ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଦେଶୀ ସଂସଦରେ ଭାଷଣ ଦେଇଥିବା ଭାରତୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକା ସଂସଦର ମିଳିତ ଅଧିବେଶନରେ ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେବେ। ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ବିଦେଶୀ ସଂସଦରେ ୧୧ ଥର ଭାଷଣ ଦେଇସାରିଛନ୍ତି। ଏହାକୁ ମିଶାଇଲେ ହେବ ୧୨ ଥର। ମୋଦୀଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଦେଶୀ ପାର୍ଲାମେଣ୍ଟରେ ୭ ଥର ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇନ୍ଦିରା ଗାନ୍ଧି ୪ ଥର, ଜବାହରଲାଲ ନେହରୁ ୩ ଥର, ରାଜୀବ ଗାନ୍ଧି ୨ ଥର, ଅଟଳବିହାରୀ ବାଜପେୟୀ ୨ ଥର, ମୋରାରଜୀ ଦେଶାଇ ୧ ଥର ଏବଂ ପିଭି ନରସିଂହ ରାଓ ୧ ଥର ଭାଷଣ ଦେଇଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଆମେରିକା କଂଗ୍ରେସରେ ୧୯୪୯ରେ ପ୍ରଥମେ ଭାଷଣ ଦେଇଥିଲେ। ବିଦେଶୀ ସଂସଦରେ ସର୍ବାଧିକ ଥର ଭାଷଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ୨୦୧୪ ଜୁନ୍ ମାସରେ ଭୁଟାନ ସଂସଦର ମିଳିତ ଅଧିବେଶନରେ ଭାଷଣ ଦେଇଥିଲେ।

ସେହିବର୍ଷ ଅଗଷ୍ଟ ମାସରେ ନେପାଳ ସଂସଦରେ, ନଭେମ୍ବରରେ ଅଷ୍ଟ୍ରେଲିଆ ସଂସଦର ମିଳିତ ଅଧିବେଶନରେ ଏବଂ ଫିଜି ସଂସଦରେ ଭାଷଣ ଦେଇଥିଲେ। ସେ ୨୦୧୫ ମାର୍ଚ୍ଚ ମାସରେ ଶ୍ରୀଲଙ୍କା ସଂସଦରେ, ମେ ମାସରେ ମଙ୍ଗୋଲିଆ ଓ ଡିସେମ୍ବର ମାସରେ ଆଫଗାନିସ୍ତାନରେ ଭାଷଣ ଦେଇଥିଲେ। ୨୦୧୬ ଜୁନ୍ ମାସରେ ମୋଦୀ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ଭାଷଣ ଦେଇଥିଲେ। ସେ ୨୦୧୮ ଜୁଲାଇରେ ଉଗାଣ୍ଡା ଏବଂ ୨୦୧୯ ଜୁନ୍ ମାସରେ ମାଳଦ୍ବୀପ ସଂସଦରେ ଭାଷଣ ଦେଇଥିଲେ। ୨୦୨୩ ଜୁନ୍ ୨୨ରେ ସେ ଆମେରିକାର ପ୍ରତିନିଧି ସଭା ଓ ସିନେଟ୍‌ର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଚନ୍ଦ୍ର ଅଭିଯାନରେ ଭାରତ ସାମିଲ ହେବାକୁ ନାସାର ଆଗ୍ରହ

ନୂଆଦିଲ୍ଲୀ: ଜୁନ୍ ୨୧ରୁ ୨୫ ଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିବାର ଥିବା ବେଳେ ନାସା ତା’ର ଉଚ୍ଚାଭିଳାଷୀ ମାନବଯୁକ୍ତ ଚନ୍ଦ୍ର ଅଭିଯାନରେ ଭାରତକୁ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି। ୨୦୨୫ ସୁଦ୍ଧା ଚନ୍ଦ୍ରକୁ ପୁନଶ୍ଚ ମାନବ ପ୍ରେରଣ କରିବା ପାଇଁ ନାସା ଲକ୍ଷ୍ୟ ରଖିଛି। ଚନ୍ଦ୍ର ପରେ ମଙ୍ଗଳ ଓ ଅନ୍ୟ ଗ୍ରହକୁ ବି ମାନବ ପ୍ରେରଣ ଲାଗି ଅଭିଯାନ ଜାରି ରହିବ। ଆମେରିକାର ଜନୈକ ମହାକାଶ ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିତରେ ଯେଉଁ ଆଲୋଚନା ହେବ ସେଥିରେ ମହାକାଶ ଗବେଷଣା କ୍ଷେତ୍ରରେ ପାରସ୍ପରିକ ସହଯୋଗ ସ୍ଥାନ ପାଇବ।

‘ଆମ ସମ୍ପର୍କର ମାଇଲସ୍ତମ୍ଭ’: କ୍ବାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତ (ଷ୍ଟେଟ୍ ଭିଜିଟ୍‌)ର ଅବ୍ୟବହିତ ପୂର୍ବରୁ ବୈଦେଶିକ ସଚିବ ବିନୟ ମୋହନ କ୍ବାତ୍ରା ସୋମବାର କହିଛନ୍ତି ଯେ, ଏହା ହେବ ଭାରତ-ଆମେରିକା ସମ୍ପର୍କର ଏକ ମାଇଲସ୍ତମ୍ଭ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ସୋମବାର ଦେଇ କ୍ବାତ୍ରା କହିଲେ ଯେ, ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ପ୍ରତିରକ୍ଷା ସାମଗ୍ରୀର ସହ-ଉତ୍ପାଦନ ଓ ସହ-ବିକାଶ ଉପରେ ଆଲୋଚନା ହେବ। କ୍ବାତ୍ରାଙ୍କ କହିବା ଅନୁସାରେ, ମୋଦୀଙ୍କର ଏହି ଗସ୍ତ ଦ୍ବାପାକ୍ଷିକ ସମ୍ପର୍କ ପ‌ାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଦ୍ବିପାକ୍ଷିକ ଆଲୋଚନାରେ ପ୍ରତିରକ୍ଷା ସହଯୋଗ ପ୍ରମୁଖ ସ୍ଥାନ ଗ୍ରହଣ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ