ଦେଶ ବିଦେଶ

ଷ୍ଟକ୍‌ ବଜାର ନିବେଶକ ମାଲାମାଲ୍‌: ୫ ଦିନରେ ନିବେଶକଙ୍କ ୮ ଲକ୍ଷ କୋଟି ଲାଭ

ମୁମ୍ବାଇ: ଭାରତୀୟ ଷ୍ଟକ ବଜାରର ପ୍ରଦର୍ଶନ ଏବେ ଏକ ଭିନ୍ନ ସ୍ତରରେ ରହିଛି। ପ୍ରତିଦିନ ବମ୍ବେ ଷ୍ଟକ୍‌ ବଜାରର ସେନ୍‌ସେକ୍ସ ଓ ନ୍ୟାସନାଲ୍‌ ଷ୍ଟକ୍ ବଜାରର ନିଫ୍ଟିରେ ବୃଦ୍ଧି ହେଉଥିବା ବେଳେ ନୂଆ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଷ୍ଟକ୍‌ ବଜାର ସୂଚୀରେ ହେଉଥିବା ବୃଦ୍ଧି ପ୍ରଭାବରେ ନିବେଶକମାନେ ମା‌ଲାମାଲ ହୋଇଛନ୍ତି। ଗତ ପାଞ୍ଚ ଦିନରେ ସେନ୍‌ସେକ୍ସରେ ୨୫୦୦ ପଏଣ୍ଟ୍‌ରୁ ଅଧିକ ବୃଦ୍ଧି ହୋଇଥିବା ବେଳେ ନିବେଶକମାନଙ୍କ ସମ୍ପତ୍ତିରେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି।

ଗତକାଲି ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୬୫,୦୦୦ ପଏଣ୍ଟ୍‌ ସ୍ତର ଅତିକ୍ରମ କରି ଇତିହାସ ସୃଷ୍ଟି କରିଥିଲା। ଆଜି ମଧ୍ୟ ସେଥିରେ ୨୭୪ ପଏଣ୍ଟ୍‌ ବୃଦ୍ଧି ହୋଇଛି, ଫଳରେ ସେନ୍‌ସେକ୍ସ ୬୫,୪୭୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ପାଞ୍ଚ ଦିନରେ ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି (ମାର୍କେଟ୍‌ କ୍ୟାପିଟାଲାଇଜେସନ) ୭.୯୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୨୯୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଆଜି କିଛି ସମୟ ପାଇଁ ବମ୍ବେ ଷ୍ଟକ ବଜାର ୩୦୦ ଲକ୍ଷ କୋଟି ଟଙ୍କା କ୍ଲବ୍‌ରେ ସାମିଲ ହୋଇଥିଲା। ମାତ୍ର କାରବାର ଶେଷ ‌ବେଳକୁ ସେନ୍‌ସେକ୍ସରେ କିଛିଟା ସୁଧାର ହେବା ପରେ ସେହି ମୂଲ୍ୟ ହ୍ରାସ ପାଇଛି। କିଛି ଦିନ ହେଲାଣି ବିଦେଶୀ ନିବେଶକମାନେ ବିପୁଳ ପରିମାଣର ଭାରତୀୟ ଇକ୍ବିଟି ସେୟାର କିଣୁଛନ୍ତି। ସେଥିପାଇଁ ଷ୍ଟକ ବଜାରରେ ଉତ୍ସାହ ରହିଛି। ଏହା ବ୍ୟତୀତ ଠିକ୍ ସମୟରେ ମୌସୁମୀ ଆଗମନ, ଦରଦାମ୍ ସ୍ଥିତିରେ ସୁଧାର, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୭୫ ଡଲାର ପାଖାପାଖି ରହିବା ଆଦି କାରଣ ଯୋଗୁ ନିବେଶକମାନଙ୍କ ମନୋବଳ ଦୃଢ଼ ରହିଛି। ମଙ୍ଗଳବାର ବିଦେଶୀ ନିବେଶକମାନେ ୨୧୩୪.୩୩ କୋଟି ଟଙ୍କାର ଭାରତୀୟ ଇକ୍ବିଟି ସେୟାର କିଣିଛନ୍ତି। ଜୁନ୍‌ରେ ସେମାନେ ୪୭,୧୪୮ କୋଟି ଟଙ୍କାର ସେୟାର କିଣିଥିଲେ ଯାହା ଗତ ୧୦ ମାସ ଭିତରେ ସର୍ବାଧିକ। କେବଳ ଭାରତ ନୁହେଁ ସାଂଘାଇ ଓ ହଂକଂ ଷ୍ଟକ୍‌ ବଜାରରେ ମଧ୍ୟ ଭଲ କାରବାର ହୋଇଛି। ୟୁରୋପ ଓ ଆମେରିକାରେ ଷ୍ଟକ କାରବାର ଉତ୍ସାହଜନକ ଥିବା ବେଳେ ସିଓଲ ଓ ଟୋକିଓରେ ସାମାନ୍ୟ ମାନ୍ଦା ରହିଥିଲା।

ବମ୍ବେ ଷ୍ଟକ ବଜାରରେ ବଜାଜ୍‌ ଫାଇନାନ୍ସ, ବଜାଜ୍‌ ଫିନ୍‌ସର୍ଭ, ଟେକ୍ ମହିନ୍ଦ୍ରା, ସନ୍‌ ଫାର୍ମା, ଏନ୍‌ଟିପିସି, ଟାଇଟାନ୍, ୱିପ୍ରୋ, ଟାଟା କନ୍‌ସଲଟାନ୍ସି ସର୍ଭି‌ସେସ୍, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଇନ‌୍‌ଫୋସିସ୍, ‌ଷ୍ଟେଟ୍‌ ବ୍ୟାଙ୍କ ଓ ଆଇଟିସି ସେୟାର ମୂଲ୍ୟରେ ବୃଦ୍ଧି ହୋଇଥିବା ବେଳେ ଭାରତୀ ଏୟାରଟେଲ୍, ଆକ୍ସିସ୍ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଟାଟା ଷ୍ଟିଲ୍ ଓ ଅଲ୍‌ଟ୍ରାଟେକ୍ ସିମେଣ୍ଟ୍ ସେୟାର ମୂଲ୍ୟ ହ୍ରାସ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ