ନୂଆଦିଲ୍ଲୀ: ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଅଂଶୀଦାରମାନଙ୍କୁ ଉଦ୍ୟମ କରିବା ଲାଗି ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ଆହ୍ୱାନ କରିଛନ୍ତି । ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ(ଆଇଆରଏମ୍ଏ) ଓ ଏଲ୍ଆଇସି ହାଉସିଂ ଫାଇନାନ୍ସର ମିଳିତ ଭାଗିଦାରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଉପରେ ବିଶ୍ୱର ବିଶ୍ୱାସ ବଢ଼ିଛି । ଆମକୁ ଏବେ ଆମର ପାରମ୍ପରିକ ସାମଗ୍ରୀକୁ ବିଶ୍ବ ବଜାରରେ ପହଞ୍ଚାଇବାର ଉପାୟ ଅନ୍ୱେଷଣ କରିବାକୁ ହେବ। ସୋସିଆଲ ଏଣ୍ଟରପ୍ରାଇଜ କ୍ଷେତ୍ରରେ ଅନେକ ଚାଲେଞ୍ଜ ଅଛି।
ସରକାରୀ ପାଣ୍ଠି ଉପରେ ନିର୍ଭର ନ ହୋଇ ନିବେଶକଙ୍କ ପ୍ରତି ସଚ୍ଚୋଟପଣ ଦେଖାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୟୁରୋପୀୟ ଓ ଭାରତୀୟ ବିଚାରଧାରାର ମୂଳ ଅନ୍ତର ରହିଛି । ୟୁରୋପୀୟ ବିଚାର ‘ମୁଁ’, ମୋର ଦୁନିଆ, ମୋର ଚିନ୍ତାଧାରାକୁ ଦର୍ଶାଉଛି । ମାତ୍ର ଭାରତ ‘ଆମେ’ରେ ବିଶ୍ୱାସ କରେ। ଏହିଭଳି ଭାବେ ଦୁନିଆ ସାମ୍ନାରେ ଅନ୍ୟମାନଙ୍କ ପାଇଁ ବଞ୍ଚିବାର ମଡେଲ ବନାଇବା ପାଇଁ ଶ୍ରୀ ପ୍ରଧାନ ଉପସ୍ଥିତ ସୋସିଆଲ ଏଣ୍ଟରପାଇଜ୍ର ଅଂଶୀଦାର ମାନଙ୍କୁ ପରାମର୍ଶ ଦେଇଛନ୍ତି।