ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ଏବଂ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏହାର ସାଂଗଠନିକ ଶକ୍ତିକୁ ଆହୁରି ସୁଦୃଢ଼ କରିବାକୁ ଯାଇ କେତେକ ପରିବର୍ତ୍ତନ କରିଛି। ୪ ରାଜ୍ୟରେ ବିଜେପି ନୂଆ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି। ତେଲେଙ୍ଗାନା, ପଂଜାବ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ବିଜେପି ନୂଆ ମୁଖ୍ୟଙ୍କୁ ନିଯୁକ୍ତି ଦେଇଛି। ଜି କିଶନ ରେଡ୍ଡିଙ୍କୁ ତେଲେଙ୍ଗାନା ବିଜେପି ସଭାପତି ନିଯୁକ୍ତ କରାଯାଇଥିବା ବେଳେ ଡି ପୁରନ୍ଦେଶ୍ବରୀ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଝାଡ଼ଖଣ୍ଡର ନୂଆ ବିଜେପି ସଭାପତି ଏବଂ ସୁନୀଲ ଜାଖର ପଂଜାବର ନୂଆ ବିଜେପି ସଭାପତି ନିଯୁକ୍ତ ହୋଇଛନ୍ତି। ବିଜେପି ମଧ୍ୟ ଏ. ରାଜେନ୍ଦ୍ରଙ୍କୁ ତେଲେଙ୍ଗାନା ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ନିଯୁକ୍ତ କରିଥିବା ଘୋଷଣା କରିଛି।
ତେଲେଙ୍ଗାନାରେ ବନ୍ଦି ସଂଜୟ କୁମାରଙ୍କ ସ୍ଥାନରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡି ଦଳର ନେତୃତ୍ବ ନେବେ। ତେଲେଙ୍ଗାନାର ପ୍ରଥମ ଅର୍ଥମନ୍ତ୍ରୀ ତଥା ବିଜେପି ବିଧାୟକ ଏ. ରାଜେନ୍ଦ୍ର ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପିର ରାଜ୍ୟ ନିର୍ବାଚନ ପରିଚାଳନା କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ଭାରତ ରାଷ୍ଟ୍ର ସମିତିରେ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି ଏବଂ ୨୦୨୧ ପର୍ଯ୍ୟନ୍ତ ରହିଛନ୍ତି। ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ। ଟିଡିପି (ତେଲୁଗୁ ଦେଶମ ପାର୍ଟି) ପ୍ରତିଷ୍ଠାତା ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ଟି ରାମାରାଓଙ୍କ ଝିଅ ଡି ପୁରନ୍ଦେଶ୍ବରୀ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ନିଯୁକ୍ତ ହୋଇଛନ୍ତି। ଗତବର୍ଷ ମେ’ରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ସାଂସଦ ସୁନୀଲ କୁମାର ଜାଖରଙ୍କୁ ବିଜେପି ପଂଜାବରେ ଦଳ ମୁଖ୍ୟ ନିଯୁକ୍ତ କରିଛି। ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ବିଧାନସଭାରେ ବର୍ତ୍ତମାନ ବିରୋଧୀ ଦଳ ନେତା ଥିବା ବାବୁଲାଲ ମାରାଣ୍ଡି ବିଜେପିର ଝାଡ଼ଖଣ୍ଡ ସଭାପତି ନିଯୁକ୍ତ ହୋଇଛନ୍ତି। ତେଲେଙ୍ଗାନା ରାଜ୍ୟ ଗଠନ ପୂର୍ବରୁ ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ବିଜେପିର ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ନିଯୁକ୍ତ ହୋଇଛନ୍ତି। ଇତିମଧ୍ୟରେ ବିଜେପି ଆସନ୍ତା ଜୁଲାଇ ୭ ତାରିଖରେ ସମସ୍ତ ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସଚିବ ଏବଂ ରାଜ୍ୟ ପ୍ରଭାରୀମାନଙ୍କର ବୈଠକ ଡାକିଛି ।