ରାଜ୍ୟ ସ୍ପେଶାଲ ରିପୋର୍ଟ

ସହରରେ ପଶିଲେଣି ହାତୀ; ଶିଖରଚଣ୍ଡୀ ପାହାଡ଼ ନିକଟରେ କରୁଛନ୍ତି ଉତ୍ପାତ

ଚନ୍ଦ୍ରଶେଖରପୁର: ଡ୍ୟୁଟିରେ ଅଛନ୍ତି ବନ କର୍ମଚାରୀ। ମାତ୍ର ଜଙ୍ଗଲ ମାଟି ମାଡ଼ୁନାହାନ୍ତି। କେଉଁ ବାଟରେ ଶିକାରୀ ଜଙ୍ଗଲକୁ ପଶୁଛନ୍ତି ତାହା ଉପରେ କାହାର ଦୃଷ୍ଟି ନାହିଁ। ହାତୀ, ବାଘ, ଭାଲୁ କୁଆଡ଼େ ଗଲେ, କାହାକୁ ମାରିଲେ ତାହା ଉପରେ ମଧ୍ୟ ସେମାନଙ୍କର ନଜର ନାହିଁ। ନିଜ ସୁରକ୍ଷା ଦାବିରେ ବନ କର୍ମଚାରୀମାନେ ପ୍ରତୀକାତ୍ମକ ଧର୍ମଘଟକୁ ଓହ୍ଲାଇବା ପରେ ଏବେ ଓଡ଼ିଶା ଜଙ୍ଗଲରେ ଏମିତି ସ୍ଥିତି ଉପୁଜିଛି। ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ସୁନ୍ଦରଗଡ଼ରେ ହାତୀଙ୍କ ଉତ୍ପାତ ବଢ଼ିଥିବା ବେଳେ ଦୁଇ ଦିନ ହେଲା ଭୁବନେଶ୍ବର ଉପକଣ୍ଠରେ ହାତୀ ପଲ ସାଧାରଣ ଲୋକଙ୍କୁ କଲବଲ କରୁଛନ୍ତି। ଗତକାଲି ରାତିରେ ୩ଟିକିଆ ହାତୀପଲ ଶିଖରଚଣ୍ଡୀ ନିକଟ ଗଣେଶ ବିହାରରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଲୋକଙ୍କ ଘର ପାଚେରି ଭାଙ୍ଗିବା ସହ ବ୍ୟାପକ ଗଛ ନଷ୍ଟ କରିଥିଲେ।

ଶିଖରଚଣ୍ଡୀ ପାହାଡ଼ ନିକଟରେ ଉତ୍ପାତ କରୁଛନ୍ତି
ଲୋକେ ଡାକିଲେ ଆସୁନାହାନ୍ତି ବନ କର୍ମଚାରୀ
୩ ଟିକିଆ ହାତୀ ପଲରେ ଗୋଟିଏ ଦନ୍ତା

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସହର ଉପକଣ୍ଠରେ ହାତୀ ପଲ ପଶିଥିବା ନେଇ ଅଞ୍ଚଳବାସୀ ବନ ବିଭାଗ କର୍ମଚାରୀଙ୍କୁ ଅବଗତ କରିଥିଲେ ମଧ୍ୟ କାହାର ଦେଖା ମିଳି ନ ଥିଲା। ଘଉଡ଼ାଇବାକୁ କେହି ଆସି ନ ଥିଲେ। ଆଜି ରାତିରେ ପୁଣିଥରେ ୩ଟିକିଆ ହାତୀପଲ ଶିଖରଚଣ୍ଡୀ ପାହାଡ଼ଠାରୁ କିଛି ଦୂରରେ ବୁଲୁଥିବା ଦେଖିବାକୁ ମିଳିଛି। ରାତି ପ୍ରାୟ ୧୧ଟା ବେଳେ ଗୋଟିଏ ଦନ୍ତା ଓ ଦୁଇଟି ମାଈ ହାତୀ ପଥରଗାଡ଼ିଆ ନିକଟ ୨୦୦ ଫୁଟିଆ ରାସ୍ତା ପାର ହେଉଥିବା ଲୋକେ ଦେଖିବାକୁ ପାଇଛନ୍ତି। ଲୋକଙ୍କ ଘର ନିକଟରେ ସେମାନେ ଚଳପ୍ରଚଳ କରୁଥିବାରୁ ସମସ୍ତେ ଭୟଭୀତ ରହିଛନ୍ତି। ବାରମ୍ବାର ଫୋନ୍‌ କରିବା ସତ୍ତ୍ବେ ବନ ବିଭାଗ କର୍ମଚାରୀଙ୍କଠାରୁ କୌଣସି ଉତ୍ତର ମିଳୁ ନ ଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦି ରାଜ୍ୟ ରାଜଧାନୀରେ ଏମିତି ସ୍ଥିତି ତେବେ ଉପାନ୍ତ ଅଞ୍ଚଳରେ କିଭଳି ପରିସ୍ଥିତି ହୋଇଥିବ ତାହା ସ୍ପଷ୍ଟ ଅନୁମେୟ।

ବନ କର୍ମଚାରୀଙ୍କ ଆନ୍ଦୋଳନ ପରେ ବନ୍ୟଜନ୍ତୁଙ୍କଠାରୁ ଲୋକଙ୍କ ପ୍ରତି ବିପଦ ବଢ଼ିବାରେ ଲାଗିଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଏଭଳି ସ୍ଥିତି ଲାଗିରହିଲେ ଭବିଷ୍ୟତରେ ବନ୍ୟଜନ୍ତୁ ଓ ମଣିଷ ଲଢ଼େଇ ବଢ଼ିଯିବାର ଆଶଙ୍କା ରହିଛି। ଗତ ଦୁଇ ଦିନ ହେଲା ହାତୀ ପଲକୁ ଟ୍ରାକିଂ କରାଯାଉ ନ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବା ଖବର ଆସୁଛି। ରାଜଧାନୀ ଉପକଣ୍ଠରେ ଦୁଇଦିନ ହେଲା ହାତୀ ବୁଲିବା ଚିନ୍ତା ବଢ଼ାଇଛି। କେତେବେଳେ ଯେ ସେମାନେ ସହର ଭିତରକୁ ପ୍ରବେଶ ନ କରିବେ ତାହା କେହି କହିପାରିବେ ନାହିଁ। ଏଭଳି ସ୍ଥିତିର ମୁକାବିଲା ପାଇଁ ବନ ଅଧିକାରୀମାନେ ପାଟ୍ରୋଲିଂକୁ ଓହ୍ଲାଇବା ଆବଶ୍ୟକ। ଦରକାର ପଡ଼ିଲେ, ପୋଲିସ ଫୋର୍ସକୁ ମୁତୟନ କରାଯାଉ।

ଶିକାରୀ ଗୁଳିରେ ଦୁଇ ଦୁଇ ବନ କର୍ମଚାରୀଙ୍କ ଜୀବନ ଯିବା ପରେ ସବୁଜ ବାହିନୀକୁ ସୁରକ୍ଷା ଚିନ୍ତା ଘାରିଛି। ୫ ଦଫା ଦାବି ନେଇ ୮ ହଜାରରୁ ଅଧିକ ବନ କର୍ମଚାରୀ ରାଜ୍ୟବ୍ୟାପୀ ପ୍ରତୀକାତ୍ମକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡ୍ୟୁଟିରେ ରହିଥିଲେ ମଧ୍ୟ ପାଟ୍ରୋଲିଂ ନ କରିବାକୁ ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ଏମିତିକି ଧାର୍ଯ୍ୟ ସମୟ ଭିତରେ ସରକାର ଦାବି ପୂରଣ ନ କଲେ, ସମୂହ ଛୁଟିରେ ରହିବା ଭଳି ଚରମ ପଦକ୍ଷେପ ନେବାକୁ ବନ କର୍ମଚାରୀ କହିଛନ୍ତି। ଆନ୍ଦୋଳନକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ସେତେଟା ଗୁରୁତ୍ବ ଦେଇ ନ ଥିବାରୁ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।

ଗତ ୨ ଦିନରେ ରାଜ୍ୟରେ ଗଲାଣି ୫ ଜୀବନ

ଗତ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୫ଜଣଙ୍କ ଜୀବନ ଗଲାଣି। ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଦନ୍ତାହାତୀ ଗୋଟିଏ ଦିନରେ ଦୁଇଜଣଙ୍କ ଜୀବନ ନେଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଏସ୍‌.ବଲାଙ୍ଗ ସେକ୍ସନର ଗୁଜାପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣକ ଜୀବନ ଯାଇଥିବା ବେଳେ ଅନ୍ୟ ଗୋଟିଏ ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜ ଅନ୍ତର୍ଗତ ହ‌ରେକୃଷ୍ଣପୁର ଗ୍ରାମରେ ଘଟିଛି। କେବଳ ସେତିକି ନୁହେଁ, ସୋମବାର ମୟୂରଭଞ୍ଜ ଜିଲ୍ଲାର ଅଙ୍ଗାରପଦା ସାପ୍ତାହିକ ହାଟରୁ ଫେରୁଥିବା ଜଣେ ବୃଦ୍ଧାଙ୍କ ଜୀବନ ନେଇଛି ହାତୀ। ଅଙ୍ଗାରପଦା ହାଟରୁ ବୈତରଣୀ ନଦୀ ପାର ହୋଇ ନିଜ ଗ୍ରାମକୁ ଆସୁଥିବା ବେଳେ ରୂପାକୁଣ୍ଡ ନିକଟରେ ଥିବା କାଜୁ ଜଙ୍ଗଲରେ ଥିବା ଦନ୍ତା ହାତୀଟି ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବା ପରେ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଝାରବନ୍ଧ‌ରେ ହାତୀଙ୍କ ଉତ୍ପାତ ବଢ଼ିଥିଲେ ମଧ୍ୟ ଜଗିବାକୁ କେହି ନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।