ମୁମ୍ବାଇ: ମହାରାଷ୍ଟ୍ରର ସରକାରରେ ଏନସିପି ନେତା ଅଜିତ ପାୱାରଙ୍କ ଗୋଷ୍ଠୀ ଗତକାଲି ସାମିଲ ହେବାପରେ ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଶକ୍ତ ଧକ୍କା ଲାଗିଛି। ଗତକାଲି ଠାରୁ ପାୱାରଙ୍କ ପରିବାରରେ ରାଜନୈତିକ ଝଡ଼ ଓ ବଳ କଷା ଆରମ୍ଭ ହୋଇଯାଇଛି। ଦଳ କାହା କବ୍ଜାରେ ରହିବ ତାହାକୁ ନେଇ ଉଭୟ ଦାଦା ଶରଦ ଏବଂ ପୁତୁରା ଅଜିତଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ଗତକାଲି ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ଜଣ ଏନସିପି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଏନ୍ସିପି ପକ୍ଷରୁ ଆଜି ବାଚସ୍ପତି ରାହୁଲ ନର୍ବେକରଙ୍କ ନିକଟରେ ପିଟିସନ ଦାଖଲ ହୋଇଛି। ବିରୋଧୀ ଦଳ ନେତା ଭାବେ ଜିତେନ୍ଦ୍ର ଅୱଧଙ୍କୁ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି। ସେ ଗତକାଲି ରାତିରେ ବାଚସ୍ପତିଙ୍କ ବାସଭବନରେ ପହଞ୍ଚି ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ସଂପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ଦଳର ସଭାପତି ଶରଦ ପାୱାର ଆଜି ସାଂସଦ ସୁନିଲ ତଟକରେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ପାର୍ଟିରୁ ବିଦା କରିଛନ୍ତି।
ଅନ୍ୟପକ୍ଷରେ ପ୍ରଫୁଲ୍ଲ ପଟେଲ ସୁନିଲ ତଟକରେଙ୍କୁ ଦଳର ନୂଆ ରାଜ୍ୟ ସଭାପତି ଭାବେ ଘୋଷଣା କରିଛନ୍ତି। ଏଥିସହିତ ଅନିଲ ଭାଇଦାସ ପାଟିଲଙ୍କୁ ସେ ମହାରାଷ୍ଟ୍ର ବିଧାନସଭାର ମୁଖ୍ୟ ସଚେତକ ନିଯୁକ୍ତ କରିଛନ୍ତି। ଏଥିସହିତ ଅଜିତ ପାୱାରଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି। ଏହି ନିଷ୍ପତ୍ତି ସଂପର୍କରେ ବାଚସ୍ପତିଙ୍କୁ ଜଣାଇ ଦିଆଯାଇଥିବା ପଟେଲ କହିଛନ୍ତି। ଦଳରେ ସାଂଗଠନିକ ପରିବର୍ତ୍ତନ ପାଇଁ ଅଧିକାର ତଟକରେଙ୍କ ନିକଟରେ ରହିଛି। ଏଥିସହିତ ସେମାନଙ୍କୁ ଆଶୀର୍ବାଦ ଦେବା ପାଇଁ ସେ ଯୋଡ଼ହସ୍ତରେ ଗୁରୁ ଶରଦ ପାୱାରଙ୍କୁ ଅନୁରୋଧ କରିଛନ୍ତି। ଅଜିତ ପାୱାର କହିଛନ୍ତି, ରାଜ୍ୟର ଭଲ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଶରଦ ପାୱାର ଦଳର ରାଷ୍ଟ୍ରୀୟ ମୁଖ୍ୟ ରହିବେ ବୋଲି ସେ ସୂଚନା ଦେଇଛନ୍ତି। ଅଜିତ ପାୱାର ଦାବି କରିଛନ୍ତି ଯେ ସଂଖ୍ୟାଧିକ ବିଧାୟକ ସେମାନଙ୍କ ପଟେ ଅଛନ୍ତି। ଯେଉଁଥିପାଇଁ ସେ ଉପମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଅଜିତ ପାୱାରଙ୍କ ବିଦ୍ରୋହରେ ତାଙ୍କର ଆଶୀର୍ବାଦ ରହିଛି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଶରଦ ପାୱାର ଖଣ୍ଡନ କରିଛନ୍ତି। ଦଳର କର୍ମୀମାନଙ୍କୁ ସେ ପ୍ରତ୍ୟାଖ୍ୟାତ ଅନୁଭବ ନକରିବା ପାଇଁ ପରାମର୍ଶ ଦେବା ସହିତ ସେମାନେ ପୁଣିଥରେ ଯାହା ହରାଇଛନ୍ତି ସେଥିରେ ବିଜୟୀ ହେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।
କରାଦଠାରେ ଦଳର କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶରଦ ପାୱାର କହିଛନ୍ତି, ବିଜେପି ଅନ୍ୟ ଦଳକୁ ଯେଭଳି ଭାଙ୍ଗିବା କୌଶଳ ଅବଲମ୍ବନ କରିଛି ସେଥିରେ ଆମର କିଛି ନେତା ଶିକାର ହୋଇଛନ୍ତି। ଏଥିସହିତ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ମତ ଦେଇଛନ୍ତି। ପାୱାର ଆଜି ଗୁରୁ ପୂର୍ଣ୍ଣିମାରେ ତାଙ୍କର ଗୁରୁ ତଥା ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ଯଶୱନ୍ତରାଓ ଚୌହାନଙ୍କ ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦଳରେ ବିଭାଜନ ପରେ ଶକ୍ତି ପ୍ରଦର୍ଶନ ପାଇଁ ଶ୍ରୀ ପାୱାର ଏହା କରିଥିବା ଚର୍ଚ୍ଚା ହେଉଛି।
ଦୁର୍ନୀତିଗ୍ରସ୍ତ କହୁଥିବା ଦଳର ନେତାଙ୍କୁ ଏବେ ବିଜେପି ସ୍ବାଗତ କରୁଛି: ସୁଲେ
ଅଜିତ ପାୱାରଙ୍କ ସମେତ ୯ ଜଣ ଦଳୀୟ ବିଧାୟକ ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ଏନସିପିର କାର୍ଯ୍ୟକାରୀ ସଭାପତି ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବିଜେପିକୁ ସମାଲୋଚନା କରିଛନ୍ତି। ଏନସିପିକୁ ଦୁର୍ନୀତିଗ୍ରସ୍ତ ଦଳ କହୁଥିବା ବିଜେପି ଏହାର ନେତାମାନଙ୍କୁ ସ୍ବାଗତ କିଭଳି କରୁଛି ବୋଲି ସେ ପଚାରିଛନ୍ତି। ବିଜେପି ୨୪ ଘଣ୍ଟା ନିର୍ବାଚନ ମୁଡ୍ରେ ରହୁଛି। ମୁଁ ସର୍ବଦା ଏନସିପି ଏବଂ ସତ୍ୟ ସହିତ ରହିଛଇ। ପ୍ରତିଦିନ ମୁଁ ଏଭଳି ଆହ୍ବାନର ସମ୍ମୁଖୀନ ହୋଇଥାଏ। ଅଜିତ ପାୱାରଙ୍କ ବିଦ୍ରୋହ ମୋ ପାଇଁ ଏକ ନୂଆ ଆହ୍ବାନ ବୋଲି ସୁଲେ କହିଛନ୍ତି।
ସିନ୍ଦେ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟିବେ: ସଞ୍ଜୟ ରାଉତ
ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମଧ୍ୟ ଆଜି ମହାରାଷ୍ଟ୍ରର ରାଜନୈତିକ ପ୍ରସଙ୍ଗ ଉପରେ ମତ ରଖିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପଦରୁ ଶୀଘ୍ର ଏକନାଥ ସିନ୍ଦେ ହଟିବେ ଏବଂ ତାଙ୍କ ସ୍ଥାନରେ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ହେବେ। ପ୍ରାୟ ବର୍ଷକ ତଳେ ଶିବସେନାରେ ବିଭାଜନ ଘଟାଇଥିବା ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷଣା ହେବାକୁ ଯାଉଛନ୍ତି। ରାଜ୍ୟରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ଲଢ଼େଇ କରିବେ ବୋଲି ସେ କହିଛନ୍ତି। ଶିବସେନା,ଏନସିପି ଏବଂ କଂଗ୍ରେସକୁ ବିଜେପି ଭାଙ୍ଗୁଛି। କିନ୍ତୁ ଏହା ସେମାନଙ୍କୁ କୌଣସି ପ୍ରକାର ଲାଭ ଦେବ ନାହିଁ। ଆମେ ମିଳିତ ଭାବେ ଲଢ଼ିବୁ ବୋଲି ଶ୍ରୀ ରାଉତ କହିଛନ୍ତି।