ରାଜ୍ୟ

ଅନୁଗୁଳରୁ ପୁଣି ବାହାରିଲା ନକଲି ଔଷଧ: ପାଣ୍ଟୋସିଡ୍ ଡିଏସ୍‌ଆର୍‌ ନାଁରେ ବାଣ୍ଟୁଥିଲେ ବିଷ

ଅନୁଗୁଳ : ଅନୁଗୁଳ ମାର୍କେଟ୍‌ରେ ପୁଣି ନକଲି ଔଷଧ। ରୋଗୀ ପାଇଁ ସଞ୍ଜୀବନୀ ବଦଳରେ ବଣ୍ଟାଯାଉଛି ବିଷ। ଅନୁଗୁଳର ଖୋଦ୍‌ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏ ନକଲି ଔଷଧର ଶିକାର ହେବା ପରେ ଘଟଣା ପଦାକୁ ଆସିଛି। ଡ୍ରଗ୍‌ସ କଣ୍ଟ୍ରୋଲ୍‌ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଅନୁଗୁଳ ସହରରେ ଚଢ଼ଉ କରି ଆଜି ଗୋଟିଏ ମେଡିସିନ୍‌ ହୋଲ୍‌ସେଲର୍‌ ଏବଂ ରିଟେଲର୍‌ ଦୋକାନକୁ ସିଲ୍‌ କରିଛି। କେବଳ ସେତିକି ନୁହେଁ, ଏହି ଘଟଣାରେ ଉଭୟ ରିଟେଲର୍‌ ଏବଂ ହୋଲ୍‌ସେଲର୍‌ ଫାର୍ମର ଚାରି ଜଣ ପାର୍ଟନର୍‌ଙ୍କ ନାଁରେ ଅନୁଗୁଳ ଥାନାରେ ଏତଲା ଦିଆଯାଇଛି। ସିଲ୍ ମେଡିସିନ୍‌ ହୋଲ୍‌ସେଲର ଅମଲାପଡ଼ାର ଗଣପତି ଏଣ୍ଟରପ୍ର‌ାଇଜେସ୍‌ ହୋଇଥିବା ବେଳେ ପୁରୁଣା ବସ୍‌ଷ୍ଟାଣ୍ଡ୍‌ସ୍ଥିତ ମେଡିସିନ୍‌ ରିଟେଲର ଦୋକାନ ନାଁ ମା ବୁଢ଼ୀ ମେଡିସିନ୍‌ ଷ୍ଟୋର ବୋଲି ଡ୍ରଗ୍‌ସ କଣ୍ଟ୍ରୋଲ୍ ବିଭାଗ ପକ୍ଷରୁ କୁହାଯାଇଛି।

ହୋଲ୍‌ସେଲ୍‌ ଗୋଦାମ, ରିଟେଲ୍‌ ଦୋକାନ ସିଲ୍‌
ଡ୍ରଗ୍‌ସ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ଉ, ଚାରି ପାର୍ଟନର୍‌ଙ୍କ ନାଁରେ ଏତଲା

ବିଭାଗ କହିବା ମୁତାବକ, ଏହି ବଟିକାର ନାଁ ଥିଲା ପା​ଣ୍ଟୋସିଡ୍ ଡିଏସ୍‌ଆର୍‌। ଦୁଇଟି କମ୍ପୋଜିସନ୍‌ରେ ପ୍ରସ୍ତୁତ ଏହି ବଟିକାର ନିର୍ମାତା ହେଉଛି ସନ୍‌ ଫାର୍ମା ପ୍ରାଇଭେଟ୍‌ ଲିମିଟେଡ୍‌। ଏ ବଟିକା ସାଧାରଣତଃ ବଦହଜମି, ଷ୍ଟୋମାକ୍‌ ଅଲ୍‌ସର, ଛାତି ଜ୍ବଳନ ଆଦିରୁ ଉପଶମ ପାଇଁ ବ୍ୟବହାର କରାଯାଏ। ଗତବର୍ଷ ଡିସେମ୍ବର ୨୩ତାରିଖ ଦିନ ଅନୁଗୁଳ ଜିଲ୍ଲାପାଳ ଏ ବଟିକାକୁ ବ୍ୟବହାର କରିଥିଲେ। କିନ୍ତୁ, ବଟିକା ତାଙ୍କୁ ଉପଶମ ଦେବା ପରି​ବର୍ତ୍ତେ ସ୍ବାସ୍ଥ୍ୟକୁ ବିଗାଡ଼ି ଦେଇଥିଲା। ଜିଲ୍ଲାପାଳଙ୍କୁ ମେଡିକାଲ୍ ଯିବାକୁ ବାଧ୍ୟ କରିଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଜିଲ୍ଲାପାଳ ଚିକିତ୍ସିତ ହୋଇଥିଲେ। ନକଲି ଔଷଧ କେତେ ଭୟଙ୍କର ଖୋଦ୍‌ ଜିଲ୍ଲାପାଳ ତାକୁ ଅଙ୍ଗେ ନିଭାଇଥିଲେ। ଯେଉଁଥିପାଇଁ ସେ ନିଜେ ଡ୍ରଗ୍‌ସ କଣ୍ଟ୍ରୋଲ୍‌ ବିଭାଗରେ ଏ ନକଲି ଔଷଧର ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ଅଭିଯୋଗକୁ ଡ୍ରଗ୍‌ସ କଣ୍ଟ୍ରୋଲ୍‌ ବିଭାଗ ଗୁରୁତ୍ବର ସହିତ ଗ୍ରହଣ କରିଥିଲା। ଜୋର୍‌ ତନାଘନା କରିଥିଲା। ମେଡିସିନ୍‌ ବିକ୍ରି କରିଥିବା ମା ବୁଢ଼ୀ ମେଡିସିନ୍‌ ଷ୍ଟୋର୍‌ରୁ ତୁରନ୍ତ ଔଷଧ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇଥିଲା। ଏ ମେଡିସିନ୍‌ର ନିର୍ମାତା କମ୍ପାନି ସହିତ ଯୋଗାଯୋଗ ମଧ୍ୟ କରାଯାଇଥିଲା। ଇତିମଧ୍ୟରେ ନମୁନାର ପରୀକ୍ଷା ରିପୋର୍ଟ ଆସିଥିଲା। ଯେଉଁଥିରେ ପାଣ୍ଟୋସିଡ୍ ବଟିକା ନାଁରେ ଜାଲିଆତି କଥା ପଦାକୁ ଆସିଛି। ସେ ବଟିକାରେ ମୋଟ୍‌ ଦୁଇଟି କମ୍ପୋଜିସନ୍‌ରୁ କୌଣସି ଗୋଟିଏ ବି ନାହିଁ ବୋଲି ରିପୋର୍ଟ ଦର୍ଶାଇଥିଲା। ବରଂ, ସେଥିରେ ଯେଉଁ ଉପାଦାନ ରହିଛି, ତାକୁ ଖାଇଲେ କଳା ଝାଡ଼ା ଆଦି ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନା ଅଛି ବୋଲି ଆଶଙ୍କା କରାଗଲା। ଏମିତିକି, କମ୍ପାନି କର୍ତୃପକ୍ଷ ମଧ୍ୟ ଏ ନମୁନାର ବଟିକାକୁ ନିଜର ମେଡିସିନ୍‌ ବୋଲି ମନା କରି ଦେଇଥିଲେ। ଉଭୟ ତଥ୍ୟ ଓ ପ୍ରମାଣ ପାଇଲା ପରେ ଅନୁଗୁଳ ମା ବୁଢ଼ୀ ମେଡିସିନ୍‌ ଷ୍ଟୋର୍‌ ବିକ୍ରି କରିଥିବା ବଟିକା ଭେଜାଲ୍ ବୋଲି ଡ୍ରଗ୍‌ସ କଣ୍ଟ୍ରୋଲ୍ ବିଭାଗ ସ୍ପଷ୍ଟ ହୋଇଥିଲା।

ତେଣୁ, ଡ୍ରଗ୍‌ସ ଏନ୍‌ଫୋର୍ସମେଣ୍ଟ୍ ସ୍କ୍ବାଡ୍‌ର ଏସ୍‌ଟିଏଫ୍‌ ଟିମ୍‌ ଲିଡ଼ର ଦୋଳମଣି ପଟେଲଙ୍କ ନିର୍ଦ୍ଦେଶରେ କଟକ ଏଡିସି ଧର୍ମଦେବ ପୁହାଣ, ଏଡିସି ତୁଷାର ରଞ୍ଜନ ପାଣିଗ୍ରାହୀ, କଟକ ଡ୍ରଗ୍‌ସ ଇନ୍‌ସପେକ୍ଟର ହରପ୍ରିୟା ମଲ୍ଲିକ, ଅନୁଗୁଳ ଡ୍ରଗ୍‌ସ ଇନିସ୍‌ପେକ୍ଟର ମୁକ୍ତିନନ୍ଦ ଶତପଥୀ ପ୍ରମୁଖ ଗତକାଲି ଆସି ଉଭୟ ହୋଲସେଲର ଏବଂ ରିଟେଲ ଦୋକାନ ଉପରେ ଚଢ଼ଉ ଆରମ୍ଭ କରିଥିଲେ। ଉଭୟ ଫାର୍ମର ସବୁ କାଗଜପତ୍ର ଜବତ କରାଯିବା ପରେ ଡ୍ରଗ୍‌ସ ଆଣ୍ଡ୍‌ କସ୍‌ମେଟିକ୍‌ ଆକ୍ଟରେ ଗତକାଲି ବିଭାଗ ପକ୍ଷରୁ ଅନୁଗୁଳ ଏସ୍‌ଡିଜେଏମ୍‌ କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ଆଜି ଉଭୟ ମେଡିସିନ୍‌ ହୋଲ୍‌ସେଲର ଗୋଦାମ ଏବଂ ରିଟେଲର୍‌ ଷ୍ଟୋର୍‌କୁ ସିଲ୍ କରାଯିବା ପରେ ଉଭୟ ସଂସ୍ଥାର ଚାରି ଜଣ ପାର୍ଟନର୍‌ଙ୍କ ନାଁରେ ବି ଅନୁଗୁଳ ଟାଉନ ଥାନାରେ ଦ୍ବିତୀୟ ଅଭିଯୋଗ କରାଯାଇଛି। ସେମାନେ ହେଲେ ଗଣପତି ଏଣ୍ଟରପ୍ରାଇଜର୍ସର ଦୁଇ ପାର୍ଟନର ହାଡ଼ିବନ୍ଧୁ ବେହେରା, ଭାଗ୍ୟଧର ସାହୁ ଓ ମା’ ବୁଢ଼ୀ ମେଡିସିନ୍‌ ଷ୍ଟୋର୍‌ର ସଞ୍ଜୀବ କୁମାର ସାହୁ ଓ ସୁଦୀପ କୁମାର ଗଡ଼ନାୟକ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୋଟ୍ ଉପରେ ୧୦ଷ୍ଟ୍ରିପ୍‌ ମେଡିସିନ୍‌ର ଧରପଗଡ଼ ହୋଇଛି। ଆଉ କେତେ କଣ ମେଡିସିନ୍‌ ଆଣିଥିଲେ, ତା ସହିତ ଆଉ କଣ ନକଲି ମେଡିସିନ୍‌ ଥିଲା ତାହାର ବି ଖୋଳତାଡ଼ ଚାଲିଛି ବୋଲି ଏଡିସି ଶ୍ରୀ ପୁହାଣ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।