ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୈବ ଉପାସକଙ୍କ ଗାଁ ‘ଜାଗମରା’

ମହାବୀର ଜୈନ ଓ ଗୌତମ ବୁଦ୍ଧଙ୍କ ଅନ୍ତେ ବିମ୍ବିସାର, ଖାରବେଳ, ଅଶୋକଙ୍କ ଭଳି ବହୁ ପରାକ୍ରମୀ ରାଜାଙ୍କ ପୃଷ୍ଠପୋଷକତାରେ ଭାରତବର୍ଷରେ ଜୈନ ଓ ବୌଦ୍ଧଧର୍ମ ଶତାବ୍ଦୀ-ଶତାବ୍ଦୀ ଧରି ନିଜର ଅସ୍ତିତ୍ବ ବଜାୟ ରଖିଥିଲା। ହିନ୍ଦୁ ଧର୍ମର ଜଟିଳ କର୍ମକାଣ୍ଡ, ଉଗ୍ର-ଜାତିବାଦ ବି ପରୋକ୍ଷରେ ଏହାକୁ ସହାୟ ହୋଇ ଆସୁଥିଲା। ଏହି କ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୌଦ୍ଧ ଓ ଜୈନ ଧର୍ମ ପ୍ରଚାରକମାନେ ଆସି ଧର୍ମ ପ୍ରଚାର କରିଥିଲେ। କିନ୍ତୁ କେବେ ସେମାନଙ୍କ ଓଡ଼ିଶା ଆଗମନ ହୋଇଥିଲା, ସେ ସଂପର୍କରେ ସେମିତି କିଛି ନିର୍ଦ୍ଦିଷ୍ଟ କାଳଖଣ୍ଡ ଇତିହାସରେ ଉଲ୍ଲେଖ ନାହିଁ।

ଖଣ୍ଡଗିରି-ଉଦୟଗିରି ପାହାଡ଼କୁ ଲାଗି ଥିବା ଏକ ସମତଳ ଅଞ୍ଚଳରେ ବି ପ୍ରଥମେ ଜୈନ ଓ ପରେ ପରେ ବୌଦ୍ଧଭିକ୍ଷୁମାନେ ଆସି ବସତି ସ୍ଥାପନ କଲେ। ସେମାନେ ଧର୍ମ ପ୍ରଚାର କରିବା ସହ ବୌଦ୍ଧ ଓ ଜୈନକୀର୍ତ୍ତି ସବୁକୁ ଉଭୟ ପାହାଡ଼ରେ ସ୍ଥାନିତ କରିବା ପାଇଁ ଚେଷ୍ଟା କଲେ। କିନ୍ତୁ ନବମ ଶତାବ୍ଦୀ ଆଡ଼କୁ ଓଡ଼ିଶାରେ ସୋମବଂଶୀ ରାଜାଙ୍କ ଶାସନ ବେଳକୁ ବ୍ୟାପକ ପରିବର୍ତ୍ତନ ଦେଖାଦେଇଥିଲା। ଶୈବ ଉପାସକ କ୍ଷତ୍ରୀୟମାନେ ସକ୍ରିୟ ହୋଇ ଉଠିଥିଲେ। ସେମାନେ ଜୈନ ଓ ବୌଦ୍ଧଧର୍ମ ପ୍ରଚାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ୟମ କରିବା ସହ ହିନ୍ଦୁ ଧର୍ମ ପ୍ରଚାର ପାଇଁ ଆପ୍ରାଣ ଉଦ୍ୟମ କଲେ। ଏଥିପାଇଁ ସେମାନେ ସେଠାରେ ବସତି ସ୍ଥାପନ କରି ରହିଲେ। ସେତେବେଳେ ଶୈବ ଉପାସକମାନଙ୍କ ଦ୍ବାରା ଗଢ଼ି ଉଠିଥିବା ସେ ଜନବସତି ଆଜିର ଜାଗମରା। ଏ ଗାଁଟି ଲିଙ୍ଗରାଜ ମନ୍ଦିର ନିର୍ମାଣର ଆଖାପାଖ ସମୟରେ ଗଢ଼ି ଉଠିଥିବା ଅନୁମାନ କରାଯାଏ।

‘ଯଜ୍ଞ ମାରା’ରୁ ହେଲା ‘ଜାଗମରା’

ଜାଗମରାର ଏପରି ନାମକରଣ ପଛରେ ଏକ କିଂବଦନ୍ତି ରହିଛି। ହିନ୍ଦୁ ଧର୍ମର ପ୍ରଚାରପ୍ରସାର ପାଇଁ ଶୈବ ଉପାସକମାନେ ଖଣ୍ଡଗିରି ପାହାଡ଼କୁ ଲାଗି ଏକ ସ୍ଥାନରେ ଆଡ଼ମ୍ବରପୂର୍ଣ୍ଣ ଯଜ୍ଞର ଆୟୋଜନ କରିଥିଲେ। କିନ୍ତୁ ଏଥିରେ ଅସହିଷ୍ଣୁ ହୋଇ କିଛି ବିଧର୍ମୀ ଯଜ୍ଞକୁଣ୍ଡରେ ପରିସ୍ରା କରିଦେଲେ। ଫଳରେ ଯଜ୍ଞ କାର୍ଯ୍ୟ ମାରା ହୋଇଯାଇଥିଲା। କିନ୍ତୁ ଏଥିରେ ବିଚଳିତ ନ ହୋଇ ଶୈବ ଉପାସକମାନେ ବିଧର୍ମୀମାନଙ୍କୁ ସେ ଅଞ୍ଚଳରୁ ତଡ଼ି ଦେଇଥିଲେ। ‘ଯଜ୍ଞ’ ‘ମାରା’ ହୋଇଥିବାରୁ ଏହି ସ୍ଥାନରେ ନାଁ ପରେ ‘ଜାଗମରା’ ହେଲା।

ସାତଟି ଗିରି ମିଶି ଖଣ୍ଡଗିରି

ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ସହ ଗାଁ ଲୋକଙ୍କ ଅତି ନିବିଡ଼ ସମ୍ପର୍କ। ଖଣ୍ଡଗିରି, ଉଦୟଗିରି, ସିଦ୍ଧଗିରି, ନୀଳଗିରି, ରତ୍ନଗିରି ଆଦି ୭ଟି ଗିରି ମିଶି ଖଣ୍ଡିଗିରି ହୋଇଛି। ସେହିଭଳି ପାହାଡ଼ରେ ଆକାଶ ଗଙ୍ଗା, ରାଧାକୁଣ୍ଡ, ଶ୍ୟାମକୁଣ୍ଡ, ଲଳିତା କୁଣ୍ଡ, ଗୁପ୍ତ ଗଙ୍ଗା, କ୍ଷୀର ଗଙ୍ଗା ଆଦି ୭ଟି କୁଣ୍ଡ ରହିଛି। କୁହାଯାଏ, ଏହି କୁଣ୍ଡଗୁଡ଼ିକରୁ କେବେ ପାଣି ଶୁଖେନି। ଏହାସହ ୭୫୨ ଗୁମ୍ଫା ଏଠାରେ ରହିଛି। ପାହାଡ଼ରେ ଇଷ୍ଟଦେବୀ ୧୨ଭୁଜା ଠାକୁରାଣୀ ପୂଜା ପାଉଛନ୍ତି। ଗାଁର ପୁରୁଖା ଲୋକ କହନ୍ତି, ଜାଗମରାର ଇଷ୍ଟଦେବ ପ୍ରଭୁ ଅନନ୍ତ କେଶରୀ ଖଣ୍ଡଗିରି ପାହାଡ଼ରେ ପୂଜା ପାଉଥିଲେ। ୧୯୧୨ ମସିହା ବେଳକୁ ଚକ୍ରାନ୍ତ କରି ତାଙ୍କୁ ସେଠାରୁ ବାହାର କରିଦିଆଗଲା। ଗାଁର ତତ୍କାଳୀନ ଜମିଦାର ତାଙ୍କୁ ସେଠୁ ଆଣି ଗାଁର ନାଗା ମଠରେ ରଖାଇଲେ। ସେବେଠୁ ସେ ଏଇଠି ପୂଜା ପାଇ ଆସୁଛନ୍ତି।

Veena World

ମାଘ ମେଳାରେ ଖଣ୍ଡଗିରି ପାହାଡ଼କୁ ଆସନ୍ତି ଅନନ୍ତ କେଶରୀ

ବିଶ୍ବପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ସମୟରେ ପ୍ରଭୁ ଅନନ୍ତ କେଶରୀ ସପ୍ତମୀ ଦିନ ଉଦୟଗିରି ପାର୍ଶ୍ବରେ ଥିବା ରାଣୀଗୁମ୍ଫା ଭିତରେ ଥିବା ରାଣୀହଂସପୁରକୁ ଆସନ୍ତି। ପ୍ରଭୁ ସେଠାରେ ଥିବା ଳଳିତା କୁଣ୍ଡରେ ଚାପ ଖେଳନ୍ତି। ସେଠି ଗୋଟିଏ ରାତି ପୂଜିତ ହେବା ପରେ ଭୋର୍‌ରେ ବାହୁଡ଼ି ଆସନ୍ତି। କାହିଁ କେଉଁ କାଳରୁ ଏ ପରମ୍ପରା ଚାଲି ଆସୁଛି। ଏହା ସିଦ୍ଧକ୍ଷେତ୍ର ହୋଇଥିବାରୁ ବିଭିନ୍ନ ଆଡ଼ୁ ସାଧୁସନ୍ଥମାନେ ଆସି ଏହି ମାଘମେଳା ସମୟରେ ତପସ୍ୟା କରନ୍ତି। ଏବେ ବି ସେୟା ହେଉଛି। ମାଘ ସପ୍ତମୀରୁ ପୂର୍ଣ୍ଣିମା ଯାଏ ୯ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ହିମାଳୟ, କାଶୀ, ବିଶ୍ବନାଥ, ଅଯୋଧ୍ୟା, ବୃନ୍ଦାବନ, ହରିଦ୍ବାର ଆଦି ସ୍ଥାନରୁ ସାଧୁମାନେ ଆସୁଛନ୍ତି।

ଗଉଣିଏ ଚାଉଳରେ କେଜିଏ ଶାଗୁଆତି

ଗାଁରେ ତିନୋଟି ପୋଖରୀ ରହିଛି। ଝରପୋଖରୀ ଓ ବଡ଼ପୋଖରୀ ପୁରାତନ। ବରବାରି ପୋଖରୀ ପରେ ଖୋଳା ହୋଇଛି। ରଜରେ ବଡ଼ ପୋଖରୀରୁ ମାଛମରା ହୋଇ ମୁଣ୍ଡ ପିଛା ଭାଗ ଅନୁସାରେ ଗାଁଟା ସାରା ବଣ୍ଟା ହୁଏ। ଭାଇଚାରାର ପରମ୍ପରା ଗାଁ ଲୋକଙ୍କ ମଧ୍ୟରେ ବହୁକାଳରୁ ରହି ଆସିଛି। ସେହିଭଳି ପୂର୍ବରୁ ଆମିଷ ପାଇଁ କୌଣସି ନିର୍ଦ୍ଦିଷ୍ଟ ବଜାର ନଥିଲା। ଗାଁ ବିଲ ପୋଖରୀରୁ ମାଛଧରା ହେଉଥିଲା। ବର୍ଷକୁ ଥରେ, ରଜ ବେଳେ ଯଦୁପୁରର କିଛି ମାଂସ ବେପାରୀ ଛେଳି ମାଂସ ବିକ୍ରି କରିବାକୁ ଗାଁକୁ ଆସୁଥିଲେ। ସେତେବେଳେ ଗଉଣିଏ ଚାଉଳରେ କେଜିକରୁ ଅଧିକ ଛେଳି ମାଂସ (ଶାଗୁଆତି) ଦେଉଥିଲେ। ସେତେବେଳେ କେଜିର ପ୍ରଚଳନ ନଥିଲା।

ଶିଳ, ଚକି ଗଢ଼ିବା ଥିଲା ମୂଳ ବେଉସା

Wikipedia

୫୦ ବର୍ଷ ତଳେ ଗାଁର ମୁଖ୍ୟ ବେଉସା ଥିଲା ପାହାଡ଼ ପାଦଦେଶରେ ଥିବା କଳା ପଥର/ବଉଳମାଳ ପଥର କାଟି ସେଥିରେ ଶିଳ, ଚକି ଆଦି ପ୍ରସ୍ତୁତ କରି ବିକ୍ରିବଟା କରିବା। ଏହି ସ୍ଥାନକୁ ‘ସିଂହଖଣି’ କୁହାଯାଉଥିଲା। ଏହି ସବୁ ସାମଗ୍ରୀ ଏଇଠୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଥିଲା। ସେତେବେଳେ ଚକିର ଦାମ ଆଠ ଅଣାରୁ ଟଙ୍କାଟିଏ ଭିତରେ ଥିଲା। ଗାଁ ଲୋକ ୪ ମାସ ଚାଷ କରିବା ପରେ ଏ କାମରେ ସଂପୂର୍ଣ୍ଣ ମନୋନିବେଶ କରୁଥିଲେ। କିନ୍ତୁ ଏବେ ଆଉ ସେ ଚିତ୍ର ଦେଖିବାକୁ ମିଳୁନି।

ଯାତ୍ରା ଟିକେଟ୍‌ର ଦାମ୍ ଥିଲା ଆଠ ଅଣା

Dailymotion

ପୂର୍ବରୁ ଖଣ୍ଡଗିରି ମେଳାରେ ହାତଗଣତି କେତୋଟି ଗୁଡ଼ିଆ ଦୋକାନ, କାଠ ନିର୍ମିତ ଆସବାବପତ୍ର ଦୋକାନ, ଚାଷ ଉପକରଣ ଦୋକାନ, କୁଲା-ବାଉଁଶିଆ ଦୋକାନ ଓ ଶିଳ-ଚକି ଦୋକାନ ପଡ଼ୁଥିଲା। ଲୋକେ ଦିନବେଳା ଶଗଡ଼ରେ କିମ୍ବା ଚାଲି ଚାଲି ଆସୁଥିଲେ। ରାତିସାରା ନାମ ସଂକୀର୍ତ୍ତନ ଦେଖି ସକାଳୁ ଘରକୁ ଫେରୁଥିଲେ। ରାତିରେ ଘରକୁ ଯିବାକୁ ଚାହୁଥିବା ଲୋକ ସାଙ୍ଗରେ ମଶାଲ କିମ୍ବା ସାଇକେଲ ଟାୟାର୍‌ ଧରି ଆସୁଥିଲେ। ୫୦ ବର୍ଷ ତଳେ ମେଳାକୁ ଯାତ୍ରା ପାର୍ଟିଙ୍କ ଆଗମନ ହେଲା। ସେତେବେଳେ କାଂସ ଓ ସାତଶଙ୍ଖ ନାଁରେ ଦୁଇଟି ପାର୍ଟି ଆସୁଥିଲା। ଏଥିପାଇଁ ଛାମୁଣ୍ଡିଆ ତିଆରି ହୋଇ ଉପରେ ଜାମୁକୋଳି ଡାଳ ଝାଟି ପଡ଼ୁଥିଲା। ସାମ୍ନାରେ ଜରିପାଲରେ ଲୋକମାନେ ବସୁଥ‌ିଲେ। ଟିକେଟ୍‌ର ଦାମ୍‌ ଆଠଅଣାରୁ ଆରମ୍ଭ କରି ଦୁଇ ଟଙ୍କା ପର୍ଯ୍ୟନ୍ତ ଥିଲା। ପେଣ୍ଡାଲ ସାମ୍ନାରେ ବସିବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ୁଥିଲା।

ଗାଁ ପଡ଼ିଆ, ଚାଷ ଜମିରେ ବିହାର-ନଗର

୧୯୯୨ ମସିହାରେ ଗାଁର ଚାଷ ଜମିରେ ପ୍ରଥମେ ହାଉସିଂବୋର୍ଡ ପକ୍ଷରୁ ଧର୍ମବିହାର ନିର୍ମାଣ ହେଲା। ସେଠି ୮ ଶହରୁ ଊର୍ଦ୍ଧ୍ବ ଡୁପ୍ଲେକ୍ସ ଘର ତିଆରି ହେଲା। ମୁଖ୍ୟମନ୍ତ୍ରିତ୍ବ କାଳରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ତାହାକୁ ଉଦ୍‌ଘାଟନ କରିଥିଲେ। ସେହି ସମୟରେ ସେ ଘରଗୁଡ଼ିକର ଦାମ୍ ୩ରୁ ୪ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ସେ ଜାଗାରେ ସାଧାରଣ କିମ୍ବା ନିମ୍ନ ମଧ୍ୟବିତ୍ତ ଲୋକଟିଏ ହାତ ମାରିପାରିବନି। ଏବେକା ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ। ପରେ ପରେ ୧୯୯୩-୯୪ ମସିହାରେ ଗାଁର ଜମିଦାର ଜଗମୋହନ ପଟ୍ଟନାୟକଙ୍କ ନାଁରେ ‘ଜଗ ମୋହନନଗର’ ଗଢ଼ି ଉଠିଲା। ପରେ ପରେ ଚାଷ ଜମିରେ ସିଦ୍ଧବିହାର, ସିଦ୍ଧେଶ୍ବରନଗର, ମଲ୍ଲିକ କଂପ୍ଲେକ୍ସ, ଗ୍ରିନ୍ ପାର୍କ ଓ ପବନୀ କଂପ୍ଲେକ୍ସ ଆଦି ଗଢ଼ି ଉଠିଛି।

୮୦ ଦଶକରେ ଆସିଲା ବିଜୁଳି ଆଲୁଅ

୫୦ ବର୍ଷ ତଳେ ଗାଁରେ ସମସ୍ତଙ୍କର ଚାଳଘର ଥିଲା। ପାହାଡ଼ ତଳି ଅଞ୍ଚଳ ହୋଇଥିବାରୁ ବର୍ଷକ ବାର ମାସ ରାସ୍ତାରେ ଝର ପଡ଼ି ପ୍ରାକୃତିକ ନାଳର ଭ୍ରମ ସୃଷ୍ଟି କରୁଥିଲା। ସେତେବେଳେ ବିଜୁଳି ଆଲୁଅ ତ ସାତ ସପନ ଥିଲା। ୮୦ ଦଶକରେ ପ୍ରଥମେ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଘରେ ବିଜୁଳି ଆଲୁଅ ଜଳିଥିଲା। ସେମିତି କାଳକ୍ରମେ ଗାଁରେ ଥିବା ଚାଳଘର ସବୁ ଛାତ ହେଲା। ଚିନ୍ତାମଣି ମହାନ୍ତି ପ୍ରଥମେ କଡ଼ିବରଗା ଛାତ କରିଥିଲେ। ଏବେ ଗାଁସାରା ସମସ୍ତଙ୍କର କୋଠାଘର। କାଁ ଭାଁ କେହି କେମିତି କୋଠାଘରକୁ ଛାଡ଼ି ସଉକ ପାଇଁ ଚାଳଘର ଖଣ୍ଡେ ଖଣ୍ଡେ କରିଛନ୍ତି।

ବହୁ ପୁରାତନ ସିଦ୍ଧେଶ୍ବର ମହାଦେବ

ଗାଁର ଇଷ୍ଟଦେବ ପ୍ରଭୁ ସିଦ୍ଧେଶ୍ବର ମହାଦେବ ଓ ଇଷ୍ଟଦେବୀ ମା’ ମଙ୍ଗଳା। ଏହାସହ ଖୁମେଇଶୁଣୀ, ଖଣ୍ଡୁଆଳ, ବାନ୍ଧବାୟାଣୀ ଆଦି ଗାଁର ପୁରାତନ ବିଗ୍ରହ। ବହୁବର୍ଷ ଧରି ସେମାନେ ପୂଜା ପାଇ ଆସୁଛନ୍ତି। ୨୦୧୦ରେ ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି। ଅନ୍ୟ ଜଗନ୍ନାଥ ମନ୍ଦିର ଭଳି ଏଠାରେ ସମସ୍ତ ନୀତିକାନ୍ତି ହେବା ସହ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଛି।

ବିଶିଷ୍ଟ ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଇତିହାସ ପୃଷ୍ଠଭୂମିକୁ ନେଇ ମତ ରଖିଥିବା ବେଳେ ପୂର୍ବତନ କର୍ପୋରେଟର୍‌ ରଘୁ ମହାନ୍ତି ଓ ପ୍ରଭାତ ପାତ୍ରଙ୍କ ସୂଚନା ଓ ସହଯୋଗ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।