ରାଜ୍ୟ

୮୦ ଉପରେ ସବୁ ପରିବା: କନ୍ଦେଇବ ଆହୁରି ମାସେ

ଭୁବନେଶ୍ବର/ଜଟଣୀ: ପରିବା ବଜାରରେ ପଶିବାକୁ ଡର ଲାଗୁଛି। ବେପାରୀଙ୍କ ଡାକ ଶୁଣିଲେ, କାନମୁଣ୍ଡା ଝାଇଁଝାଇଁ ହୋଇଯାଉଛି। ସବୁ ସବୁଜ ପରିବା ୮୦ ଟଙ୍କା ଉପରେ। ସାଧାରଣ ପରିବାର ପାଇଁ ନିତ୍ୟ ଆବଶ୍ୟକ ବାଇଗଣ କିଲୋ ୮୦ ଟଙ୍କା। କାଙ୍କଡ଼, କଲରା, ଭେଣ୍ଡି, ଝୁଡ଼ଙ୍ଗ ଆଦି ସବୁଦିନିଆ ପରିବା କେହି ୮୦ ଟଙ୍କା ତଳକୁ ନାହାନ୍ତି। ବିନ୍‌ସ ଆଡ଼କୁ ତ ଚାହିଁ ହେଉନାହିଁ। କିଲୋ ୨ ଶହ ଟଙ୍କା। ଟମାଟୋ ୧୦୦ ଉପରେ। ପରିବା ବଜାରର ଏଭଳି ତାତିରେ ବେଶି ସନ୍ତୁଳି ହେଉଛନ୍ତି ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର। ପୋଡ଼ାଝଡ଼ାରେ କାମ ଚଳାଇବା ବି କାଠିକାର ହୋଇପଡ଼ୁଛି। ବର୍ଷାଦିନିଆ ନୂଆ ଅମଳ ଆସିବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ତେଣୁ ଆହୁରି ମାସେ କିମ୍ବା ତା’ଠୁ ଅଧିକ ଦିନ ପରିବା ଦର କନ୍ଦେଇବ ବୋଲି ଜଳଜଳ ଦେଖାଗଲାଣି।ଭୁବନେଶ୍ବର ଓ ଜଟଣୀ ବଜାରରୁ ମିଳିଥିବା ସୂଚନାନୁସାରେ ବିନ୍‌ସ କିଲୋ ୨ ଶହ ଟଙ୍କା, ଟମୋଟୋ ଶହେ ଟଙ୍କା, ପୋଟଳ ୮୦, ବାଇଗଣ ୮୦, କଲରା ୮୦, କାଙ୍କଡ଼ ୮୦, ଭେଣ୍ଡି ୭୦, ସଜନା ଛୁଇଁ ଶହେ ଟଙ୍କା, କାକୁଡ଼ି ଶହେ, ଲଙ୍କା ଶହ ୧୫ ଟଙ୍କା ରହିଛି। କେବଳ କଖାରୁ ଓ ଅମୃତଭଣ୍ଡା କିଲୋ ୪୦ରୁ ୫୦ ଟଙ୍କା ରହିଛି। କିନ୍ତୁ ଏହା ସବୁଦିନିଆ ଆବଶ୍ୟକ ପରିବା ନୁହେଁ। ଏଭଳି ପରିବା ଦର ପାଇଁ ଏବେ ହାଣ୍ଡିଶାଳରେ ପଡ଼ିଛି ଚଡ଼କ। ଗରିବ ଲୋକଟିଏ ଡାଲମାରେ ବାଇଗଣ ପକାଇ ପାରୁନି। ଆଳୁ, କଖାରୁ ଓ ଅମୃତଭଣ୍ଡାରେ ଡାଲମା କରି କାମ ଚଳାଇବାକୁ ପଡ଼ୁଛି। ଏମିତିକି ଆଳୁ ବାଇଗଣ ପୋଡ଼ା ଓ ସିଝାରେ କାମ ଚଳାଇନେବା ଆଜି ଆଉ ସମ୍ଭବ ହେଉନାହିଁ। ଖାଉଟିମାନଙ୍କ କହିବା ଅନୁସାରେ ପ୍ରତିବର୍ଷ ଏହି ସମୟରେ ପରିବା ଦର ବଢ଼ିଥାଏ। କିନ୍ତୁ କେବେ ଏମିତି ସ୍ଥିତି ଦେଖିବ‌ାକୁ ମିଳି ନଥିଲା। ସବୁ ପରିବା ଦର ଗୋଟିଏ ସମୟରେ ଆକାଶଛୁଆଁ ହେବା ବେଶ୍ ବାଧୁଛି। ବିକଳ୍ପ ଭାବେ କାମ ଚଳେଇ ନେବାକୁ କୌଣସି ପରିବା ଦର ସୁହାଉନାହିଁ। ଏହି ସମୟରେ ପୁଣି ଅଦା, ରସୁଣ ଦର କିଛି କମ ନାହିଁ। ଅଦା, ରସୁଣ କିଲୋ ୧୫୦ ଟଙ୍କାରୁ କମ ନାହିଁ। ସେପଟେ ଡାଲି, ଜିରା ଦର ବି ବାଧୁଛି। ତେଣୁ ସମ୍ପ୍ରତି ସାଧାରଣ ଲୋକେ କ’ଣ ଖାଇ ବଞ୍ଚିବେ ବୋଲି ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ ଯେ ଜଟଣୀ ଓ ଭୁବନେଶ୍ବର ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ପରିବା ଆସୁନାହିଁ। ସାଧାରଣତଃ ଏହି ଦୁଇ ବଜାରକୁ ବାଙ୍କୀ, ଆଠଗଡ଼, ବାରଙ୍ଗ, ବାଲିଅନ୍ତା, ବାଲିପାଟଣା, ବଳଙ୍ଗା, ପିପିଲି, ଡେଲାଙ୍ଗ, ବଳଙ୍ଗା, ତେଇଶପୁର, କଣ୍ଟି, ସିକୋ, ରଣପୁର, କଳାପଥର, ବୈ‌‌ଦେଶ୍ବର, ନୟାଗଡ଼ ଆଦି ଅଞ୍ଚଳରୁ ପରିବା ଆସିଥାଏ। ଏମିତିକି ଏଠ‌ାକୁ ଗଞ୍ଜାମରୁ ମଧ୍ୟ କିଛି ପରିବା ଆସିଥାଏ। କିନ୍ତୁ ଏବେ ଏହି ଅଞ୍ଚଳର ଚାଷୀମାନେ ଖରିଫ୍ ଧାନ ଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି। ବହୁ ପରିବା କିଆରୀ ଧାନ ଚାଷ ପାଇଁ ପ୍ରସ୍ତୁତ ହେଲାଣି। ତେଣୁ ରବି ଋତୁରୁ ହୋଇଥିବା ପରିବା ଚାଷ ଶେଷ ହୋଇଯାଇଛି। ଫଳରେ ଅମଳ ପୂରା ନାହିଁ କହିଲେ ଭୁଲ ହେବ ନାହିଁ। ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ଏହି ଅଞ୍ଚଳର ଚାଷୀମାନେ ଏବେ ଢ଼ିପ ଜମି ଦେଖି ପରିବା ଚାଷ କରିବେ। ତେଣୁ ବାଇଗଣ, ଭେଣ୍ଡି, ଜହ୍ନି ଭଳି ପରିବା ଅମଳ ହେବାକୁ ଆହୁରି ମା‌ସକରୁ ଅଧିକ ସମୟ ଲାଗିବ। ତେଣୁ ଏବେ ଲୋକାଲ ପରିବା ନଥିବାରୁ ସବୁ ପରିବା ବାହାରୁ ଆମଦାନି ହେଉଛି। କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ‌ଢେଙ୍କାନାଳ ଭଳି ପାହାଡ଼ିଆ ଅଞ୍ଚଳରେ ଉତ୍ପାଦିତ ହେଉଥିବା ପରିବା ଉପରେ ଭରସା କରିବାକୁ ପଡ଼ୁଛି। ଏମିତିକି କୋଲକାତା, ଆନ୍ଧ୍ରପ୍ରଦେଶ ପରିବା ବି ଆବଶ୍ୟକତା ମେଣ୍ଟାଉଛି। ସେତେବେଳେ ସ୍ଥାନୀୟ ପରିବା ଉପଲବ୍‌ଧ ଥିବାରୁ ବାହାର ପରିବାର ଚାହିଦା କମ ଥିଲା। ତେଣୁ ଦର ସ୍ବାଭାବିକ ଥିଲା। କିନ୍ତୁ ଏବେ ସ୍ଥାନୀୟ ଚାଷୀଙ୍କ ହାତ ଖାଲି ହୋଇଯାଇଥିବାରୁ ବାହାର ପରିବାର ଚାହିଦା ବଢ଼ିଛି ଏବଂ ସ୍ବାଭାବିକ ଭାବେ ବଜାରରେ ଚାହିଦା ବୃଦ୍ଧି ଦରବୃଦ୍ଧିକୁ ଡାକି ଆଣିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।