ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାଜ୍ୟସଭା ଗଣିତ: କେମିତି ପାସ୍ ହେବ ସମାନ ନାଗରିକ ସଂହିତା?

ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା (ୟୁସିସି) ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଏହା ଉପରେ ଆଗକୁ ବଢ଼ିବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି। ରାଜନୈତିକ ଦଳଗୁଡ଼ିକରେ ଏହାକୁ ନେଇ ତତ୍ପରତା ବଢ଼ିବା ଦେଖାଯାଉଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଲ କମିସନ ବିଭିନ୍ନ ବର୍ଗର ମତାମତ ଲୋଡ଼ିଥିବା ବେଳେ ଦୁଇ ସପ୍ତାହ ମଧ୍ୟରେ ଏ ନେଇ ସାଢ଼େ ୮ ଲକ୍ଷରୁ ଅଧିକ ମତାମତ ମିଳିସାରିଲାଣି। କିନ୍ତୁ ପ୍ରଶ୍ନ ହେଉଛି, ସରକାର ରାଜ୍ୟସଭାରେ ଏହି ବିଲ୍ ପାସ୍ କରାଇ ପାରିବେ କି, ଯେଉଁଠି ସରକାରଙ୍କ ପାଖରେ ବହୁମତ ନାହିଁ। ଆହୁରି ଏକ ପ୍ରଶ୍ନ ହେଉଛି ଦିଲ୍ଲୀରେ ଅଫିସରମାନଙ୍କର ନିଯୁକ୍ତି ଓ ବଦଳି ନେଇ ସରକାର ଯେଉଁ ଅଧ୍ୟାଦେଶ ଆଣିଛନ୍ତି, ତା’ର କ’ଣ ହେବ? ସବୁଠାରୁ ରୋଚକ କଥା ହେଉଛି, ଏ ଦୁଇଟି କ୍ଷେତ୍ରରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ପ୍ରଥମେ ଆସିବା ସମାନ ନାଗରିକ ସଂହିତା (ୟୁସିସି) ଉପରକୁ। ରାଜ୍ୟସଭାରେ ବହୁମତ ନ ଥିଲେ ମଧ୍ୟ କେନ୍ଦ୍ର ସରକାର ତିନି ତଲାକ ଓ ୩୭୦ ଧାରା ଉଚ୍ଛେଦ ପରି ବିବାଦୀୟ ବିଲ୍ ପାସ୍ କରାଇ ନେଇଥିଲେ। ତେଣୁ ୟୁସିସି ବିଲ୍ ବି ସରକାର ସେହିପରି ପାସ୍ କରାଇନେବା ଅସମ୍ଭବ ନୁହେଁ।

ରାଜ୍ୟସଭାର ମୋଟ କ୍ଷମତା ୨୪୫ ହୋଇଥିବା ବେଳେ ବର୍ତ୍ତମାନ ୨୩୭ ଜଣ ସଦସ୍ୟ ଅଛନ୍ତି। ୮ଟି ସ୍ଥାନ ଖାଲି ରହିଛି, ଯେଉଁଥିରେ ଦୁଇଟି ମନୋନୀତ ସାଂସଦଙ୍କ ଆସନ ବି ଅଛି। ରାଜ୍ୟସଭାରେ ବିଲ୍ ପାସ୍ କରାଇବା ପାଇଁ ସରକାରଙ୍କୁ ୧୧୯ ଜଣ ରାଜ୍ୟସଭା ସାଂସଦଙ୍କ ସମର୍ଥନ ଆବଶ୍ୟକ। ବିଜେପି ଓ ସହଯୋଗୀ ଦଳ ପାଖରେ ବର୍ତ୍ତମାନ ୧୦୯ ଜଣ ସାଂସଦ ଅଛନ୍ତି। ଏଥିରେ ବିଜେପିର ୯୨ ସାଂସଦ ଓ ଏଆଇଏଡିଏମ୍‌କେର ୪ ଜଣ ସାଂସଦ ଅଛନ୍ତି। ତା’ଛଡ଼ା ଏଜିପି, ଏନ୍‌ପିପି, ଏସ୍‌ଡିଏଫ୍‌, ଆର୍‌ପିଆଇ, ଏମ୍‌ଏନ୍‌ଏଫ୍‌, ଟି,ମ୍‌ସିଏମ୍‌ ଓ ପିଏମ୍‌କେର ଜଣେ ଜଣେ ସାଂସଦ ମିଶିଲେ ୭ ଜଣ ହେଉଛନ୍ତି। ଆଉ ୫ ଜଣ ମନୋନୀତ ସାଂସଦ ଓ ଜଣେ ନିର୍ଦ୍ଦଳୀୟ ସାଂସଦଙ୍କ ସମର୍ଥନ ବି ଅଛି। ଏହା ସତ୍ତ୍ବେ ବହୁମତ ପାଇଁ ଏନ୍‌ଡିଏକୁ ଆଉ ୧୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ରାଜ୍ୟସଭାରେ ଆମ୍ ଆଦ୍‌ମୀ ପାର୍ଟିର ୧୦ ଜଣ ସାଂସଦ ଅଛନ୍ତି- ଦିଲ୍ଲୀରୁ ୩ ଜଣ ଓ ପଞ୍ଜାବରୁ ୭ ଜଣ। ଯଦି ଆପ୍ ସମର୍ଥନ ଦିଏ ତେବେ ବିଜେପି ସହଜରେ ବହୁମତ ହାସଲ କରିପାରିବ।

ଲ’ କମିସନକୁ ସାଢ଼େ ୮ ଲକ୍ଷ ମତାମତ ମିଳିସାରିଲାଣି
ଦିଲ୍ଲୀ ଅଧ୍ୟାଦେଶର କ’ଣ ହେବ?

ଜୁଲାଇ ୨୪ ତାରିଖରେ ରାଜ୍ୟସଭାର ୧୦ଟି ଆସନ ପାଇଁ ନିର୍ବାଚନ ହେବ। ଆଉ ଗୋଟିଏ ଆସନ ପାଇଁ ଉପନିର୍ବାଚନ ବି ହେବ। ବିଜେପିର ୯୩ ଜଣ ସାଂସଦ ଥିଲେ। ହରଦ୍ବାର ଦୁବେଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସାଂସଦ ସଂଖ୍ୟା ୯୨ ରହିଛି। ଦୁଇଟି ମନୋନୀତ ସାଂସଦ ଆସନ ବି ଖାଲି ରହିଛି। ଜୁଲାଇ ୨୪ରେ ୧୦ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ମଧ୍ୟରୁ ୩ଟି ଆସନ ଗୁଜରାଟର, ଯାହା ବିଜେପିକୁ ମିଳିବା ଥୟ। ପଶ୍ଚିମବଙ୍ଗରୁ ପ୍ରଥମ ଥର ପାଇଁ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିବ। ଏହା ସତ୍ତ୍ବେ ବିଜେପି ବହୁମତରୁ ଦୂରରେ ରହିବ। ବହୁମତ ନ ଥିଲେ ବି ବିଜେପିକୁ ୟୁସିସି ବିଲ୍ ପାସ୍ କରାଇବାରେ ମୋଦୀ ସରକାରଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିବ ନାହିଁ। ବିଜେପିକୁ ବିଜେଡି, ବିଆର୍‌ଏସ୍‌, ୱାଇଏସ୍‌ଆର୍‌ସିପି ଓ ଆପ୍‌ର ସମର୍ଥନ ମିଳିପାରେ। ଆପ୍‌ର ୧୦, ବିଜେଡିର ୯, ୱାଇଏସ୍‌ଆର୍‌ସିପିର ୯ ଓ ବିଆର୍‌ଏସ୍‌ର ୭ ଜଣ ସାଂସଦ ରାଜ୍ୟସଭାରେ ଅଛନ୍ତି। ଆମ୍ ଆଦ୍‌ମୀ ପାର୍ଟି ସୈଦ୍ଧାନ୍ତିକ ରୂପରେ ବିଲ୍‌କୁ ସମର୍ଥନ କରୁଛି। ବିଆର୍‌ଏସ୍‌ ବିଲ୍ ଦେଖିଲା ପରେ ନିଷ୍ପତ୍ତି ନେବ। ୱାଇଏସ୍‌ଆର୍‌ସିପି ଯଦିଚ ବିରୋଧ କରିପାରେ, ତେବେ ବିଜେଡି ଓ ଆପ୍‌ର ସମର୍ଥନ ମିଶିଗଲେ ସରକାର ବହୁମତଠାରୁ ଉପରକୁ ଯାଇପାରିବେ।

ଏବେ ଦେଖିବା ବଦଳି-ନିଯୁକ୍ତି ପାଇଁ ଅଧ୍ୟାଦେଶ ଉପରେ କ’ଣ ରହିବ ଗଣିତ। ଏଥିପାଇଁ ସରକାରଙ୍କୁ ବିଜେଡି ଓ ୱାଇଏସ୍‌ଆର୍‌ କଂଗ୍ରେସ ଉପରେ ନିର୍ଭର କରିବାକୁ ପଡ଼ିବ। ଏହା ଉପରେ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ସ୍ଥିତି ସ୍ପଷ୍ଟ କରିନାହିଁ। ତେବେ ୟୁସିସି ପାଇଁ ସମର୍ଥନ ବିନିମୟରେ ଆପ୍ ଅଧ୍ୟାଦେଶରୁ ହଟିବା ପାଇଁ ବିଜେପି ସହ ମୂଲଚାଲ କରିପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ