ଭୁବନେଶ୍ୱର : ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରିବା ନିମନ୍ତେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ଆବଶ୍ୟକତା ତଥା ଗୁରୁତ୍ୱ ସଂପର୍କରେ ଶ୍ରୀ ସାହୁ ଏଥିରେ ଆଲୋକପାତ କରିଥିଲେ। ଏ ସଂକ୍ରାନ୍ତୀୟ ଆଇନର କଡ଼ାକଡ଼ି ଅନୁପାଳନ ନିମନ୍ତେ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ୫୩ ହଜାର ୫୩୪ ପଂଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ୪୮ ହଜାର ୫୪୭ଟି ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖାଯାଇଥିବା ଏବଂ ୨୭ଟି ଖିଲାପକାରୀ ପ୍ରତିଷ୍ଠାନଠାରୁ ଜରିମାନା ଆଦାୟ ସହ ମୋକଦ୍ଦମା କରାଯାଇଥିବା ନେଇ ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ଏ ପର୍ଯ୍ୟନ୍ତ ୧୭ଟି ଜିଲ୍ଲାରେ ବିଭିନ୍ନ ବାଣିଜ୍ୟିକ ସଂଘ ସହିତ ବୈଠକ କରାଯାଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ସଂକ୍ରାନ୍ତୀୟ ବୈଠକ ଶେଷ କରିବାକୁ ଶ୍ରୀ ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମହାନଗର ନିଗମ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇ ଓଡ଼ିଆରେ ନାମଲେଖା ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରତି ୧୫ ଦିନରେ ଶ୍ରମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ନେଇ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ସଂଖ୍ୟା ୮୨୪ ତା. ୩୦/୦୫/୨୦୧୮ ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା। ଏଥିପାଇଁ ୨୦୧୮ ମସିହାରେ ରାଜ୍ୟର ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ ଦ୍ୱାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ ମଧ୍ୟ କରାଯାଇଥିଲା। ଏହି ନିୟମ ଅନୁଯାୟୀ ଖିଲାପକାରୀଙ୍କୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ୭ ଦିନିଆ ନୋଟିସ ଦିଆଯିବା ପରେ ଖିଲାପକାରୀଙ୍କୁ ପ୍ରଥମ ଥର ୫ ହଜାର ଟଙ୍କା ଓ ଦ୍ୱିତୀୟ ଥର ନିମନ୍ତେ ୨୫ ହଜାର ଟଙ୍କା ଜରିମାନା କରାଯିବାର ବ୍ୟବସ୍ଥା ରହିଛି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଶାସନ ସଚିବ ଆର୍. ସନ୍ଥଗୋପାଳନ୍, ଶ୍ରମ ଆୟୁକ୍ତ ତିରୁମାଳା ନାୟକ, ଭୁବନେଶ୍ୱର ମହାନଗର ନିଗମର କମିସନର ବିଜୟ ଅମୃତା କୁଲାଙ୍ଗେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲିପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଭାତ ମହାପାତ୍ରଙ୍କ ସମେତ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲା ଶ୍ରମ ଅଧିକାରୀ ଯୋଗ ଦେଇଥିଲେ।