ହାଇଦ୍ରାବାଦ : ରାହୁଲ ଗାନ୍ଧି ବିଆର୍ଏସ୍କୁ ବିଜେପିର ବି-ଟିମ୍ ବୋଲି କହିବା ପରେ ତେଲେଙ୍ଗାନା ମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟି ରାମାରାଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କଂଗ୍ରେସକୁ ଦୁର୍ନୀତିର ଗନ୍ତାଘର ବୋଲି କହିବା ସହ କହିଛନ୍ତି ଯେ ଏଆଇସିସି ହେଉଛି ‘ଅଲ୍ ଇଣ୍ଡିଆ କରପ୍ସନ କମିଟି’।
ଟ୍ବିଟ୍ କରି ରାମାରାଓ କହିଛନ୍ତି, କଂଗ୍ରେସ ଅତୀତରେ ଯେଉଁସବୁ ଦିର୍ନୀତି କରିଥିଲା, ତାକୁ ଲୋକେ ଭୁଲିନାହାନ୍ତି। ସେ କହିଛନ୍ତି ବିଆର୍ଏସ୍ ହେଉଛି ଏକ ଅଦମନୀୟ ଶକ୍ତି, ଯିଏ ଉଭୟ କଂଗ୍ରେସ ଓ ବିଜେପି ବିରୋଧରେ ଲଢ଼ିପାରିବ। ରାହୁଲ ଗାନ୍ଧି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି ଏବଂ ବିଆର୍ଏସ୍ ହେଉଛି ବିଜେପିର ବି-ଟିମ୍। ସେ ବିଆର୍ଏସ୍କୁ ବିଜେପି ରିସ୍ତେଦାର ସମିତି ବୋଲି ଅଭିହିତ କରିଥିଲେ। ସେ କହିଛନ୍ତି ବିଆର୍ଏସ୍ ନେତାମାନେ ଏବେ ଦୁର୍ନୀତିରେ ବୁଡ଼ିଥିବାରୁ ବିଜେପି ପାଖରେ ମଥାନତ କରିବାକୁ ବାଧ୍ୟ ହୋଇଛନ୍ତି। ବିଆର୍ଏସ୍ ସମ୍ପୃକ୍ତ ଥିବା କୌଣସି ବ୍ଲକ୍ରେ କଂଗ୍ରେସ ଯୋଗ ଦେବ ନାହିଁ ବୋଲି ସେ କହିଥିଲେ।