ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲେଶ୍ବର ରୁଟ୍‌ରେ ସ୍ବାଭାବିକ ହେଲା ରେଳ ଚଳାଚଳ, ‘ଜୟ ଜଗନ୍ନାଥ’ ଧ୍ବନି ସହ ଗଡ଼ିଲା

ବାଲେଶ୍ବର : ସୋମବାର ସକାଳ ପ୍ରାୟ ୯ଟା ୨୦ ମିନିଟ୍‌। କରମଣ୍ଡଳ ଦୁର୍ଘଟଣା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ବାହାନଗା ଷ୍ଟେସନ ୟାର୍ଡ‌ରେ ପ୍ରବେଶ କଲା ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରେନ୍‌ର ବେଗ ଥିଲା ଘଣ୍ଟାକୁ ୨୦ କିଲୋମିଟର। ଟ୍ରେନ୍‌ ଧୀରେଧୀରେ ଗଡ଼ୁଥିବା ବେଳେ ସମଗ୍ର ଟ୍ରେନ୍‌ କୋଚ୍‌ରେ ଛାଇ ଯାଇଥିଲା ନିରବତା। ଯାତ୍ରୀମ‌ାନେ ଦୁର୍ଘଟଣାସ୍ଥଳ ଦେଖି ସ୍ବବ୍ଧ ହୋଇଯାଇଥିଲେ। ସେମାନଙ୍କ ‘ଜୟ ଜଗନ୍ନାଥ’ ଧ୍ବନିରେ କିଛି ସମୟ ପାଇଁ ନିରବତା ଭଙ୍ଗ ହୋଇଥିଲା। ଅନେକ ଯାତ୍ରୀଙ୍କ ହୃଦୟରେ ପ୍ରାର୍ଥନା ଏବଂ ଆଖିରୁ ଝରି ପଡ଼ୁଥିଲା ଲୁହ। ଚାରିଆଡ଼େ ବିଛାଡ଼ି ହୋଇପଡ଼ିଥିଲା ଧ୍ବସ୍ତବିଧ୍ବସ୍ତ କୋଚ୍ ଓ ଭଙ୍ଗ‌ା ରେଳ ଧାରଣା। ସେହି ‘କଳା ଶୁକ୍ରବାର’ର ମୂକ ସାକ୍ଷୀ ରୂପେ ଠିଆ ହୋଇଥିଲା ବିଦ୍ୟୁତ ଖୁଣ୍ଟ। ଟ୍ରେନ୍‌ ଗଡ଼ିବା ସମୟରେ ଏଭଳି ଦୃଶ୍ୟ ଦେଖିୁଥିବା ଶହଶହ ଲୋକମାନଙ୍କ ମଧ୍ୟରେ ନିରବତା ଛାଇ ଯାଇଥିଲା।

ଗତ ଶୁକ୍ରବାର ଦିନ ଦୁର୍ଘଟଣା ପରେ ଗତକାଲି ମଧ୍ୟରାତିରୁ ଏହି ରୁଟ୍ ଦେଇ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ‌ସୋମବାର ସକାଳେ ସକାଳେ ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲା ବେଳେ ପରିବେଶ ଏଭଳି ଭାବବିହ୍ବଳ ହୋଇଯାଇଥିଲା। ଏହି ‌ଟ୍ରେନ୍‌ ସକାଳ ୬ଟା ୧୦ ମିନିଟରେ‌ ହାୱଡ଼ା ଷ୍ଟେସନ ଛାଡ଼ିଥିଲା। କିନ୍ତୁ ଏହା ବାହାନଗା ଦେଇଯିବ ବୋଲି ଯାତ୍ରୀମାନଙ୍କୁ ସୂଚନା ଦିଆଯାଇନଥିଲା। ତେବେ ଖଡ଼ଗପୁରରେ ପହଂଚିବା ପରେ ବାହାନଗା ଦେଇ ଗାଡ଼ି ଯିବ ବୋଲି କୁହାଯାଇଥିଲା। ୧୧୦ରୁ ୧୨୦ କିଲୋମିଟର ବେଗରେ ଆସିଥିବା ବନ୍ଦେ ଭାରତ ଏକ୍ସପ୍ରେସ ବାହାନଗା ପୂର୍ବରୁ ଥିବା ଖନ୍ତାପଡ଼ା ଷ୍ଟେସନରେ କିଛି ସମୟ ପାଇଁ ଅଟକିଥିଲା। ଏହାପରେ ଧୀରେଧୀରେ ଆଗକୁ ବଢ଼ିଥିଲା। ଲାଗୁଥିଲା ଯେମିତି ମୃତାହତଙ୍କ ପ୍ରତି ସମବେଦନା ଜଣାଉଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌। ଟ୍ରେନ୍‌ଟି ବାହାନଗା ଦେଇ ଯାଉଥିବା ବେଳେ ସମସ୍ତେ ଭାବବିହ୍ବଳ ହୋଇପଡ଼ିଥିଲେ।

ଦୁର୍ଘଟଣାର ଦୀର୍ଘ ୫୬ ଘଣ୍ଟା ପରେ ବାଲେଶ୍ବର ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବାପରେ ଉଭୟ ଲାଇନ୍‌ରେ ବନ୍ଦେ ଭାରତ ସହିତ ୨୩ଟି ପାସେଞ୍ଜର୍‌, ୧୩ଟି ମାଲବାହୀ ଟ୍ରେନ୍‌ ଚଳାଚଳ କରିଛି। ବିଳମ୍ବିତ ରାତି ୨ଟା୧୦ରେ ଓଡ଼ିଶା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ ପ୍ରଥମେ ଡାଉନ୍‌ ଲାଇନ୍‌ରେ ଆସିଥିଲା। ପରେ ଭୋର୍‌ ୪ଟା ୫୫ରେ ଅପ୍‌ଲାଇନ୍‌ରେ ଆସିଥିଲା ପୁରୀ-ହାୱାଡା ସୁପରଫାଷ୍ଟ। ଆଜି ସକାଳେ ବାଲେଶ୍ବରରୁ ଦୁଇଟି ପାସେଞ୍ଜର ଟ୍ରେନ୍‌ ଅପ୍‌ଲାଇନ୍‌ରେ ଯାଇଥିବା ବେ‌ଳେ ସକାଳେ ହାୱଡ଼ାରୁ ପୁରୀ ଯାଇଥିଲା ବନ୍ଦେ ଭାରତ। ପରେ ପରେ କୋଲକାତା-ଚେନ୍ନାଇ ଶାଲିମାର ଏକ୍ସପ୍ରେସ୍‌, ମସୁରୀ-ପୁଡୁଚେରୀ ଏକ୍ସପ୍ରେସ୍‌, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଓ ମଧ୍ୟାହ୍ନ ୧୨ଟା ବେଳେ ଡାଉନ୍‌ ଲାଇନ୍‌ରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଆସିଥିଲା। ଦୁର୍ଘଟଣା ଘଟିଥିବା ଟ୍ରାକ୍ ଦେଇ ଟ୍ରେନ୍‌ଗୁଡ଼ିକ ଯିବାବେଳେ ଧୀର ଗତିରେ ଅତିକ୍ରମ କରିଥିଲେ। ଦକ୍ଷିଣପୂର୍ବ ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳୁ ଅପରାହ୍ନ ମଧ୍ୟରେ ଏହି ଲାଇନ୍‌ ଦେଇ ୨୩ଟି ପାସେଞ୍ଜର,ଏକ୍ସପ୍ରେସ୍‌ ଓ ୧୬ଟି ମାଲବାହୀ ଟ୍ରେନ୍ ଚଳାଚଳ କରିଛି।

ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ରେଳଧାରଣା ଓ ବିଦ୍ୟୁତ୍‌କରଣ କାମ ସଜାଡ଼ିବାରେ ୧ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଧ୍ବସ୍ତବିଧ୍ବସ୍ତ ଟ୍ରାକ୍‌ର ପୁନରୁଦ୍ଧାର କାମ ସରିବା ପରେ ରେଳ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଗତକାଲି ରାତି ୧୨ଟା ଯାଏ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ ଏକାଧିକ ଥର ଟ୍ରାଏଲ ରନ୍ କରାଯାଇଥିଲା। ଦକ୍ଷିଣପୂର୍ବ ରେଳବାଇର ୧୦ରୁ ଅଧିକ ବୈଷୟିକ ବି​ଶେଷଜ୍ଞ ଟିମ୍‌ ବାହାନଗା ବଜାର ଷ୍ଟେସନ୍‌ରୁ ବାଲେଶ୍ବର ଷ୍ଟେସନ୍‌ ପର୍ଯ୍ୟନ୍ତ ରେଳ ଟ୍ରାକ୍‌, ସିଗନାଲିଂ, ବିଦ୍ୟୁତ୍‌କରଣ ଆଦି ବ୍ୟବସ୍ଥାକୁ ତନ୍ନତନ୍ନ କରି ଯାଞ୍ଚ୍‌ କରିବା ପରେ ଟ୍ରେନ୍ ଚଳାଚଳ ପାଇଁ ସବୁଜ ସଙ୍କେତ ଦେଇଥିଲେ। ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟକୁ ତଦାରଖ କରିଛନ୍ତି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା କାହିଁକି ଓ କେଉଁ ପରିସ୍ଥିତିରେ ଘଟିଲା, ସେ ସଂପର୍କରେ ତଦନ୍ତ ପାଇଁ ରେଳ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଆଜି ସକାଳେ ରେଳବାଇ ସୁରକ୍ଷା କମିସନ୍‌ର ଶୈଳେଶ ପାଠକ, ଖଡ଼ଗପୁର ରେଳ ଡିଭିଜନ୍‌ର ଡିଆରଏମ୍‌ ଜନାବ ମହମ୍ମଦ ହାସିମ୍‌ଙ୍କ ସମେତ ଏକାଧିକ ବରିଷ୍ଠ ଅଧିକାରୀ ବାହାନଗା ବଜାର ଷ୍ଟେସନ୍‌ରେ ପହଞ୍ଚି ଦୁର୍ଘଟଣାର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଥିଲେ। ରେଳବାଇର ପ୍ରାଥମିକ ତଦନ୍ତରେ ସିଗନାଲ୍‌ ତ୍ରୁଟି ନେଇ ରିପୋର୍ଟ ଆସିଥିବାରୁ ବାହାନଗା ଷ୍ଟେସନ୍‌ ଗୃହରେ ସିଗନାଲ୍‌ ମେସିନ୍‌ ଓ ଅନ୍ୟ ଯାନ୍ତ୍ରିକ ଉପକରଣକୁ ଶ୍ରୀ ପାଠକ ଯାଞ୍ଚ୍‌ କରିବା ସହ ସେଠାରେ କାର୍ଯ୍ୟରତ ରେଳ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ସେପଟେ ସିବିଆଇର ଏକ ଟିମ୍‌ ଆଜି ସନ୍ଧ୍ୟାରେ ବାହାନଗାରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ, ଏ ସଂପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଆଜି କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବି​ଶ୍ବେଶ୍ବର ଟୁଡୁ ବାହାନଗା ବଜାର ଷ୍ଟେସନ୍‌ ଓ ଡାକ୍ତରଖାନା ପରିଦର୍ଶନ କରି ଆହତ ଯାତ୍ରୀମାନଙ୍କୁ ଭେଟିଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ସୁରେଶ ଦଳେଇ ପହଞ୍ଚି ଦୁର୍ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।