ରାଜ୍ୟ

ଭାରତୀୟ ରେଳକୁ ଶନିଦଶା: ୩୫ ଦିନରେ ଓଡ଼ିଶାର ୮ ଟ୍ରେନ୍‌ରେ ନିଆଁ

ଭୁବନେଶ୍ବର : ଭାରତୀୟ ରେଳକୁ ଶନିଦଶା। ଗୋଟିଏ ପରେ ଗୋଟିଏ ଅଘଟଣ ଭାରତୀୟ ରେଳ ବିଭାଗର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ବାହାନଗା ରେଳ ଦୁର୍ଘଟଣାରେ ୨୯୪ ଜଣଙ୍କ ଜୀବନ ଗଲା। ଏବେ ବି ଅନେକେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏ ଘଟଣା ଦେଶବାସୀଙ୍କ ମନରୁ ନ ଯାଉଣୁ, ଶୁକ୍ରବାର ଦିନ ହାୱଡା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ୍‌ରେ ନିଆଁ ଲାଗିଛି। କିନ୍ତୁ ସୌଭାଗ୍ୟକୁ ଏକ ବଡ଼ ଅଘଟଣରୁ ଶତାଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଥିଲେ ହେଁ କେହି ମୃତାହତ ହୋଇନାହାନ୍ତି। ତେଲେଙ୍ଗାନାର ବୋମାଇପାଲି-ପାଗିଡ଼ିପାଲି ମଧ୍ୟରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ଯାତ୍ରୀମାନେ ପ୍ରା‌ଣ ବିକଳରେ ଦୌଡ଼ିଥିଲେ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୫ ବଗି ବିଶିଷ୍ଟ ଏହି ଟ୍ରେନ୍‌ରେ ବହୁ ଓଡ଼ିଆ ଥିଲେ। ଯେଉଁ ୩ଟି ବଗି ଏସ୍‌-୫, ଏସ୍‌-୬ ଓ ଏସ୍‌-୭ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି, ସେଥିରେ ୧୦ଜଣ ଓଡ଼ିଆ ରହିଥିବା ସୂଚନା ମିଳିଛି। ତେବେ କାହାର କିଛି କ୍ଷତି ହୋଇନାହିଁ। ଯାତ୍ରୀମାନଙ୍କ କହିବାନୁଯାୟୀ, ଯେଉଁଠି ନିଆଁ ଲାଗିଥିଲା, ତାହା ପବନରେ ନିମିଷକ ମଧ୍ୟରେ ଅନ୍ୟ ବଗିକୁ ବ୍ୟାପି ଯାଇଥିଲା। ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଉପରେ ନଜର ରଖିଥିଲେ। କିଛି ଯାତ୍ରୀଙ୍କୁ ୪ଟି ବସ୍‌ ଯୋଗେ ‌ସିକନ୍ଦରାବାଦ ପର୍ଯ୍ୟନ୍ତ ନିଆଯାଇଥିଲା। ନିଆଁ ଲାଗିବା ପରେ ଅଟକି ରହିଥିବା ୧୧ଟି ବଗିରେ ଥିବା ଯାତ୍ରୀଙ୍କୁ ନେଇ ଆଉ ଏକ ଟ୍ରେନ୍‌ ସିକନ୍ଦରାବାଦ ଅଭିମୁଖେ ଯାଇଥିଲା। ହାୱଡାରୁ ଓଡ଼ିଶା ଦେଇ ଏହି ଟ୍ରେନ୍‌ ସିକନ୍ଦରାବାଦ ଯାଉଥିବାରୁ ଶହଶହ ଓଡ଼ିଆ ଏହି ଟ୍ରେନ୍‌ରେ ଯାତ୍ରା କରିଥା’ନ୍ତି। ଏକ ବଡ଼ ଅଘଟଣ ଟଳି ଯାଇଥିବାରୁ ସମସ୍ତଙ୍କୁ ଆଶ୍ୱସ୍ତି ମିଳିଛି। ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ଏବଂ ଘଟଣାର ତଦନ୍ତ ଜାରି ରହିଥିବା ଦକ୍ଷିଣ-ମଧ୍ୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଯାତ୍ରୀ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଜ୍ଞାନକୌଶଳ ବ୍ୟବହାର କରୁଥିବା ଦାବି କରୁଛି। ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛି। ଘଣ୍ଟା ପ୍ରତି ସର୍ବାଧିକ ୧୩୦ରୁ ୧୮୦ କିମି ବେଗରେ ଭାରତର ସେମି ହାଇସ୍ପିଡ୍‌ ଟ୍ରେନ୍ ବନ୍ଦେ ଭାରତ ଦୌଡ଼ୁଛି। ତା’ ସତ୍ତ୍ବେ ଟ୍ରେନ୍‌ ଦୁର୍ଘଟଣାକୁ ରୋକାଯାଇପାରୁନି। ବାହାନଗା ବିପର୍ଯ୍ୟୟ ପରେ ବେଶି ଅଘଟଣ ସାମ୍ନାକୁ ଆସୁଛି। କେତେବେଳେ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେଉଛି ତ କେତେବେଳେ ବଗି ଛାଡ଼ି ଇଂଜିନ୍‌ ପଳାଉଛି।

ଗତ ୩୫ ଦିନ ମଧ୍ୟରେ ଓଡ଼ିଶାର ୮ଟି ଟ୍ରେନ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ସେଥିରୁ ଅଧିକାଂଶ କୋଇଲା ବୋଝେଇ ମାଲବାହୀ। ସଟ୍‌ସର୍କିଟ୍‌ ଯୋଗୁଁ ଯାତ୍ରୀବାହୀ ଟ୍ରେନ୍‌ର ୩ଟି ବଗିରେ ନିଆଁ ଲାଗିବା ଘଟଣା ଏହା ଭିତରେ ସବୁଠାରୁ ବଡ଼ ବୋଲି କୁହାଯାଉଛି। ଜୁଲାଇ ପ୍ରଥମ ସପ୍ତାହରେ କୋଲକାତାରୁ ବଡ଼ବିଲ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି ‌ଯୋଗୁଁ କେନ୍ଦୁଝର ଜିଲ୍ଲା ବସନ୍ତପୁର-ସୀତାବିଞ୍ଜ ଷ୍ଟେସନ୍‌ ମଧ୍ୟରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ୍‌ ମେମୁ ସ୍ପେସାଲ ଟ୍ରେନ୍‌ ତିନି ଘଣ୍ଟା ଧରି ଅଟକିବା ଏବଂ ପାରାଦୀପ ରଙ୍ଗିଆଗଡ଼ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଜୁନ୍‌ ଶେଷ ସପ୍ତାହରେ ଝାରସୁଗୁଡ଼ା ଏକ୍ସପ୍ରେସ୍‌ ଟ୍ରେନ୍‌ର ଏକ ବଗିରେ ନିଆଁ ଲାଗିଥିଲା। ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ହେବା ଦ୍ବାରା ୧୨ବଗି ଲାଇନ୍‌ଚ୍ୟୁତ, ରାୟଗଡ଼ା ଜିଲ୍ଲାର ଅମ୍ବାଦଳା ଷ୍ଟେସନ ନିକଟରେ ବେଦାନ୍ତର ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଗତ ୧୧ ମାସ ମଧ୍ୟରେ କେବଳ ଓଡ଼ିଶାରେ ୧୭ରୁ ଅଧିକ ଟ୍ରେନ୍‌ ଲାଇନ୍‌ଚ୍ୟୁତ କିମ୍ବା ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।