ରାଜ୍ୟ

ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା: ଦୁଇ ଥର ଛିଣ୍ଡିଲା ତାଳଧ୍ବଜ ରଥ ଦଉଡ଼ି, ଭୋଇ ସେବକଙ୍କ ସମେତ ୮ ଗୁରୁତର

ପୁରୀ : ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ତାଳଧ୍ବଜ ରଥ ଦଉଡ଼ି ଛିଣ୍ଡିଯିବା ଫଳରେ ଜଣେ ଭୋଇ ସେବକଙ୍କ ସମେତ ୮ ଜଣ ଗୁରୁତର ହୋଇଛନ୍ତି। ଗତ କିଛି ବର୍ଷ ଧରି କୌଣସି ରଥର ଦଉଡ଼ି ଛିଣ୍ଡି ନଥିଲା। ତାଳଧ୍ବଜ ରଥର ଏହି ଦଉଡ଼ି ଛିଡ଼ିବା ଫଳରେ ଗୁରୁତର ହୋଇଥିବା ୮ ଜଣଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ନେବାରେ ଜଣାପଡ଼ିଛି ଯେ ଆଜି ତାଳଧ୍ବଜ ରଥର ଦଉଡ଼ିକୁ ଭୋଇ ସେବାୟତମାନେ ତାଣରେ ବାନ୍ଧିଥିଲେ। ମାତ୍ର ତାଳଧ୍ବଜ ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଏହି ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା। ଫଳରେ ରଥ ଦଉଡ଼ି ଧରିଥିବା ଭୋଇ ସେବାୟତ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଆହତ ହୋଇ ଅଚେତ୍‌ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଦମକଳ ବାହିନୀର ଗାଡ଼ିରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେ ଏବେ ଚିକିତ୍ସାଧୀନ ଅଛନ୍ତି।

ଏହା ପୂର୍ବରୁ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଥିବା ବେଳେ ରଥ ଦଉଡ଼ି ଛିଣ୍ଡି ଯାଇଥିଲା। ଫଳରେ ପଶ୍ଚିମବଙ୍ଗର ଜବାରପାଲିକ ଛକର ସୋମନାଥ ଦାସ(୨୩), ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ମମତାରାଣୀ ଡାକୁଆ(୩୦), ବାସେଳିସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟର ସୋମନାଥ ସାହୁ(୪୫), ସଦର ଥାନା ଅନ୍ତର୍ଗତ ଅଠରନଳାର ତ୍ରିବେଣୀ ବେହେରା(୬୦), କଟକ ମଘାଶୁରପୁରର ସବିତା ସାହୁ ଏବଂ ବିଷ୍ଣୁପ୍ରିୟା ନାୟକ ଗୁରୁତର ଆହତ ହୋଇଥିଲେ। ‌ସେମାନଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ୭ ଜଣଙ୍କ ମଧ୍ୟରୁ ସୋମନାଥଙ୍କ ହାତ ଭାଙ୍ଗିଯାଇଥିବା ବେଳେ ଅଚେତ୍‌ ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ନୃତ୍ୟଶିଳ୍ପୀମାନଙ୍କ ପ୍ରତିବାଦ
ପୁରୀ : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାହୁଡ଼ାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ସମୟରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ କର୍ଡନ ମଧ୍ୟରେ ରହି ଘଣ୍ଟୁଆ ସେବାୟତଙ୍କ ଘଣ୍ଟ ବାଦନର ତାଳେତାଳେ ନୃତ୍ୟ ପରିବେଷଣ କରୁଥିଲେ। ମାତ୍ର ହଠାତ୍‌ ପୁଲିସ ଅଧିକାରୀମାନେ ଏହି ନୃତ୍ୟଶିଳ୍ପୀମାନଙ୍କୁ କର୍ଡନ ମଧ୍ୟରୁ ବାହାରିଯିବାକୁ ବାଧ୍ୟ କରିଥିଲେ। ନୃତ୍ୟଶିଳ୍ପୀମାନେ କର୍ଡନ ମଧ୍ୟରୁ ନବାହାରିବାରୁ ପୁଲିସ ସେମାନଙ୍କୁ ବଳପୂର୍ବକ ବାହାର କରିଦେଇଥିଲା। ଫଳରେ ନୃତ୍ୟଶିଳ୍ପୀମାନେ କର୍ଡନ ବାହାରକୁ ଯାଇ ପ୍ରତିବାଦ ଜଣାଇଥିଲେ।

ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଏହା ଦେଖି ବାଧ୍ୟ ହୋଇ ପୁରୀ ଏସ୍‌ପି ଓକେନ୍ଦ୍ରାଞ୍ଚଳର ଆଇଜି ନୃତ୍ୟଶିଳ୍ପୀମାନଙ୍କ ନିକଟକୁ ଯାଇ ପୁନଃ କର୍ଡନ ଭିତରକୁ ଆସିବା ପାଇଁ ଅନୁମତି ଦେଇଥିଲେ। ମାତ୍ର ଶ୍ରୀଜିଉମାନଙ୍କ ପହଣ୍ଡି ସମୟରେ ସେମାନଙ୍କ ପାଖକୁ ନଯିବାପାଇଁ କଟକଣା ରଖିଥିଲେ।

ନନ୍ଦିଘୋଷ ସମ୍ମୁଖରେ ଦଳାଚକଟା ପରିସ୍ଥିତି, ଯୁବତୀ ଗୁରୁତର
ପୁରୀ : ବାହୁଡ଼ା ଯାତ୍ରା ରଥଟଣା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ମୁଖରେ ଦଳାଚକଟା ପରିସ୍ଥିତି ଦେଖାଯାଇଥିଲା। ଏଥିରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଯୁବତୀ ଝାରସୁଗୁଡ଼ାର ସସ୍ମିତା ବୋଲି ଜଣାପଡ଼ିଛି। ସେ ଓର୍‌ମାସ୍‌ରେ କାମ କରନ୍ତି। ଆଜି ରଥ ଟାଣିବା ପାଇଁ ସେ ନନ୍ଦିଘୋଷ ରଥ ସମ୍ମୁଖକୁ ଯାଇଥିଲେ। ତେବେ ଏହି ସମୟରେ ସସ୍ମିତାଙ୍କ ସମ୍ମୁଖରେ ଥିବା ଜଣେ ଭକ୍ତ ପଡ଼ିଯିବାରୁ ସେ ମଧ୍ୟ ତାଙ୍କ ଉପରେ ଝୁଣ୍ଟି ବଡ଼ଦାଣ୍ଡରେ ପଡ଼ି ଯାଇଥିଲେ। ଫଳରେ ରଥ ଟାଣୁଥିବା ଭକ୍ତମାନେ ତାଙ୍କୁ ଦଳିଚକଟି ଆଗକୁ ମାଡ଼ି ଯାଇଥିଲେ। ଏହା ଦେଖି ସେଠାରେ ଥିବା ପୁଲିସମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏହି ଦଳାଚକଟ‌ାରେ ସସ୍ମିତାଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ତାମଜାନରେ ସେବାୟତଙ୍କ ମୁଣ୍ଡ ଫାଟିଲା
ପୁରୀ : ବାହୁଡ଼ାଯାତ୍ରାରେ ଆଜି ଚତୁର୍ଦ୍ଧାମୂର୍ତ୍ତୀ ରଥାରୂଢ଼ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ରହିଥିଲା। ଏଥିପାଇଁ ଗଜପତିଙ୍କ ତାମଜାନ ଆସି କୁମ୍ଭକାର ନିଯୋଗ ସମ୍ମୁଖରେ ରଖାଯାଇଥିଲା। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କୁମ୍ଭକାର ନିଯୋଗ ନିକଟରେ ପହଞ୍ଚିବା ପରେ ତାଙ୍କୁ ତାମଜାନରେ ବସାଇ ତିନି ରଥ ନିକଟକୁ ନିଆଯାଇଥିଲା। ତେବେ ଏହି ସମୟରେ ତାମଜାନର ରୂପା ଚକ୍ର ବାଜି ଶ୍ରୀନହର ସେବାୟତ ରଜନୀକାନ୍ତ ପରିଡ଼ା ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।