ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ମଧ୍ୟରେ ଚାଲିଛି ପତ୍ରଯୁଦ୍ଧ। ଜାତୀୟ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଚିଠି ଦିଆନିଆ ହେବା ପରେ ଉପରାଜ୍ୟପାଳ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ମତବ୍ୟକ୍ତ କରିଛନ୍ତି ଯେ, ଦିଲ୍ଲୀରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି ବୋଲି ସେ ଯେଉଁ ଦାବି କରୁଛନ୍ତି ତାହା ମିଛ। ଉପରାଜ୍ୟପାଳ କରିଛନ୍ତି ଯେ, ଦିଲ୍ଲୀରେ ସ୍ବାସ୍ଥ୍ୟକ୍ଷେତ୍ରରେ ବିପ୍ଳବ ଆଣିଛନ୍ତି ବୋଲି କେଜ୍ରିୱାଲ କେବଳ ବଡ଼ବଡ଼ ଦାବି କରୁଛନ୍ତି ସିନା, ବାସ୍ତବରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ। ବରଂ ଶୀଲା ଦୀକ୍ଷିତଙ୍କ ସମୟରେ ଅଧିକ ଭଲ କାମ ହୋଇଥିଲା। ଚାରିପୃଷ୍ଠାର ଚିଠିରେ ସାକ୍ସେନା ଲେଖିଛନ୍ତି, କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ମାତ୍ର ଗୋଟିଏ ନୂଆ ହସ୍ପିଟାଲ ସିରାଜପୁରରେ ହୋଇଛି। ତାହା ପୁଣି ବର୍ଷେ ଡେରିରେ ଚାଲିବା ଆରମ୍ଭ ହେଲା। ବର୍ତ୍ତମାନ ଦିଲ୍ଲୀରେ ୧୭ଟି ହସ୍ପିଟାଲର ଉନ୍ନୟନ (ଅପ୍ଗ୍ରେଡେସନ)ର ଆବଶ୍ୟକତା ଅଛି। ଏଗୁଡ଼ିକରେ ଶଯ୍ୟାସଂଖ୍ୟା ବୃଦ୍ଧି ପାଇଁ ଯୋଜନା ହୋଇଥିଲା। କିନ୍ତୁ କୌଣସି ବି ପ୍ରକଳ୍ପ ପୂରା ହୋଇପାରି ନାହିଁ। ହସ୍ପିଟାଲଗୁଡ଼ିକର ଉନ୍ନୟନ ପାଇଁ ଆବଶ୍ୟକ ୬୦୦ କୋଟି ଟଙ୍କା ଅଭାବରୁ ଉନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ସେ କହିଛନ୍ତି। ବରଂ ଶୀଲା ଦୀକ୍ଷିତଙ୍କ ସମୟରେ ଅଧିକା ଭଲ କାମ ହୋଇଥିବା ସେ କହିଛନ୍ତି। ଏହା ପୂର୍ବରୁ କେଜ୍ରିୱାଲ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତିକୁ ନେଇ ଉପରାଜ୍ୟପାଳଙ୍କୁ ଦାୟୀ କରିଥିଲେ।
ଉପରାଜ୍ୟପାଳ-କେଜ୍ରିୱାଲଙ୍କ ପତ୍ରଯୁଦ୍ଧ: ‘ଶୀଲା ଦୀକ୍ଷିତଙ୍କ ଅମଳରେ ବେଶି ଭଲ କାମ ହୋଇଥିଲା’