ଶ୍ରୀନଗର : ଜମ୍ମୁ କାଶ୍ମୀରର କୁପୱାଡ଼ାରେ ସୁରକ୍ଷାକର୍ମୀଙ୍କୁ ଆଜି ବଡ଼ ସଫଳତା ମିଳିଛି। କୁପୱାଡ଼ାରେ ପୁଲିସ ଓ ସେନାର ମିଳିତ ଅପରେସନ୍ରେ ୫ ବିଦେଶୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଜି ଭୋର ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଉତ୍ତର କାଶ୍ମୀର ଜିଲ୍ଲାର ଏଲ୍ଓସି ନିକଟସ୍ଥ ଜୁମାଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କାଶ୍ମୀର ଏଡିଜିପି ବିଜୟ କୁମାର ଆଜି ଏକ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୧୩ ତାରିଖରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଥିଲେ। ଉଲ୍ଲେଖଯୋଗ୍ୟ.ଗତକାଲି ପୁଞ୍ଚ ସେକ୍ଟରରେ ସେନା ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲା ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ ଗତ ଫେବ୍ରୁଆରିରୁ ଏଲ୍ଓସି ନିକଟରେ ୧୦ଟି ପ୍ରମୁଖ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରାଯାଇଛି।
କୁପୱାଡ଼ା ଏନକାଉଣ୍ଟର: ୫ ଆତଙ୍କବାଦୀ ନିପାତ