କଟକ : ଓଡ଼ିଶାର ନ୍ୟାୟ ବ୍ୟବସ୍ଥାରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ରାଜ୍ୟରେ ୫୦ଟି ପେପରଲେସ୍ କୋର୍ଟକୁ ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଉଦ୍ଘାଟନ କରିଛନ୍ତି। ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ବିଚାରପତି କହିଛନ୍ତି ଯେ ଦ୍ବିତୀୟ ପର୍ଯ୍ୟାୟରେ ଏହି ୫୦ଟି ପେପରଲେସ୍ କୋର୍ଟ ଉଦଘାଟିତ ହେବା ପରେ ଓଡ଼ିଶାର ନ୍ୟାୟ ବ୍ୟବସ୍ଥା ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଏକ ମାସ ଭିତରେ ଆଉ ୫୦ଟି ପେପରଲେସ୍ କୋର୍ଟ କାର୍ଯ୍ୟକ୍ଷମ ହେବ। ଏଥି ପାଇଁ ରାଜ୍ୟ ସାରା ବିଚାରବିଭାଗୀୟ ଅଧିକାରୀଙ୍କୁ ତାଲିମ ଦିଆଯାଉଛି। କରୋନା ମହାମାରୀ ବିଚାରବିଭାଗରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ତ୍ବରାନ୍ବିତ କରିଥିଲା। ପେପରଲେସ୍ କୋର୍ଟରେ କାର୍ଯ୍ୟ କରିବା ବେଳେ ଡିଜିଟାଲ ରେକର୍ଡ ଦ୍ବାରା ବିଚାରପତି ସହଜରେ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ପାଖରେ ପହଞ୍ଚି ପାରୁଛନ୍ତି। ଆଇନଜୀବୀଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଉପଯୋଗୀ ହୋଇଛି। ଡିଜିଟାଇଜେସନ, ଇ-ଫାଇଲିଂ ଓ ପେପରଲେସ୍ କୋର୍ଟ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ଦ୍ବାରା ନ୍ୟାୟବ୍ୟବସ୍ଥା ପାଖରେ ପହଞ୍ଚିବା ପ୍ରସଂଗ ଅଧିକ ସକ୍ଷମ, ଦକ୍ଷ ଓ ଫଳପ୍ରଦ ହୋଇଛି ବୋଲି ମୁଖ୍ୟ ବିଚାରପତି କହିଥିଲେ।
ହାଇକୋର୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଆଇଟି କମିଟି ଅଧ୍ୟକ୍ଷ ଜଷ୍ଟିସ ଶୁଭାଶିଷ ତାଳପତ୍ର ଗରିବଙ୍କ ସୁବିଧା ପାଇଁ ବିଚାରବିଭାଗରେ ବୈଷୟିକ ଜ୍ଞନାକୌଶଳର ବ୍ୟବହାରର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଓକାକ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମୁଖ ଯୋଗ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ଜଜ୍, ବିଚାରବିଭାଗୀୟ ଅଧିକାରୀ ଭର୍ଚୁଆଲ ବ୍ୟବସ୍ଥାରେ ଉପସ୍ଥିତ ଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଜି ୨୩ଟି ଜିଲ୍ଲାରେ ୫୦ଟି ପେପରଲେସ୍ କୋର୍ଟ ଉଦଘାଟନ ସହିତ ଗଞ୍ଜାମର ସମସ୍ତ କୋର୍ଟ ପେପରଲେସ୍ ହୋଇଛି। ଏ କ୍ଷେତ୍ରରେ ସାରା ରାଜ୍ୟରେ ଗଞ୍ଜାମ ହେଉଛି ପ୍ରଥମ ଜିଲ୍ଲା। ୨୦୨୨, ସେପ୍ଟେମ୍ବର ୧୭ରେ ୩୦ଟି ଜିଲ୍ଲାରେ ୩୪ଟି ପେପରଲେସ୍ କୋର୍ଟ ଭାରତର ପ୍ରଧାନ ବିଚାରପତି ଉଦଘାଟନ କରିଥିଲେ। ୨୦୨୩, ମେ ୫ ଓ ୬ରେ କଟକରେ ଡିଜିଟାଇଜେସନ, ଇ-ଇନିସିଏଟିଭ୍, ଓ ପେପରଲେସ୍ କୋର୍ଟ ଉପରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ତିନି ମାସ ଭିତରେ ରାଜ୍ୟରେ ଆଉ ଶହେଟି ପେପରଲେସ୍ କୋର୍ଟ ଖୋଲିବ ବୋଲି ହାଇକୋର୍ଟ ପକ୍ଷରୁ ମୁଖ୍ୟ ବିଚାରପତି କଥା ଦେଇଥିଲେ।