ଭୁବନେଶ୍ୱର : ଚଳିତ ଦଶନ୍ଧିରେ ବିଦ୍ୟୁତ୍ରେ ସବୁଠାରୁ ବଡ଼ ଦୁର୍ନୀତି ହୋଇଛି। ସରକାର ଓଡ଼ିଶାକୁ ବିଦ୍ୟୁତ ବଳକା ରାଜ୍ୟ କହୁଛନ୍ତି, ହେଲେ ଗାଁରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଲୋ ଭୋଲଟେଜ୍ ସମସ୍ୟାରେ ଜନସାଧାରଣ ଫସି ରହିଛନ୍ତି। ଭିତ୍ତିଭୂମି ବିକାଶ ପାଇଁ ଗତ ୧୦ ବର୍ଷରେ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ରାଜ୍ୟ ସରକାର କହୁଛନ୍ତି। ବିତରଣ ଦାୟିତ୍ୱରେ ଥିବା ଟାଟ ପାୱାର କମ୍ପାନି କହୁଛି ୫୦୦୦କୋଟି ଟଙ୍କାର ଭିତ୍ତିଭୂମି ଅଛି। ବାକି ୧୫ହଜାର କୋଟି କୁଆଡ଼େ ଗଲା? ୧୫ ହଜାର କୋଟି ବଡ଼ ଦୁର୍ନୀତିର ତଦନ୍ତ ହେଉ। ୧୦ ବର୍ଷ ମଧ୍ୟରେ ବିଜେଡି ସରକାରରେ ଦାୟିତ୍ବ ନେଇଥିବା ସମସ୍ତ ଶକ୍ତିମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଓ କେନ୍ଦ୍ରୀୟ ସଂସ୍ଥା ଏହାର ତଦନ୍ତ କରୁ ବୋଲି ଦାବି କରିଛନ୍ତି ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ। ଏହି ମର୍ମରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି।
ସ୍ମାର୍ଟ ଓ ନୂତନ ମିଟର ନାମରେ ପ୍ରାୟ ୧୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଭୂତଳ କେବୁଲ ବିଛା ପାଇଁ ୨୨୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ବିଜେଡି ମନ୍ତ୍ରୀ, ନେତା, ଅଫିସର ଓ ତୃତୀୟ ମହଲାର ଅଧିକାରୀମାନେ ମିଳିମିଶି କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି। ଅନ୍ୟ ୨୦ ରାଜ୍ୟରେ ଉପଭୋକ୍ତାମାନେ ୟୁନିଟ୍ ପିଛା ୪ଟଙ୍କା ୯୯ପଇସା ଦେଉଥିବା ବେଳେ ଓଡ଼ିଶାର ଉପଭୋକ୍ତା ୫ଟଙ୍କା ୨୨ପଇସା ଦେଉଛନ୍ତି। ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶାର ଉପଭୋକ୍ତା କାହିଁକି ଅଧିକ ଟଙ୍କା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ପ୍ରତ୍ୟେକ ଦିନ ହଜାର ହଜାର ଉପଭୋକ୍ତା ବିଜୁଳି ବିଲ୍ ବାବଦକୁ ଲକ୍ଷଲକ୍ଷ ଟଙ୍କା ଦେଉଛନ୍ତି। ହେଲେ ସେବା ପାଉ ନାହାନ୍ତି। ଏଣେ ରାଷ୍ଟ୍ରପତିଙ୍କ ବାରିପଦା ସଭାରେ ବିଦ୍ୟୁତ କାଟ ଓ ୨ ଦିନ ତଳେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଆନ୍ତର୍ଜାତିକ ଫୁଟବଲ ମ୍ୟାଚରେ ବିଦ୍ୟୁତ କାଟ୍ ହୋଇଥିଲା।
ଶକ୍ତିମନ୍ତ୍ରୀ ପ୍ରଥମେ କହିଲେ ଚଳିତ ବର୍ଷ ପାୱାର କଟ୍ ହେବ ନାହିଁ। ଲାଇନ୍ ଘନ ଘନ କଟିବା ପରେ କହିଲେ ‘ପାୱାର କଟ୍ ନୁହେଁ ପାୱାର ଟ୍ରିପ ହେଉଛି’। ପରେ କହିଲେ ଝଡ଼ ପବନ ହେଲେ ଲାଇନ କଟିବ। ମନ୍ତ୍ରୀ ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଅପେକ୍ଷା ଟାଟା ପାୱାର କମ୍ପାନିର ପ୍ରବକ୍ତା ସାଜିଛନ୍ତି।
ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ରାଜେନ୍ଦ୍ର ଦାସ ପ୍ରମୁଖ ପ୍ରତିନିଧି ମଣ୍ଡଳୀରେ ସାମିଲ ଥିଲେ।