ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଖୁବ୍ଶୀଘ୍ର ୬ ଜଣ ବିଚାରପତି ଅବସର ନେବେ। ବିଚାରପତି କେଏମ୍ ଯୋସେଫ ଆଜି ସୁପ୍ରିମକୋର୍ଟରୁ ଅବସର ନେଇଛନ୍ତି। ତେ ମେ’ ୧୯ ତାରିଖ ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟଦିବସ ଥିଲା। କାରଣ ଏହାପରେ ଗ୍ରୀଷ୍ମ ଅବକାଶ ପାଇଁ କୋର୍ଟ ବନ୍ଦ ରହିଥିଲା। ଅବସର ନେବା ପୂର୍ବରୁ ଯୋସେଫ ଗତକାଲି ୨ଟି ରାୟ ଶୁଣାଇଥିଲେ। ଚଳିତ ମାସରେ ପୁଣି ୨ଜଣ ବିଚାରପତିଙ୍କ ଅବସର ଅଛି। ଜଷ୍ଟିସ ଏ ଆର ରସ୍ତୋଗି ଏବଂ ଜଷ୍ଟିସ ଭି ରାମସୁବ୍ରମନ୍ୟନ୍ ଯଥାକ୍ରମେ ଜୁନ୍ ୧୭ ଏବଂ ଜୁନ୍ ୨୯ ତାରିଖରେ ଅବସର ନେବେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ କଲେଜିୟମରୁ ୩ ସଦସ୍ୟଙ୍କ ଅବସର ସହ କଲେଜିୟମରେ ୩ ଜଣ ନୂଆ ସଦସ୍ୟ ସାମିଲ ହେବେ।
ଜଷ୍ଟିସ ସଂଜୀବ ଖାନ୍ନା, ବି.ଆର୍ ଗଭାଇ ଏବଂ ସୁର୍ଯ୍ୟ କାନ୍ତ ସିଜେଆଇଙ୍କ ନେତୃତ୍ବାଧୀନ କଲେଜିୟମରେ ଯୋଗ ଦେବେ। କଲେଜିୟମର ଅନ୍ୟ ଜଣେ ସଦସ୍ୟ ହେଉଛନ୍ତି ଜଷ୍ଟିସ ସଂଜୟ କେ କୌଲ। ଜୁନ୍ ୩୦ ତାରିଖରୁ ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ନଭେମ୍ବର ୧୧ ତାରିଖରେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ କଲେଜିୟମ ୧୦ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ଏହି ୭ ମାସରେ କେହି ଜଣେ ବି ମହିଳା ବିଚାରପତି ନିଯୁକ୍ତ ହୋଇନାହାନ୍ତି। ସୁପ୍ରିମକୋର୍ଟରେ ଏବେ ୩ ଜଣ ମହିଳା ବିଚାରପତି ଅଛନ୍ତି ଏବଂ ସେମାନେ ହେଉଛନ୍ତି ଜଷ୍ଟିସ ହିମା କୋହଲି, ବିଭି ନାଗରତ୍ନା ଏବଂ ବେଲା ଏମ୍ ତ୍ରୀବେଦି।