ରାଜ୍ୟ

ଗାଁକୁ ମାଡ଼ିଯିବ ପାଣି, କିନ୍ତୁ କ୍ଷତିପୂରଣ ଅଧୁରା; କାହା ସ୍ବାର୍ଥ ପାଇଁ ୨୫ ଗୁଣ ବଜେଟ୍‌ ବଢ଼ିଲା

ଭୁବନେଶ୍ବର : ଚାଷ ଜମିକୁ ମାଡ଼ି ଆସିଲାଣି ପାଣି, ଯେକୌଣସି ମୁହୂର୍ତ୍ତରେ ଘରେ ପଶିଯିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସାଢ଼େ ୧୦ ଏକର ଜମି ଏବଂ ମୂଲ୍ୟବାନ ଗଛର ଟଙ୍କା ଦେଇନାହିଁ ପ୍ରଶାସନ। ଜମି କ୍ଷତିପୂରଣ ଟଙ୍କା ଦେବାକୁ ଯଦି ପ୍ରଶାସନ ଏତେ ବିଳମ୍ବ କରୁଛି, କେଉଁ ଭରସାରେ ଘର ଛାଡ଼ି ଯିବୁ। କେବଳ ଆମ କଥା ନୁହେଁ ଆମ ଗାଁର ପ୍ରାୟ ୫୦ ପ୍ରତିଶତରୁ ଅଧିକ ପରିବାରଙ୍କୁ କ୍ଷତିପୂରଣ ଟଙ୍କା ନ ଦେଇ ଜୋରଜବରଦସ୍ତି ପ୍ରଶାସନ ଗଛ କାଟି ଦେଉଛି। ଏହା କହିଛନ୍ତି ବଲାଙ୍ଗୀର ଜିଲ୍ଲା ଡୁଙ୍ଗୁରିପାଲି ଗାଁର ଯଜ୍ଞକର ବିଶ୍ବାଳ।

ବଲାଙ୍ଗୀର ଜିଲ୍ଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ୨୯ଟି ଗାଁ ମଧ୍ୟରୁ ୧୫ଟି ସମ୍ପୂର୍ଣ୍ଣ ଜଳମଗ୍ନ ହେବ। ଏଥିରୁ ଅନ୍ୟତମ ଡୁଙ୍ଗୁରିପାଲି। ଏଠିକାର ୭୦୬ ପରିବାର ଏହି ପ୍ରକଳ୍ପ ଯୋଗୁଁ ଭିଟାମାଟି ହରାଉଛନ୍ତି। ଏହି ଗାଁକୁ ପାଣି ମାଡ଼ିବାକୁ ବସିଲାଣି। ଯେକୌଣସି ମୁହୂର୍ତ୍ତରେ ଗାଁଟି ଜଳ ଘେର ମଧ୍ୟରେ ନିଜ ଅସ୍ତିତ୍ବ ମଧ୍ୟ ହରାଇବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜମି ବିବାଦ ସମାଧାନ କି ଗଛ ମୂଲ୍ୟାଙ୍କନ ସରିନାହିଁ। ବିସ୍ଥାପିତ ଗଛ ଏବଂ ଜମିର କ୍ଷତିପୂରଣ ପାଇନଥିବା ଅଭିଯୋଗ କରିଛନ୍ତି।

୨୧ ବର୍ଷ ପରେ ବଲାଙ୍ଗୀର ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସ୍ବପ୍ନ ସାକାର ହେବାକୁ ଯାଉଛି। ଇତିମଧ୍ୟରେ ଏହାର ବଜେଟ ୨୧୭.୧୩ କୋଟିରୁ ୨୫ ଗୁଣ ବଢି ୫୨୫୯.୮୨ କୋଟିରେ ପହଞ୍ଚି ସାରିଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନରେ କୌଣସି ପ୍ରକାର ସମସ୍ୟା ହେବ ନାହିଁ ବୋଲି ରାଜ୍ୟ ସରକାର ବାରମ୍ବାର କହୁଛନ୍ତି। ଏହାକୁ ବିଶ୍ବାସ କରି ଦୀର୍ଘ ବର୍ଷ ଧରି ପ୍ରକଳ୍ପକୁ ବିରୋଧ କରୁଥିବା ବ୍ୟକ୍ତି କ୍ଷତିପୂରଣ ଟଙ୍କା ଗ୍ରହଣ କରିବା ସହିତ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ମାତ୍ର କିଛି ଦିନ ମଧ୍ୟରେ ଜଳମଗ୍ନ ହେବାକୁ ଥିବା ଗାଁକୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଟଙ୍କା ମଧ୍ୟ ଦିଆଯାଇ ନାହିଁ। ଏଥିଯୋଗୁଁ ବିସ୍ଥାପିତଙ୍କ ମଧ୍ୟରେ ଅନିଶ୍ଚିତତା ବଢ଼ିବାରେ ଲାଗିଛି। ବନଛୋରପାଲି ଗାଁର ଜଣେ ବିସ୍ଥାପିତଙ୍କ ଅନୁସାରେ, ତାଙ୍କ ଗାଁ ଚାରିପଟରେ ପାଣି। ସେମାନଙ୍କୁ ମଧ୍ୟ ଜମିର ସବୁ ଟଙ୍କା ମିଳି ନାହିଁ କି ଗଛ ମୂଲ୍ୟାୟନ ମଧ୍ୟ ହୋଇ ନାହିଁ। ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ଏତେ ତରବରରେ ଅଛି ଯେ କ୍ଷତିପୂରଣ ନ ଦେଇ ବିସ୍ଥାପିତ କରିବାରେ ଲାଗିଛି।

SSNR Projects

ଲୋୟର ସୁକତେଲ ପ୍ରକଳ୍ପରେ ୩୫୦୦ ଘର ବୁଡ଼ିବ। ପ୍ରଥମେ ଯେତେବେଳେ ଏହାକୁ ନେଇ ବିରୋଧ ହେଲା ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ପରିବାର ପିଛା ସମସ୍ତଙ୍କୁ କ୍ଷତିପୂରଣ ଦିଆଗଲା। ଯେପରି ସେମାନେ ଆଇନଗତ ଭାବରେ ଘର ଛାଡ଼ିବାକୁ ବାଧ୍ୟ ହେବେ। ମାତ୍ର ଗଛ ଏବଂ ଜମି ମୂଲ୍ୟାୟନ କରିବାରେ ବିଳମ୍ବ କରାଯାଉଛି। ସ୍ଥିତି ଏଭଳି ହୋଇଛି ଅଧିକାଂଶ ବିସ୍ଥାପିତଙ୍କ ଏହି ମୂଲ୍ୟାୟନ ଟଙ୍କା ଅଟକି ରହିଥିବାରୁ ସେମାନେ ସ୍ବର ଉଠାଇବା ପାଇଁ ଭୟ କରୁଛନ୍ତି। ବର୍ତ୍ତମାନ ବିସ୍ଥାପିତଙ୍କୁ ଯେତିକି ଟଙ୍କା ମିଳିଛି ସେତିକିରେ ସେମାନେ ନୂଆଘର ନିର୍ମାଣ ପାଇଁ ଟଙ୍କା ନିଅଣ୍ଟ ହେବା ନେଇ ଆଶଙ୍କା କରିଛନ୍ତି।

ସୂଚନା ଅନୁଯାୟୀ, ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୪୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ଏଥିପାଇଁ ପ୍ରକଳ୍ପକୁ ବିରୋଧ କରାଯାଉ ନାହିଁ। ବଜେଟ ୨୫ ଗୁଣ ବଢ଼ିସାରିବା ପରେ ବି ବିସ୍ଥାପିତମାନଙ୍କ ପ୍ରତି ଯଦି ଏଭଳି ବ୍ୟବହାର କରାଯିବ ତେବେ ଦାୟୀ କିଏ ରହିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି, ଡୁଙ୍ଗୁରିପାଲିର ପ୍ରାୟ ୯୫ ପ୍ରତିଶତ ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇଛି। ଜମି ବିବାଦ କିମ୍ବା ଅଚାନକ ନୂତନ ସମ୍ପର୍କୀୟଙ୍କୁ କ୍ଷତିପୂରଣ ତାଲିକାରେ ସାମିଲ କରାଯାଉଥିବାରୁ କିଛି ଜଣଙ୍କୁ କ୍ଷତିପୂରଣ ଦିଆଯାଇ ନାହିଁ। ସାଧାରଣ ଥଇଥାନ ପ୍ୟାକେଜରେ ଭୂମିହୀନଙ୍କ ପାଇଁ କୌଣସି କ୍ଷତିପୂରଣ ବ୍ୟବସ୍ଥା ନଥିବା ବେଳେ ଲୋୟର ସୁକତେଲ ପ୍ରକଳ୍ପରେ ସେମାନଙ୍କୁ ଜମି ବଦଳରେ ଜମି ଦିଆଯାଉଛି। ଏପରିକି ଶିଶୁମାନଙ୍କୁ ଗୋଟିଏ ବର୍ଷ ପାଇଁ ଆର୍ଥିକ ପ୍ୟାକେଜ ଦେବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।