ମଧ୍ୟରେ ବିବାଦ ଯୋଗୁଁ ସୋସାଇଟି ଗଠନ ହୋଇପାରି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।